ବୁଡ଼ିଲା ରାଉରକେଲା ସ୍ମାର୍ଟସିଟି: ୨୦୦ରୁ ଅଧିକ ଘରେ ପଶିଲା ପାଣି, ଦିଶିଲାନି ରେଳ‌ଷ୍ଟେସନ୍‌ର ପ୍ରବେଶପଥ

Advertisment

ବିଳମ୍ବିତ ରାତିରୁ ବିଜୁଳି, ଘଡ଼ଘଡ଼ି ସହ ମୂଷଳଧାରା ବର୍ଷାରେ ବେହାଲ ହୋଇ ଯାଇଥିଲା ସ୍ମାର୍ଟସିଟି। କଲୋନିଠୁ ବସ୍ତି, ମୁଖ୍ୟରାସ୍ତାଠୁ ଗଳିକନ୍ଦି; ସବୁଠି ସୃଷ୍ଟି ହୋଇଥିଲା କୃତ୍ରିମ ବନ୍ୟା। କେଉଁଠି ଛାତିଏ ତ ଅନ୍ୟ କେଉଁଠି ଆଣ୍ଠୁଏ ଲେଖାଁ ପାଣି ଜମି ରହିଥିଲା।

ବିଳମ୍ବିତ ରାତିରୁ ବିଜୁଳି, ଘଡ଼ଘଡ଼ି ସହ ମୂଷଳଧାରା ବର୍ଷାରେ ବେହାଲ ହୋଇ ଯାଇଥିଲା ସ୍ମାର୍ଟସିଟି। କଲୋନିଠୁ ବସ୍ତି, ମୁଖ୍ୟରାସ୍ତାଠୁ ଗଳିକନ୍ଦି; ସବୁଠି ସୃଷ୍ଟି ହୋଇଥିଲା କୃତ୍ରିମ ବନ୍ୟା। କେଉଁଠି ଛାତିଏ ତ ଅନ୍ୟ କେଉଁଠି ଆଣ୍ଠୁଏ ଲେଖାଁ ପାଣି ଜମି ରହିଥିଲା।

shfssfhbvxx

ରାଉରକେଲା: ବିଳମ୍ବିତ ରାତିରୁ ବିଜୁଳି, ଘଡ଼ଘଡ଼ି ସହ ମୂଷଳଧାରା ବର୍ଷାରେ ବେହାଲ ହୋଇ ଯାଇଥିଲା ସ୍ମାର୍ଟସିଟି। କଲୋନିଠୁ ବସ୍ତି, ମୁଖ୍ୟରାସ୍ତାଠୁ ଗଳିକନ୍ଦି; ସବୁଠି ସୃଷ୍ଟି ହୋଇଥିଲା କୃତ୍ରିମ ବନ୍ୟା। କେଉଁଠି ଛାତିଏ ତ ଅନ୍ୟ କେଉଁଠି ଆଣ୍ଠୁଏ ଲେଖାଁ ପାଣି ଜମି ରହିଥିଲା। ପ୍ରାୟ ୨୦୦ରୁ ଅଧିକ ଘରେ ବର୍ଷା ଓ ଡ୍ରେନ୍‌ ପାଣି ପଶିବା ଫଳରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ବସ୍‌, ଟ୍ରକ, ଅଟୋ, ବାଇକ୍‌ ଓ ଅନ୍ୟ ଗାଡ଼ିଗୁଡ଼ିକ ପାଣିରେ ବୁଡ଼ି ରହିଥିଲା। ବର୍ଷାଜଳ ନି‌ଷ୍କାସନ ହୋଇ ନ ପାରିବାରୁ ବୁଡ଼ିଯାଇଥିଲା ରାଉରକେଲା ରେଳ ଷ୍ଟେସନ୍‌ର ଦ୍ବିତୀୟ ପ୍ରବେଶପଥ। କେବଳ ଦେଖାଯାଉଥିଲା ବାଇକ୍‌ର ହ୍ୟାଣ୍ଡଲ, କାର୍‌ ଓ ଅଟୋର ଛାତ। ଟିସିଆଇରୁ କଲୁଙ୍ଗାକୁ ଯାଇଥିବା ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିଲା। ଦଣ୍ଡିଆପାଲି, ବିଶ୍ବକର୍ମାବିହାର, ଦୟାନନ୍ଦନଗର, ମାଲଗୋଦାମ, ଗାନ୍ଧୀରୋଡ୍‌, ମଛଲିମାର୍କେଟ୍‌ ବସ୍ତି, ରେଲୱେ କଲୋନି ପରିସରସ୍ଥିତ ଇନ୍ଦିରାନଗର ଏମିତି ଅନେକ ବସ୍ତିରେ ବର୍ଷାଜଳ ଲହଡ଼ି ମାରିଥିଲା। 

୨୦୦ରୁ ଅଧିକ ଘରେ ପଶିଲା ପାଣି
ଦିଶିଲାନି ରେଳ‌ଷ୍ଟେସନ୍‌ର ପ୍ରବେଶପଥ
ବୁଡ଼ିଗଲା ଶତାଧିକ କାର୍‌, ଅଟୋ ଓ ବାଇକ୍‌
ଫୁଲିଲା ବ୍ରାହ୍ମଣୀ, ମନ୍ଦିରା ଡ୍ୟାମ୍‌ର ୯ ଗେଟ୍‌ ଖୋଲା 

ଉଦିତନଗର ସାରନାଛକରୁ ତରକେରା ପର୍ଯ୍ୟନ୍ତ ରାସ୍ତାରେ ଅଣ୍ଟାଏ ଲେଖାଏଁ ପାଣି ଜମି ଏକପ୍ରକାର କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି ହୋଇଥିଲା। ଶୀତଳପଡ଼ା, ଇନ୍ଦିରାନଗର, ସେକ୍ଟର-୧୯ ଆମ୍ବାଗନ୍‌ ମାର୍କେଟ୍‌ରେ କିଛି କଚାଘର ଭାଙ୍ଗିଯାଇଛି। ବିର୍ସା ମୁଣ୍ଡା ଛକ ନିକଟ ସିଆଇଏସ୍‌ଏଫ୍‌ ଇଏସ୍‌ଆଇ ଡିସ୍‌ପେନ୍‌ସାରି ଭିତରେ ଓ ବାହାରେ ବର୍ଷା ପାଣି ପ୍ରବାହିତ ହେବା ଫଳରେ ଲକ୍ଷାଧିକ ଟଙ୍କାର ଔଷଧ ଭିଜି ନଷ୍ଟ ହୋଇଯାଇଛି। ଇସ୍ପାତ ସହରାଞ୍ଚଳର ଅଧିକାଂଶ କ୍ବାର୍ଟର୍ସରେ ମଧ୍ୟ ବର୍ଷା ପାଣି ପଶିଥିଲା। ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ଜଳସ୍ତର ବଢ଼ିବା ପରେ ମନ୍ଦିରା ଡ୍ୟାମର ୯ଟି ଗେଟ୍‌ ଖୋଲାଯାଇଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ୍‌ ମହାଜନ, ରାଉରକେଲା ମହାନଗର ନିଗମ କମିସନର ଆଶୁତୋଷ କୁଲକର୍ଣ୍ଣି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଲୋକମାନଙ୍କୁ ସହାୟତା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ତରଫରୁ ନାଲାରୋଡ୍‌, ମାଲଗୋଦାମ, ଟୁଙ୍ଗରୀଟୋଲା ଅଞ୍ଚଳର ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ପାନପୋଷ ତହସିଲ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ପଲିଥିନ୍‌ ବଣ୍ଟନ କରାଯାଇଥିବା ବେଳେ ପମ୍ପ ଯୋଗେ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe