Sambad English
ରାଉରକେଲା: ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ସଫଳତାର ଆଉ ଏକ ଉପଲବ୍ଧି ହାସଲ କରିଛି। ଟାଇମ୍ସ ହାୟର୍ ଏଜୁକେଶନ ଏସିଆନ୍ ୟୁନିଭର୍ସିଟି ରୢାଙ୍କିଂରେ ରାଉରକେଲା ଏନ୍ଆଇଟି ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ସ୍ଥାନ ଦଖଲ କରିଛି। ଦେଶର ସର୍ବଶ୍ରେଷ୍ଠ ଏନ୍ଆଇଟି ତାଲିକାରେ ପ୍ରଥମ ସ୍ଥାନ ଦଖଲ କରିଛି। ଏହାସହ ଏସିଆର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ୨୦୧-୨୫୦ ବର୍ଗରେ ରହିଛି।
ସେହିଭଳି ଦେଶର ବୈଷୟିକ ଅନୁଷ୍ଠାନ ବର୍ଗରେ ଦ୍ବାଦଶ ସ୍ଥାନ ଏବଂ ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ମଧ୍ୟରେ ୨୬ତମ ସ୍ଥାନରେ ରହିଛି। ଅନୁଷ୍ଠାନର ବିଭିନ୍ନ ଦିଗକୁ ଅନୁଶୀଳନ କରି ଏହି ରୢାଙ୍କିଂ ଦିଆଯାଇଥାଏ। ବିଶେଷକରି ଅନୁଷ୍ଠାନରେ ଶିକ୍ଷାଦାନର ମାନ, ଗବେଷଣା, ଜ୍ଞାନର ଆଦାନପ୍ରଦାନ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ବିଭିନ୍ନ ଦିଗକୁ ତର୍ଜମା କରାଯାଇଥାଏ। ଏ ନେଇ ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର ଅନୀମେଶ ବିଶ୍ବାସ କହିଛନ୍ତି, ଅନୁଷ୍ଠାନର ପ୍ରତ୍ୟେକ ସଦସ୍ୟଙ୍କ ନିଷ୍ଠାପର ପରିଶ୍ରମ ତଥା ସମ୍ମିଳିତ ପ୍ରୟାସ ବଳରେ ଏହି ସଫଳତା ମିଳିପାରିଛି।
ଅନୁଷ୍ଠାନ ବିଭିନ୍ନ ସମୟରେ ଜ୍ଞାନର ଆଦାନପ୍ରଦାନ ଓ ଗବେଷଣାକୁ ପ୍ରାଧାନ୍ୟ ଦେଇଆସିଛି। ବିଶେଷକରି ଗବେଷଣା କ୍ଷେତ୍ରରେ ଅନୁଷ୍ଠାନ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ଲାଭକରିଛି। ଗବେଷଣାକୁ ବ୍ୟାପକ ଓ ତ୍ବରାନ୍ବିତ କରିବାକୁ ଅନୁଷ୍ଠାନରେ ୧୧ଟି ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି। ସଂପ୍ରତି ଇସ୍ରୋ ସହ ମିଳିତ ଆନୁକୂଲ୍ୟରେ ସ୍ପେସ୍ ଟେକ୍ନୋଲୋଜି ଇନ୍କ୍ୟୁବେସନ ସେଣ୍ଟର୍ (ଏସ୍-ଟିଆଇସି) ସ୍ଥାପନ କରାଯାଉଛି। ଏହି ସଫଳତା ଆଗାମୀ ଦିନରେ ଅଧିକରୁ ଅଧିକ ଉତ୍କୃଷ୍ଟତା ହାସଲ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।
Follow Us