ୟୁକ୍ରେନ୍‌ରେ ଫସିଥିବା ଛାତ୍ରଛାତ୍ରୀଙ୍କ ପ୍ରତୀକ୍ଷାର ଅନ୍ତ ଘଟୁଛି, ପହଞ୍ଚିଲେଣି ୧୫ରୁ ଅଧିକ

Advertisment

ଏବେବି ପୋଲାଣ୍ଡ୍‌/ରୋମାନିଆ ସୀମାରେ ଅଛନ୍ତି ଛାତ୍ରଛାତ୍ରୀ

ଏବେବି ପୋଲାଣ୍ଡ୍‌/ରୋମାନିଆ ସୀମାରେ ଅଛନ୍ତି ଛାତ୍ରଛାତ୍ରୀ

ୟୁକ୍ରେନ୍‌ରେ ଫସିଥିବା ଛାତ୍ରଛାତ୍ରୀଙ୍କ ପ୍ରତୀକ୍ଷାର ଅନ୍ତ ଘଟୁଛି, ପହଞ୍ଚିଲେଣି ୧୫ରୁ ଅଧିକ

ରାଉରକେଲା: ୟୁକ୍ରେନ୍‌ରେ ଫସିରହିଥିବା ଜିଲ୍ଲାର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କ ପ୍ରତୀକ୍ଷା ଅନ୍ତ ହେବାରେ ଲାଗିଛି। ରାଉରକେଲାର ପ୍ରାୟ ୧୦ରୁ ଅଧିକ ଛାତ୍ରଛାତ୍ରୀ ନିଜ ନିଜ ଘରେ ପହଞ୍ଚସାରିଥିବାବେଳେ ଆଉ ୪ ଜଣ ସୋମବାର ପହଞ୍ଚିବେ। ତେବେ ଏବେ ବି ପୋଲାଣ୍ଡ୍‌, ରୋମାନିଆ, ହଙ୍ଗେରୀ ସ୍ଥିତ ଆଶ୍ରୟସ୍ଥଳୀରେ କିଛି ରହିଯାଇଛନ୍ତି। ଏହି ଛାତ୍ରଛାତ୍ରୀ ଗତ ୩ ଦିନ ହେଲା ଆଶ୍ରୟସ୍ଥଳୀରେ ପହଞ୍ଚିସାରିଥିବାବେଳେ ଏଯାଏଁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିପାରିନାହାନ୍ତି।

ଏଯାଏଁ ପୋଲାଣ୍ଡ୍‌, ରୋମାନିଆ, ହଙ୍ଗେରୀ ଆଶ୍ରୟସ୍ଥଳୀରେ ଖାର୍କିକ୍‌ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟି ପ୍ରଥମ ବର୍ଷର ରାଉରକେଲାର ୪ ଜଣ ଛାତ୍ରୀଛାତ୍ରୀ ଅଛନ୍ତି। ପୋଲାଣ୍ଡ୍‌ରେ ଶାଶ୍ବତୀ ସ୍ବାଇଁ ତାଙ୍କର ସହପାଠୀ ଭଦ୍ରକର ଅର୍ଚ୍ଚନା କରଙ୍କ ସହ ଥିବାବେଳେ ରୋମାନିଆରେ ପ୍ରଥମ ବର୍ଷର ପ୍ରୀତମ ମହନ୍ତ, ଶୁଭଶ୍ରୀ ସାହୁ ଓ ପ୍ରତୀକ୍ଷା ସାମଲ ଅଛନ୍ତି। ଶାଶ୍ବତୀ ଗତ ୩ ଦିନ ହେଲା ପୋଲାଣ୍ଡ୍‌ ଆଶ୍ରୟସ୍ଥଳୀରେ ଅଛନ୍ତି। ସେ ଗତ ୨ ତାରିଖ ସକାଳ ପ୍ରାୟ ୧୦ଟାରେ ଖାର୍କିଭ୍‌‌ରୁ ଟ୍ରେନ୍‌ରେ ୨୪ ଘଣ୍ଟାର ଯାତ୍ରାପରେ ଲିଭିଭ୍‌ ସହରରେ ପହଞ୍ଚିଥିଲେ। ସେଠାରୁ ପୁଣି ୨ ଘଣ୍ଟା ଯାତ୍ରା କରି ପୋଲାଣ୍ଡ୍‌ ବର୍ଡର୍‌ରେ ପହଞ୍ଚିଥିଲେ। ତେବେ ସୀମା ପାର୍‌ ହେବାକୁ ତାଙ୍କୁ ପ୍ରାୟ ୬ ଘଣ୍ଟା ଲାଗିଯାଇଥିଲା। ପରେ ଭାରତୀୟ ଦୂତାବାସ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ଆଶ୍ରୟ କେନ୍ଦ୍ରରେ ଅଛନ୍ତି।

ଗତ ତିନ ଦିନ ହେଲା ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିପାରୁନାହାନ୍ତି। ଆଜି ସନ୍ଧ୍ୟାରେ ସେମାନଙ୍କୁ ସ୍ବତନ୍ତ୍ର ବିମାନରେ ଅଣାଯିବାର ସମ୍ଭାବନା ରହିଛି। ଅପରପକ୍ଷରେ ଟ୍ରେନ୍‌ରେ ଚଢ଼ିପାରିନଥିବା ପ୍ରତୀମ, ଶୁଭଶ୍ରୀ ଓ ପ୍ରତୀକ୍ଷାଙ୍କ ଯାତନା କିନ୍ତୁ ବଢ଼ିଯାଇଛି। ସେମାନେ ଗତ ୨ ତାରିଖରୁ ଖାର୍କିଭ୍‌ ରେଳ ଷ୍ଟେସନରେ ପହଞ୍ଚିଥିଲେ ମଧ୍ୟ ସେମାନଙ୍କୁ ଚଢ଼ିବାକୁ ଦିଆଯାଇନଥିଲା। ୟୁକ୍ରେନ୍‌ ସେନା ନିଜ ନାଗରିକଙ୍କୁ ପ୍ରାଥମିକତା ଦେବାରୁ ଏମାନେ ଟ୍ରେନ୍‌ରେ ଆସିପାରିନଥିଲେ। ଦିନସାରା ଷ୍ଟେସନରେ ରହି ଟ୍ରେନ୍‌ରେ ଚଢ଼ିବାକୁ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ସେତେବେଳକୁ ରୁଷର ଆକ୍ରମଣ ପ୍ରଚଣ୍ଡହେବାରୁ ସମସ୍ତଙ୍କୁ ଯଥାଶୀଘ୍ର ଖାର୍କିଭ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ମୁତାବକ ସେମାନେ ଚାଲିଚାଲି ୧୫ କିଲୋମିଟର ଦୂର ପେସୋଚିନ୍‌ରେ ପହଞ୍ଚିଥିଲେ। ତା’ପରଦିନ, ଅର୍ଥାତ୍‌ ୩ ତାରିଖ ସନ୍ଧ୍ୟାରୁ ସେମାନଙ୍କୁ ବସ୍‌ ଯୋଗେ ରୋମାନିଆକୁ ଅଣାଯାଇଥିଲା। ପ୍ରାୟ ୫୨ ଘଣ୍ଟାର ବସ୍‌ଯାତ୍ରା ପରେ ସେମାନେ ଗତକାଲି ରାତି ୯ଟାରେ ବର୍ଡରରେ ପହଞ୍ଚିଥିଲେ। ପ୍ରାୟ ୨/୩ ଘଣ୍ଟାର ପ୍ରତିକ୍ଷା ପରେ ସୀମା ପାର୍‌ ହୋଇ ଆଶ୍ରୟସ୍ଥଳୀରେ ପହଞ୍ଚିଥିଲେ। ଏହି ତିନିଜଣଙ୍କ ବ୍ୟତିତ ଆହୁରି ଅନେକ ଛାତ୍ରଛାତ୍ରୀ ପୋଲାଣ୍ଡ୍‌, ହଙ୍ଗେରୀ, ରୋମାନିଆ ଆଶ୍ରୟସ୍ଥଳରେ ଏବେ ବି ଭାରତ ଫେରିବାକୁ ଚାହିଁବସିଥିବା ସୂଚନା ମିଳିଛି।

ପ୍ରକାଶଥାଉକି, ଇତିମଧ୍ୟରେ ଜିଲ୍ଲାର ବିଭିନ୍ନ ଛାତ୍ର ସୁରକ୍ଷିତଭାବେ ଜନ୍ମମାଟିକୁ ଫେରିଆସିଲେଣି। ସେମାନେ ହେଉଛନ୍ତି ବାଲିଶଙ୍କରା ବ୍ଲକ କିଞ୍ଜିରିକେଲାର ସ୍ମୃତି କୁଜୁର(ପ୍ରଥମ ବର୍ଷ), ରାଉରକେଲାର ସାକିବ୍‌ ଖାନ(ପ୍ରଥମ ବର୍ଷ), ସ୍ଥାନୀୟ ଆନନ୍ଦ ଭବନ ଲେନ୍‌ ଉମର କଲୋନିର ଜିଶାନ ଅହମଦ(ଦ୍ବିତୀୟ ବର୍ଷ), ଅଜିତ୍‌ ବେହେରା(ପଞ୍ଚମ ବର୍ଷ), ସଂଘମିତ୍ରା ମିଶ୍ର(ଦ୍ବିତୀୟ ମିଶ୍ର), ଓଏଶୀଖା ଚକ୍ରବର୍ତ୍ତୀ(ଦ୍ବିତୀୟ ବର୍ଷ), ପ୍ରତିକ ସେଠୀ(ତୃତୀୟ ବର୍ଷ), ଅର୍ଚ୍ଚନା ଲେଙ୍କା(ପଞ୍ଚମ ବର୍ଷ) ପ୍ରମୁଖ ସୁରକ୍ଷିତଭାବେ ନିଜ ନିଜ ଘରକୁ ଫେରିଆସିଲେଣି। ସେହିଭଳି ସଲୋନୀ ଜେନା(ପଞ୍ଚମ ବର୍ଷ), ସ୍ମୃତିଶ୍ରୀ ପତି(ଷଷ୍ଠ ବର୍ଷ), ପ୍ରିୟଙ୍କା ପଣ୍ଡା ପ୍ରମୁଖ ଭୁବନେଶ୍ବରରୁ ଘର ଅଭିମୁଖେ ବାହାରିଥିବା ସୂଚନା ଦେଇଛନ୍ତି।

ବର୍ଡର୍‌ ପାର୍‌ ହେବାକୁ ଦହଗଞ୍ଜ ହେବାକୁ ପଡ଼ିଥିଲା: ଅର୍ଚ୍ଚନା ଲେଙ୍କା(ପଞ୍ଚମ ବର୍ଷ)
‘ଯୁଦ୍ଧ ଭିତରୁ ସୁରକ୍ଷିତଭାବେ ଘରକୁ ପହଞ୍ଚିଥିବାରୁ ବହୁତ ଖୁସି ଅନୁଭବ କରୁଛି। ତେବେ ଯୁଦ୍ଧ ସମୟର ଅଭିଜ୍ଞତା ବେଶ୍‌ ଭୟାବହ ଥିଲା। ୨୪ ତାରିଖରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ୨ ତାରିଖରେ ବର୍ଡର୍‌ ପାର୍‌ ହେବା ପର୍ଯ୍ୟନ୍ତ, ସବୁବେଳେ ବୋମାମାଡ଼, ମିସାଇଲ୍‌ ମାଡ଼ର ଶବ୍ଦ ଶୁଭୁଥିଲା। ବର୍ଡର୍‌ ପାର୍‌ ହେବାକୁ ବି ବେଶ୍‌ ଦହଗଞ୍ଜ ହେବାକୁ ପଡ଼ିଥିଲା। ଖାଦ୍ୟପେୟଠାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ; ଯାବତୀୟ ସମସ୍ୟାର ସମ୍ମୁଖୀନ ହୋଇଥିଲି।

ଶୁଖିଲା ଖାଦ୍ୟରେ ବଙ୍କ୍‌ର ଭିତରେ ବିତିଲା ୫ ଦିନ: ସଂଘମିତ୍ରା ମିଶ୍ର(ଦ୍ବିତୀୟ ବର୍ଷ)
‘ମୁଁ ଯୁଦ୍ଧ ଭିତରେ ୫ ଦିନ କାଟିଥିଲି। ପ୍ରଥମ ଦୁଇଦିନ ମେଟ୍ରୋ ଷ୍ଟେସନରେ ଓ ବାକି ୩ ଦିନ ବଙ୍କର୍‌ ଭିତରେ ରହିଥିଲି। କେବଳ ଶୁଖିଲା ଖାଦ୍ୟରେ ୫ ଦିନ କଟିଥିଲା। ମୌଳିକ ସୁବିଧା ବି ମିଳୁନଥିଲା। ଠେଲାପେଲା ଭିତରେ ଆତଙ୍କିତ ଅବସ୍ଥାରେ ଆମେ ରହିଥିଲୁ। ଯେ କୌଣସି ସମୟରେ ଅଘଟଣ ଘଟିବା ଆଶଙ୍କା ଲାଗିରହୁଥିଲା। ପ୍ରକୃତରେ ଉକ୍ତ ୫ ଦିନ ଯାହାସବୁ ଭୋଗିଛୁ, ତାହା ଅବର୍ଣ୍ଣନୀୟ। ଏସବୁ ଭିତରେ ଏବେ କ୍ୟାରିଅର୍‌ ଚିନ୍ତା ଘାରିଛି। କ’ଣ କରିବୁ, କେମିତି ପାଠପଢ଼ା ହେବ ସେସବୁ ଅନିଶ୍ଚିତତା ଭିତରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe