ଚିଟ୍‌ଫଣ୍ଡ ସ୍ବତନ୍ତ୍ର ଅଦାଲତଙ୍କ ରାୟ : ରୋଜ୍‌ଭ୍ୟାଲି ‌ଜମାକାରୀ ଜମାଟଙ୍କା ଫେରି ପାଇବେ

Advertisment

ବଣ୍ଟା ଯିବ ୯୨ କୋଟି ୮ ଲକ୍ଷ ୯୬ ହଜାର ୯୮୨ ଟଙ୍କା

ବଣ୍ଟା ଯିବ ୯୨ କୋଟି ୮ ଲକ୍ଷ ୯୬ ହଜାର ୯୮୨ ଟଙ୍କା

ଚିଟ୍‌ଫଣ୍ଡ ସ୍ବତନ୍ତ୍ର ଅଦାଲତଙ୍କ ରାୟ : ରୋଜ୍‌ଭ୍ୟାଲି ‌ଜମାକାରୀ ଜମାଟଙ୍କା ଫେରି ପାଇବେ

କଟକ : ‌ରୋଜ୍‌ଭ୍ୟାଲି ଗ୍ରୁପର ୨ ଲକ୍ଷ ୩୮ ହଜାର ୪୭୭ ଜଣ କ୍ଷୁଦ୍ର ଜମାକାରୀ ସେମାନଙ୍କ ଜମାଟଙ୍କା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଫେରିପାଇବେ। ଏଥିପାଇଁ କଟକ ସ୍ବତନ୍ତ୍ର ଅଦାଲତ ବିଚାରପତି ଇ.ବି.ରାଓ ନିର୍ଦ୍ଦେଶ ଦେଇଛନ୍ତି।

ରୋଜଭ୍ୟାଲି ଗ୍ରୁପର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତିରୁ ମିିଳିଥିବା ୯୨ କୋଟି ୮ ଲକ୍ଷ ୯୬ ହଜାର ୯୮୨ ଟଙ୍କା ୧୩ ପଇସାକୁ ଚିହ୍ନଟ କରାଯାଇଥିବା ଏହି କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା'ଠାରୁ କମ୍ ନିବେଶ କରିଥିବା ବ୍ୟକ୍ତି)ଙ୍କ ମଧ୍ୟରେ ବଣ୍ଟନ କରିବା ପାଇଁ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୭ ହଜାର ଟଙ୍କା ବା ତା'ଠାରୁ କମ୍ ଟଙ୍କା ରୋଜଭ୍ୟାଲିରେ ନିବେଶ କରିଥିବା ଜମାକାରୀଙ୍କୁ ସେମାନଙ୍କ ଅର୍ଥ ସଂପୂର୍ଣ୍ଣ ଫେରସ୍ତ କରାଯିବ। ସମସ୍ତ ୨ ଲକ୍ଷ ୩୮ ହଜାର ୪୭୭ ଜଣ କ୍ଷୁଦ୍ର ଜମାକାରୀ ସବୁ ଜମାକାରୀଙ୍କୁ ସର୍ବାଧିକ ୭ ହଜାର ଟଙ୍କା ଫେରାଯିବା ପରେ ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ମଧ୍ୟରେ ଯେଉଁମାନଙ୍କ ଜମାରାଶି ରହିଛି ସେମାନଙ୍କ କଥା ବିଚାରକୁ ନିଆଯିବ।
୨ ଲକ୍ଷ ୩୮ ହଜାର ୪୭୭ ମଧ୍ୟରୁ ୩୭ ହଜାର ୭୫୮ ଜଣ ଏପରି ଜମାକାରୀ ଅଛନ୍ତି ଯେଉଁମାନଙ୍କ ଜମା ରାଶି ୭ ହଜାରରୁ ୧୦ ହଜାର ଟଙ୍କା ମଧ୍ୟରେ ରହିଛି। ଏହି ଜମାକାରୀଙ୍କୁ ୭ ହଜାର ଟଙ୍କା ପରେ ସେମାନେ ପାଇବାକୁ ଥିବା ଅବଶିଷ୍ଟ ଟଙ୍କାରୁ ୫୨ ପ୍ରତିଶତ ପ୍ରଦାନ କରାଯିବ ବୋଲି ପ୍ରକାଶିତ ରାୟରେ ସ୍ପ‌ଷ୍ଟ କରାଯାଇଛି।

ଫିଲ୍ଡ ଭେରିଫିକେସନ୍ ଟିମ୍(ଏଫଭିଟି) ଜରିଆରେ ସରକାର ରୋଜଭ୍ୟାଲି ଗ୍ରୁପର ଚିହ୍ନଟ କରିଥିବା ୨ ଲକ୍ଷ ୩୮ ହଜାର ୪୭୭ ଜଣ କ୍ଷୁଦ୍ର ଜମାକାରୀଙ୍କ ଜମାଟଙ୍କା ଫେରସ୍ତ ପାଇଁ ୯୫ କୋଟି ୮୪ ଲକ୍ଷ ୧୨ ହଜାର ୮୯୩ ଆବଶ୍ୟକ ଥିବା ବେଳେ ଏବେ ସୁଦ୍ଧା ସଂସ୍ଥାର ବାଜ୍ୟାପ୍ତି ସଂପତ୍ତିରୁ ୯୨ କୋଟି ୮ ଲକ୍ଷ ୯୬ ହଜାର ୯୮୨ ଟଙ୍କା ୧୩ ପଇସା ମିଳିଥିବାରୁ ‌ଅଦାଲତ ସମାନ ବଣ୍ଟନ ପ୍ରଣାଳୀ‌ ଅନୁସାରେ ଏପରି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ରୋଜଭ୍ୟାଲି ଗ୍ରୁପର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତିରୁ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୨୯ କୋଟି ୯୭ ଲକ୍ଷ ୨ ହଜାର ୬୭୦ ଟଙ୍କା ଓ ୬୨ ‌େକାଟି ୧୧ ଲକ୍ଷ ୯୪ ୩୧୨ ଟଙ୍କା ୧୩ ପଇସା ମିଳିଥିଲା। ରୋଜଭ୍ୟାଲି ଗ୍ରୁପର ୩ ଲକ୍ଷ ୯୭ ହଜାର ୨୭୬ ଜଣ କ୍ଷତିଗ୍ରସ୍ତ ଜାମାକରୀ ବୋଲି ଦାବି କରିଥିବା ବେଳେ ଯାଞ୍ଚ ପରେ ଏହା ୨ ଲକ୍ଷ ୮୫ ହଜାର ୫୪୫ ବୋଲି ଜଣା ପଡିଥିଲା। ଏହି ୨ ଲକ୍ଷ ୮୫ ହଜାର ୫୪୫ ଜଣ ଜମାକାରୀଙ୍କ ଜମାଟଙ୍କା ୨ଶହ ୨୬ କୋଟି ୬୭ ଲକ୍ଷ ୯୧ ହଜାର ୯୧୯ ଟଙ୍କା ୮୫ ପଇସା ବୋଲି ଆକଳନ କରାଯାଇଥିଲା। ଏଥି ମଧ୍ୟରୁ ୨ ଲକ୍ଷ ୩୮ ହଜାର ୪୭୭ ଜଣ କ୍ଷୁଦ୍ର ଜମାକରୀଙ୍କୁ ଓପିଆଇଡି ଆଇନର ଧାରା ୯(୭)ରେ ସମାନ ଭାବେ ଟଙ୍କା ବଣ୍ଟନ କରିବାକୁ ସ୍ବତନ୍ତ୍ର ଅଦାଲତ ମାମଲାର ଚୂଡାନ୍ତ ଶୁଣାଣି କରି ଅନୁମତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe