ଜଳହରି ଗାଁ ଚାରିପାଖେ ଧାଡ଼ି କି ଧାଡ଼ି ତାଳଗଛ: ବୃକ୍ଷପ୍ରେମୀ ବାଇଧରଙ୍କୁ ମନେ ପକାଉଛନ୍ତି

Advertisment
ଜଳହରି ଗାଁ ଚାରିପାଖେ ଧାଡ଼ି କି ଧାଡ଼ି ତାଳଗଛ: ବୃକ୍ଷପ୍ରେମୀ ବାଇଧରଙ୍କୁ ମନେ ପକାଉଛନ୍ତି

ଭଣ୍ଡାରିପୋଖରୀ-୧: ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ବିଶେଷକରି ବର୍ଷା ଦିନେ କୃଷି କ୍ଷେତ୍ରରେ କାମ କରୁଥିବା ଚାଷୀମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବଜ୍ରପାତକୁ ପ୍ରତିହତ କରିବା ପାଇଁ ସରକାର ଏବେ ଗାଁ ଓ ଚାଷଜମି ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବ୍ୟାପକ ତାଳଗଛ ଲଗାଇବା ପାଇଁ ଯୋଜନା କରୁଛନ୍ତି। ଏପରିସ୍ଥଳେ ଭଣ୍ଡାରିପୋଖରୀ ବ୍ଲକ୍‌ ମାଳଦା ପଞ୍ଚାୟତ ଜଳହରି ଗାଁ ଚାରିପାଖରେ ରହିଥିବା ଧାଡ଼ିକି ଧାଡ଼ି ତାଳଗଛ ଗାଁ ପାଇଁ ସତେ ଯେମିତି ରକ୍ଷାକବଚ ସାଜିଛି। ଏହି କାରଣରୁ ଗତ ୧୦ ବର୍ଷ ମଧ୍ୟରେ ଗାଁରେ ବଜ୍ରପାତ ଜନିତ ମୃତ୍ୟୁ ଘଟିନଥିବା ଜଣାପଡ଼ିଛି।

ଆଜିକୁ ଦଶ ପନ୍ଦର ବର୍ଷ ପୂର୍ବେ ଗାଁର ବୃକ୍ଷପ୍ରେମୀ ବାଇଧର ସେଠୀ ଏହି ତାଳ ଗଛଗୁଡ଼ିକ ଲଗାଇଥିଲେ। ଅନ୍ୟାନ୍ୟ ଗଛ ସହିତ ପ୍ରାୟ ଦୁଇ ଶହରୁ ଅଧିକ ତାଳମଞ୍ଜି ସେ ଲଗାଇଥିଲେ। ଗାଁର ପୂର୍ବପଟ ସର୍ତ୍ତା ପୋଲ ନିକଟରୁ ନପଙ୍ଗକୁ ସଂଯୋଗ କରୁଥିବା ରାସ୍ତା ଦୁଇ ପାର୍ଶ୍ବରେ ତାଳ ଗଛ ଲାଗିଥିବା ବେଳେ ସାମଲସାହି ଠାରୁ ଚଣ୍ଡୀ ପଡ଼ିଆ ରାସ୍ତାରେ ମଧ୍ୟ ତାଳଗଛ ରହିଛି। ସେହିଭଳି ଜଳହରି ସ୍କୁଲ ଓ ଚାଷଜମି ସଂଲଗ୍ନ ଖୁଣ୍ଟିଆସାହି ନିକଟରେ ମଧ୍ୟ ଅନେକ ତାଳ ଗଛ ରହିଛି। ଅନେକ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଥିବା ବେଳେ ଏବେ ମଧ୍ୟ ଦୁଇ ଶହରୁ ଊର୍ଦ୍ଧ୍ବ ତାଳଗଛ ଦଣ୍ଡାୟମାନ। କିଛି ଲୋକଙ୍କ ଥଟ୍ଟା ପରିହାସ ସତ୍ତ୍ବେ ବାଇଧର ଆନମନା ହୋଇ ଗାଁ ଚାରିପାର୍ଶ୍ବରେ ଦିନେ ଯେଉଁ ତାଳ ମଞ୍ଜି ‌ପୋତିଥିଲେ, ତାହା ଆଜି ଗ୍ରାମବାସୀ ଓ ପଥଚାରୀଙ୍କ ପାଇଁ ସୁରକ୍ଷା କବଚ ସାଜିଛି କହିଲେ ଅତ୍ୟୁକ୍ତି ହେବନାହିଁ। ତିନି ଚାରି ବର୍ଷ ପୂର୍ବରୁ ବୃକ୍ଷପ୍ରେମୀ ବାଇଧରଙ୍କର ମୃତ୍ୟୁ ହୋଇଛି। ହେଲେ ତାଙ୍କର ଏଭଳି କାର୍ଯ୍ୟ ପାଇଁ ଗ୍ରାମବାସୀ ମନେ ପକାଉଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲଗା ଯାଇଥିବା ଗଛ ମଧ୍ୟରୁ ଏବେ କିଛି ରୁଗଣ୍ ଅବସ୍ଥାରେ ରହିଛି।
ତେଣୁ ଏହାର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe