ରାଉରକେଲା: ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କରେ ଜାଲ୍‌ ଆକାଉଣ୍ଟ୍‌, କଲେଜ ଛାତ୍ର ଓ ଠିକା ଶ୍ରମିକଙ୍କ ନାଁରେ ୪୨ କୋଟି ଜିଏସ୍‌ଟି ଠକେଇ

Advertisment
ଜିଏସଟି ରାଜସ୍ବ ଉପରେ କରୋନା ମାଡ଼, ମେ' ମାସରେ ୧ଲକ୍ଷ ୨ ହଜାର କୋଟିକୁ କମିଲା

ETNOW

ରାଉରକେଲା: ରାଉରକେଲା ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ ଜାଲ ଆକାଉଣ୍ଟ୍‌ ଓ ଜିଏସ୍‌ଟି ଠକଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଏହି ବ୍ୟାଙ୍କରେ ଏକାଧିକ ଜାଲ୍‌ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଜିଏସ୍‌ଟି ଅର୍ଥ ହଡ଼ପ କରିନେଇଛନ୍ତି ଠକ ଦଳ। କେବଳ ଠିକା ଶ୍ରମିକ ଯାମିନିକାନ୍ତ ନାୟକ, ବିଶ୍ବଜିତ ତାଣ୍ଡିଆ ନୁହନ୍ତି, ବରଂ ବହୁସଂଖ୍ୟକ ଶ୍ରମିକ, ଛାତ୍ରଛାତ୍ରୀ, ରିକ୍ସା ଚାଳକ, ପରିବା ଦୋକାନୀ, ଫଳ ଦୋକାନୀଙ୍କ ଜାଲ୍ ପ୍ରମାଣପତ୍ରରେ ଆକାଉଣ୍ଟ୍‌ ଖୋଲାଯାଇଛି।

ଏବେ ସହରର ଜଣେ କଲେଜ ଛାତ୍ର ଓ ଜଣେ ଆର୍‌ଏସ୍‌ପି ଠିକା ଶ୍ରମିକଙ୍କ ନାଁରେ ଅର୍ବାନ ବ୍ୟାଙ୍କରେ ଆକାଉଣ୍ଟ୍‌ ଖୋଲି ନକଲି କମ୍ପାନି ପ୍ରାୟ ୪୧ କୋଟି ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି, ଯାହାକି ପୁଣିଥରେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କ  ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଠକ ଦଳଙ୍କ ସହ ସଂପୃକ୍ତି ସନ୍ଦେହକୁ ଦୃଢ଼ୀଭୂତ କରୁଛି ।

ବାସନ୍ତୀ କଲୋନିର ଏକ ବସ୍ତି ଅଞ୍ଚଳରେ ରହନ୍ତି କଲେଜ ଛାତ୍ର ସୌମ୍ୟଜିତ ସ୍ବାଇଁ। ତେବେ ସୌମ୍ୟଜିତଙ୍କ ନାଁରେ ଅର୍ବାନ ବ୍ୟାଙ୍କରେ ଏକ ଆକାଉଣ୍ଟ୍‌(ନମ୍ବର- ୦୦୪୦୧୦୦୦୨୭୫୫) ଖୋଲି ‘ଗଣପତି ଟ୍ରେଡର୍ସ୍ଟ’ ନାଁରେ ଏକ କମ୍ପାନି ପ୍ରତିଷ୍ଠା କରି ୨୦୧୭-୧୯ ଭିତରେ ୧୨ କୋଟି ୫୫ କୋଟି ଟଙ୍କାର ଜିଏସ୍‌ଟି ଅର୍ଥ ହଡ଼ପ କରାଯାଇଛି। ସେହିଭଳି ଉକ୍ତ ବସ୍ତିରେ ରହନ୍ତି ଆର୍‌ଏସ୍‌ପି ଠିକା ଶ୍ରମିକ ସାରଦା ପ୍ରସନ୍ନ ସ୍ବାଇଁ। ସମାନ ପ୍ରକ୍ରିୟା ଅବଲମ୍ବନ କରି, ଏହି ବ୍ୟାଙ୍କରେ ତାଙ୍କ ନାଁରେ ଏକ ଆକାଉଣ୍ଟ୍‌(୦୦୪୦୧୦୦୦୨୭୫୪) ଖୋଲାଯାଇଛି। ଏହାସହ ‘ବାସୁଦେବ ମିନେରାଲ୍‌ସ’ ନାଁରେ ଏକ ଜାଲ୍‌ କମ୍ପାନି ତିଆରି ଗତ ୨ ବର୍ଷ ଭିତରେ ପ୍ରାୟ ୩୦ କୋଟି ଟଙ୍କାର ଜିଏସ୍‌ଟି ହଡ଼ପ କରାଯାଇଛି। ପ୍ରକୃତରେ ସୌମ୍ୟଜିତ ଓ ସାରଦା ଆକାଉଣ୍ଟ୍‌ ଖୋଲିବା କିମ୍ବା ଅନ୍ୟାନ୍ୟ ବିଷୟରେ ଆଦୌ ଅବଗତ ନ ଥିଲେ। ଜିଏସ୍‌ଟି ବିଭାଗର ଛାନ୍‌ଭିନ ପରେ ଏମାନଙ୍କ ନାଁରେ ଅର୍ଥ ହେରଫେର କରାଯାଇଥିବା ଧରାପଡ଼ିବାପରେ ଉଭୟଙ୍କୁ ସମନ ଜାରି କରାଯାଇଥିଲା।

ନିର୍ଦେଶାନୁସାରେ, ଉଭୟେ ଜିଏସ୍‌ଟି କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ। ଜୀବନରେ କେବେହେଲେ ଅର୍ବାନ ବ୍ୟାଙ୍କ୍‌ ଆସିନଥିବା କିମ୍ବା ଆକାଉଣ୍ଟ୍‌ ଖୋଲି ଅର୍ଥ କାରବାର କରିନଥିବା କହିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କର ଦସ୍ତଖତ ଯାଞ୍ଚ କରାଯାଇଥିଲା, ତେବେ ଆକାଉଣ୍ଟ୍‌ ଖୋଲିବାବେଳେ ଠକର ଦସ୍ତଖତ ଏବଂ ଉଭୟଙ୍କର ଦସ୍ତଖତ ମେଳ ଖାଇନଥିଲା। ଏମିତିକି କୋର୍ଟ ଆଫିଡେଭିଟ୍‌ ବେଳେ ଠକ ଦେଇଥିବା ଦସ୍ତଖତ, ମୋବାଇଲ ନମ୍ବର ଆଦି କୌଣସି ମେଳ ଖାଇନଥିଲା। ଏହି ମାମଲା ଏବେ ମଧ୍ୟ ବିଚାରାଧୀନ ରହିଛି। ଏ ପର୍ଯ୍ୟନ୍ତ ପ୍ରକୃତ ଠକଙ୍କୁ ଠାବ କରାଯାଇନଥିବାରୁ ସୌମ୍ୟଜିତ ଓ ସାରଦାଙ୍କୁ ନିର୍ଦ୍ଦୋଷ ବି ଅଭିହିତ କରାଯାଇନି। ଏଣୁ ଉଭୟେ ଅନିଶ୍ଚିତତା ଭିତରେ ଦିନ କାଟୁଛନ୍ତି। ଅବଶ୍ୟ ଏହି ଦୁଇ ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଛି। ତେବେ ଆକାଉଣ୍ଟ୍‌ ଫ୍ରିଜ୍‌ କରିବା କେବଳ ଔପଚାରିକତା ମାତ୍ର, କାରଣ ଉକ୍ତ ଆକାଉଣ୍ଟରେ ଥିବା କୋଟିକୋଟି ଟଙ୍କାକୁ ଠକ ଦଳ ଉଠାଇନେଇସାରିଛନ୍ତି। ଏହି ଦୁଇ ଆକାଉଣ୍ଟରେ ବର୍ତ୍ତମାନ ୨/୩ ହଜାର ଟଙ୍କା ଲେଖାଏଁ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe