ରାଉରକେଲାର ପୂର୍ବ ନଗରପାଳ ରମେଶ ବଳଙ୍କ ଆତ୍ମହତ୍ୟା

Advertisment
ରାଉରକେଲାର ପୂର୍ବ ନଗରପାଳ ରମେଶ ବଳଙ୍କ ଆତ୍ମହତ୍ୟା

ରାଉରକେଲା: ରାଉରକେଲା ବାର୍‌ ଆସୋସିଏସନ୍‌ର ସଭାପତି ଭାବେ ରେକର୍ଡ ୧୬ ଥର ନିର୍ବାଚିତ ହୋଇଥିଲେ। ଥରେ ନଗରପାଳ ବି ହୋଇଥିଲେ। ଶେଷରେ ନିଜର ଭୁଲ୍‌ ନିଷ୍ପତ୍ତି ପାଇଁ ଆତ୍ମହତ୍ୟା! ସେ ହେଉଛନ୍ତି ରମେଶ ବଳ। ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ୬୫ ବର୍ଷ ହୋଇଥିଲା। ସୁଇସାଇଡ୍‌ ନୋଟ୍‌ରେ ସେ ଆତ୍ମହତ୍ୟା ପାଇଁ କାହାରିକୁ ଦାୟୀ କରିନାହାନ୍ତି। ଆତ୍ମହତ୍ୟା ଭଳି ଚରମପନ୍ଥାକୁ କାହିଁକି ବାଛିଲେ ତାହା ମଧ୍ୟ ସୁଇସାଇଡ୍‌ ନୋଟ୍‌ରେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି। ପ୍ଲାଣ୍ଟସାଇଟ୍‌ ଥାନା ଅଧିକାରୀଙ୍କୁ ଲେଖିଥିବା ସୁଇସାଇଡ୍‌ ନୋଟ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଭୁଲ୍‌ ନିଷ୍ପତ୍ତି ଯୋଗୁ ରାଉରକେଲାର ଛେଣ୍ଡ ଓ କଳିଙ୍ଗବିହାରରେ ଥିବା ୩ କୋଟିର ସମ୍ପତ୍ତି ହାତରୁ ଚାଲିଯାଇଛି। ଭୁଲ୍‌ ନିଷ୍ପତ୍ତି ପାଇଁ ବଡ଼ପୁଅ ବିବାହ ପରେ ତାଙ୍କଠାରୁ ଦୂରେଇ ଯାଇଛନ୍ତି। ଘରେ ଶାଶୂ, ଦେଢ଼ଶାଶୂ ଓ ସ୍ତ୍ରୀ ତାଙ୍କ ପାଇଁ ହଇରାଣ ହେଉଛନ୍ତି।

ମଧୁମେହ ରୋଗ ପାଇଁ ସେ ବିଭିନ୍ନ ଖାଦ୍ୟ ଖାଇବାରେ ପ୍ରତିବନ୍ଧକ ଥିବାରୁ ଘ​ରେ ସମେସ୍ତ, ବିଶେଷକରି ତାଙ୍କ ସ୍ତ୍ରୀ ବେଶି ହଇରାଣ ହେଉଛନ୍ତି। କିଡ୍‌ନି ଖରାପ ହୋଇଗଲାଣି। ରକ୍ତଚାପ ମଧ୍ୟ ବଢ଼ିଯାଇଛି। ତାଙ୍କ ପାଖରେ କେହି ବେଶି ସମୟ ରହିବାକୁ ଭଲ ପାଉନାହାନ୍ତି। ତେଣୁ ଜୀବନଠାରୁ ବୀତସ୍ପୃହ ହୋଇ ଏହି ପନ୍ଥା ବାଛି ନେଇଛନ୍ତି। ସେ ଆହୁରି ଲେଖିଛନ୍ତି, ଓକିଲ ଭାଇଭଉଣୀମାନେ ତାଙ୍କୁ କ୍ଷମା କରିବେ। ଆଉ କୌଣସି ଉପାୟ ନ ପାଇ ସେ ଏହି ପନ୍ଥା ବାଛି ନେଇଛନ୍ତି। ଏହି ସୁଇସାଇଡ୍‌ ନୋଟକୁ ପ୍ଲାଣ୍ଟସାଇଟ୍‌ ପୁଲିସ ଜବତ କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଜବତ ସୁଇସାଇଟ୍‌ ନୋଟ୍‌ରେ ଗତ ୧୨ ତାରିଖ, ଅର୍ଥାତ୍‌ ୧୫ ଦିନ ପୂର୍ବରୁ ତାରିଖ ରହିଛି। ଏଣୁ ସ୍ବର୍ଗତ ବଳ ଗଭୀର ମାନସିକ ଚାପରେ ଥିଲେ ଓ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇ କିଛିଟା ଦ୍ବନ୍ଦ୍ବରେ ଥିଲେ ବୋଲି କୁହାଯାଉଛି।

ପେସାରେ ଓକିଲ ଥିବା ଶ୍ରୀ ବଳ ରାଉରକେଲା କୋର୍ଟକୁ ମଧ୍ୟ ଗତ ପ୍ରାୟ ୧୫ ଦିନ ଧରି ଠିକ୍‌ ଭାବେ ଯାଉ ନଥିଲେ। ଗତ ଦୁଇଦିନ ତଳେ ପୂର୍ବତନ କେନ୍ଦ୍ରମନ୍ଦ୍ରୀ ଦିଲୀପ ରାୟଙ୍କୁ ଭେଟିବାକୁ ସେ ଫୋନ୍‌ରେ କଥା ହୋଇଥିଲେ। ଶ୍ରୀ ରାୟ ତାଙ୍କୁ ଭୁବ​ନେଶ୍ବର ଯିବାଲାଗି କହିଥିଲେ। ଭୁବନେଶ୍ବର ଯିବାପୂର୍ବରୁ ସ୍ବର୍ଗତ ବଳ ଏଭଳି ଚରମ ନିଷ୍ପତ୍ତି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଉଲ୍ଲେଖଯୋଗ୍ୟ ଯେ ସ୍ବର୍ଗତ ବଳ କଂଗ୍ରେସ ଦଳରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଦିଲୀପ ରାୟଙ୍କର ଘନିଷ୍ଠ ସହଯୋଗୀ ଭାବେ ସେ ପରିଚିତ ଥିଲେ। ଶ୍ରୀ ରାୟ ବିଜେପିରେ ଯୋଗଦେବା ପରେ ସ୍ବର୍ଗତ ବଳ ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ। ସେ ବିଜେପିର ମୁଖପାତ୍ର ଦାୟିତ୍ବ ତୁଲାଉଥିଲେ। ଏଥିସହ ସ୍ବର୍ଗତ ବଳ ଜଣେ ଭଲ ସଙ୍ଗଠକ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe