ରାଉରକେଲାରେ ପରିବା ଦର ଆକାଶ ଛୁଆଁ, ସୀମାରେ ଅଟକିଛି ଅତ୍ୟାବଶ୍ୟକ ସାମଗ୍ରୀ ଲୋଡିଂ ଟ୍ରକ୍

ଭିଡ଼ ଏଡ଼ାଇବାକୁ ଦୁଇଟି ପର୍ଯ୍ୟାୟରେ ହୋଲସେଲ ମାର୍କେଟ ଖୋଲିବାକୁ ନିର୍ଦେଶ

ରାଉରକେଲାରେ ପରିବା ଦର ଆକାଶ ଛୁଆଁ, ସୀମାରେ ଅଟକିଛି ଅତ୍ୟାବଶ୍ୟକ ସାମଗ୍ରୀ ଲୋଡିଂ ଟ୍ରକ୍

ରାଉରକେଲା: ଲକ ଡାଉନର ତୃତୀୟ ଦିନରେ ସହରର ଖାଁ ଖାଁ ରହିଛି l ଗତକାଲି ପୁଲିସର ତାଗିଦ ପରେ ଭୟ ଲୋକେ ଘରୁ ବାହାରୁ ନାହାନ୍ତି l କିନ୍ତୁ ପରିବା ହାଟ, ରାସନ ଦୋକାନରେ ଅନ୍ୟ ଦିନ ଅପେକ୍ଷା ଲୋକଙ୍କ ବେଶ ଭିଡ଼ ଜମୁଛି l ଲୋକଙ୍କ ଭିଡକୁ ଦେଖି ବେପାରୀମାନେ କଳାବଜାରୀ ଆରମ୍ଭ କରି ଦେଇଛନ୍ତି l

ପରିବା ଦର ଆକାଶ ଛୁଆଁ ରହିଛିl ସଜନା ଛୁଇଁ କିଲୋ ପ୍ରତି ୧୦୦ ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି l କଲରା କିଲୋ ୬୦ ରୁ ୮୦ଟଙ୍କା, ବାଇଗଣ ୩୦ ଟଙ୍କା, ଭେଣ୍ଡି ୮୦ ଟଙ୍କା, ପୋଟଳ ୧୦୦ଟଙ୍କା, କୁନ୍ଦୁରି ୫୦ ଟଙ୍କା, କାକୁଡି ୩୦ ଟଙ୍କା,ଵିନ୍ ୪୦ଟଙ୍କାରେ ବିକ୍ରି ହେଉଛି l ସେହିପରି ଆଳୁ କିଲୋ ୨୪ରୁ ୨୬ ଟଙ୍କା, ପିଆଜ ୨୫ରୁ ୩୦ ଟଙ୍କା, ହରଡ଼ ଡାଲି କିଲୋ ୧୧୦ ଟଙ୍କା ବିକ୍ରି ହେଉଛି l ଅଟା ୫କିଲୋ ପ୍ୟାକେଟରେ ଅଧିକ ୧୦ ଟଙ୍କା, ଚାଉଳ ପ୍ୟାକେଟରେ ଅଧିକ ୫୦ ଟଙ୍କା ଗ୍ରାହକଙ୍କଠାରୁ ନିଆ ଯାଉଛି l

ସେପଟେ ହୋଲସେଲ ଦୋକାନ ଗୁଡ଼ିକରେ ସାମାଜିକ ଦୂରତ୍ୱ ରଖିବାକୁ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ କଡ଼ା ପଦକ୍ଷେପ ନେଇଛି l ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା, ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ସହରର ୨୦ଜଣ ଆଳୁ, ପିଆଜ , ଡାଲି , ଅଟା, ତେଲ ହୋଲସେଲର ବ୍ୟବସାୟୀଙ୍କୁ ନେଇ ବୈଠକ କରିଛନ୍ତି l ପ୍ଲାଣ୍ଟସାଇଟ,ଡେଲି ମାର୍କେଟ, ଓ଼ଲ୍ଡ ଷ୍ଟେସନ,ଡିଙ୍ଗୋଡେନା ହୋଲସେଲ ମାର୍କେଟ ଦୁଇଟି ପର୍ଯ୍ୟାୟ ଖୋଲିବାକୁ ସମସ୍ତ ହୋଲସେଲ ବ୍ୟବସାୟୀଙ୍କୁ ନିର୍ଦେଶ ଦେଇଛନ୍ତି l ପ୍ରଥମ ପର୍ଯ୍ୟାୟ ସକାଳ ୮ଟା ରୁ ସାଢେ ୧୨ଟା, ଦ୍ୱିତୀୟ ପର୍ଯ୍ୟାୟ ସାଢେ ୧୨ଟା ରୁ ସନ୍ଧ୍ୟା ୫ଟା ସମୟ ଧାର୍ଯ୍ୟ କରାଯାଇଛି l

publive-image ଅନ୍ୟ ପଟେ ସହରକୁ ଆସୁଥିବା ସମସ୍ତ ଆଳୁ,ପିଆଜ, ଚାଉଳ, ଡାଲି ଟ୍ରକ୍ ଓଡିଶା ସୀମା ଝାରଖଣ୍ଡ, ଛତିଶଗଡ, ପଚିମବଙ୍ଗରେ ଅଟକି ରହିଥିବାରୁ ଯୋଗାଣ ବିଭାଗର ଚିନ୍ତା ବଢ଼ି ଯାଇଛି l ଜିଲ୍ଲାପାଳ ଉଚ୍ଚସ୍ତରୀୟ ବୈଠକ ଡାକି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ଏହି ବିବାଦର ସମାଧାନ ହୋଇଯିବ ବୋଲି ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଟୁଡୁ କହିଛନ୍ତି l ସହରବାସୀଙ୍କ ପାଇଁ ଆବଶ୍ୟକ ଅତ୍ୟାବଶକ ସାମଗ୍ରୀ ମହଜୁଦ ଅଛି l ଏଥି ପାଇଁ ସହରବାସୀ ଭୟ ନ କରିବାକୁ ସେ ଅନୁରୋଧ କରିଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe