ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ ପୁଣି ଅଚଳ

Advertisment

୧୨ ଘଣ୍ଟା ଧରି ଉତ୍ପାଦନ ବ୍ୟାହତ, କ୍ଷତି ୧୦ କୋଟି

୧୨ ଘଣ୍ଟା ଧରି ଉତ୍ପାଦନ ବ୍ୟାହତ, କ୍ଷତି ୧୦ କୋଟି

ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ ପୁଣି ଅଚଳ

ରାଉରକେଲା : ଭୋର୍‌ ୪ଟା ବେଳେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି)ର ୨୩ ନମ୍ବର ଟ୍ୟୁୟର୍‌ ବ୍ଲୋ ପାଇପ୍‌ ଫାଟିଯିବାରୁ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ ‘ଦୁର୍ଗା’କୁ କର୍ତ୍ତୃପକ୍ଷ ୧୨ ଘଣ୍ଟା ଅଚଳ ରଖିବାକୁ ବାଧ୍ୟ ହୋଇଥିଲେ। ଏଥି ସହ ଦୁର୍ଗା ଉପରେ ନିର୍ଭରଶୀଳ ପୁରୁଣା ପ୍ଲେଟ୍‌ ମିଲ୍‌ (ଓପିଏମ୍‌)ର ଉତ୍ପାଦନ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିବା ବେଳେ ନ୍ୟୁ ପ୍ଲେଟ୍‌ ମିଲ୍‌ (ଏନ୍‌ପିଏମ୍‌)କୁ ୫୦% ଉତ୍ପାଦନ କ୍ଷମତାରେ ଚଳାଯାଇଥିଲା। ଅପରାହ୍ନ ୪ଟାରେ ଆବଶ୍ୟକ ମରାମତି ପରେ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫କୁ କାର୍ଯ୍ୟକ୍ଷମ କରାଯାଇଛି। ତେବେ ଏହା ପ୍‌ର୍ଣ୍ଣ ଉତ୍ପାଦନ କ୍ଷମତା (ଦୈନିକ ୮୦୦୦ ଟନ୍‌)କୁ ଫେରିବା ପାଇଁ ନିହାତି ଆଉ ୨୪ ଘଣ୍ଟା ଲାଗିବ। ଏହି ଦୁର୍ଘଟଣା ଯୋଗୁଁ ଆଜି ଦୁର୍ଗାର ଉତ୍ତପ୍ତ ଧାତବ (ହଟ୍‌ ମେଟାଲ୍‌) ଉତ୍ପାଦନ ପ୍ରାୟ ୪୦୦୦ ଟନ୍‌ ହ୍ରାସ ପାଇଥିବା ବେଳେ ଏହା ଉପରେ ନିର୍ଭରଶୀଳ ଓପିଏମ୍‌ ଓ ଏନ୍‌ପିଏମ୍‌ର ଉତ୍ପାଦନ କ୍ଷତିକୁ ହିସାବ କଲେ ପ୍ରାୟ ୧୦ କୋଟି ଟଙ୍କାର କ୍ଷତି ହୋଇଛି। ଶ୍ରମିକ, କର୍ମଚାରୀ ଓ କାର୍ଯ୍ୟନିର୍ବାହୀଙ୍କ ମିଳିତ ଉଦ୍ୟମରେ ଆର୍‌ଏସ୍‌ପି କାର୍ଯ୍ୟକାରୀ ଲାଭ (ଅପରେସନାଲ୍‌ ପ୍ରଫିଟ୍‌) ଦିଗରେ ଅଗ୍ରସର ହେଉଥିବା ବେଳେ ଉଚ୍ଚସ୍ତରୀୟ ପରିଚାଳନା ତ୍ରୁଟିରୁ ନିୟମିତ ବ୍ୟବଧାନରେ ଘଟୁଥିବା ଏଭଳି ଦୁର୍ଘଟଣା କର୍ମଚାରୀ ମହଲକୁ ନିରାଶ କରୁଛି।

ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌)ର ୬୫ ହଜାର କୋଟି ଆଧୁନିକୀକରଣ ଓ ସମ୍ପ୍ରସାରଣ (ଏମ୍‌ଇପି)ରେ ଆର୍‌ଏସ୍‌ପି ଆଧୁନିକୀକରଣ ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ ସେଥିରୁ ପ୍ରାୟ ୩୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ଦେଶର ସର୍ବ ବୃହତ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ ‘ଦୁର୍ଗା’। ୨୦୧୫ ଏପ୍ରିଲ୍‌ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଗସ୍ତରେ ଆସି ‘ଦୁର୍ଗା’କୁ ଲୋକାର୍ପିତ କରିଥିଲେ। ଗତ ଅଢ଼େଇ ବର୍ଷ ମଧ୍ୟରେ ‘ଦୁର୍ଗା’ ପ୍ରାୟ ୨୫ ଥର ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷ ଆରମ୍ଭ (ଏପ୍ରିଲ୍‌ ୧)ରୁ ଆଜି ପର୍ଯ୍ୟନ୍ତ ୫ଥର ଅଚଳ ହେଲାଣି। ଏହି କାରଣରୁ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ରୁ ମୋଟ ୩୨ ଦିନ ଉତ୍ପାଦନ ବନ୍ଦ ହୋଇଛି। ଏମ୍‌ଇପିରେ ନିମ୍ନ ମାନର କାମ, ଚଢ଼ା ଦାମରେ ନିମ୍ନ ମାନର ଯନ୍ତ୍ରାଂଶ କ୍ରୟ ଓ ଧାର୍ଯ୍ୟ ସମୟର ବହୁ ବିଳମ୍ବରେ ପ୍ରକଳ୍ପ କାର୍ଯ୍ୟ ଆଦି ଅନିୟମିତତା ହୋଇଥିବା ନେଇ କମ୍ପଟ୍ରୋଲର୍‌ ଆଣ୍ଡ ଅଡ଼ିଟର ଜେନେରାଲ୍‌ (ସିଏଜି) ୨୦୧୫ ରିପୋର୍ଟ ନଂ-୨୩ରେ ଗୁରୁତର ଆପତ୍ତି ଉଠାଇଥିଲେ ମଧ୍ୟ ଏଥିପାଇଁ ସେଲ୍‌ କର୍ତ୍ତୃପକ୍ଷ କାହାକୁ ଉତ୍ତରଦାୟୀ ନକରି ଚୁପ୍‌ ରହିଛନ୍ତି। ତେବେ ଦୁର୍ଗା ଓ ଏହାର ଆନୁଷଙ୍ଗିକ ଶାଖାରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଘଟିବା ସିଏଜିଙ୍କ ଆପତ୍ତିକୁ ଦୃଢ଼ୀଭୂତ କରୁଛି ବୋଲି ବିଭିନ୍ନ ଟ୍ରେଡ୍‌ ୟୁନିୟନ୍‌ର ନେତାମାନେ ପ୍ରତିକ୍ରିୟା ବ୍ୟକ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe