ଶ୍ୟାମସୁନ୍ଦରଙ୍କୁ କାନ୍ଧେଇ ବୁଲୁଛନ୍ତି ପତ୍ନୀ

Advertisment

ଆରପିଏଫ୍‌ ମାଡ଼ରେ ଦୁଇ ଗୋଡ ଭାଙ୍ଗିଲା

ଆରପିଏଫ୍‌ ମାଡ଼ରେ ଦୁଇ ଗୋଡ ଭାଙ୍ଗିଲା

ଶ୍ୟାମସୁନ୍ଦରଙ୍କୁ କାନ୍ଧେଇ ବୁଲୁଛନ୍ତି ପତ୍ନୀ

କୋରାପୁଟ : ଆରପିଏଫ୍‌ କର୍ମଚାରୀ ବାଡେଇ ଦୁଇ ଗୋଡ ଭାଙ୍ଗିଦେଲେ। ବିନା ଦୋଷରେ ପଙ୍ଗୁ ବନିଗଲେ। ଏହି କଥା କାହା ଆଗରେ କହିବା ପାଇଁ ଯିବାକୁ ମଧ୍ୟ ସେ ଅସମର୍ଥ। ଏହି ସମୟରେ ସାହାରା ପାଲଟିଛି ପତ୍ନୀଙ୍କ କାନ୍ଧ। ପତ୍ନୀଙ୍କ କାନ୍ଧରେ ବସି ନ୍ୟାୟର ଲଢେଇ ପାଇଁ ଆଗକୁ ବାହାରିଛନ୍ତି ଶ୍ୟାମ ସୁନ୍ଦର। ଆରପିଏଫ କର୍ମଚାରୀଙ୍କ ଅମାନବିକତା ବିରୋଧରେ ସଂଗ୍ରାମର ସାଥୀ ହୋଇଛନ୍ତି ପତ୍ନୀ ରାଣୀ। ଇଏ ହେଉଛି ନବରଙ୍ଗପୁର ଜିଲ୍ଲା ସାନମସିଙ୍ଗା ଗାଁର ଶ୍ୟାମସୁନ୍ଦର ମାଝୀଙ୍କ କରୁଣ କାହାଣୀ। ରେଳ ସୁରକ୍ଷା ବଳ(ଆରପିଏଫ)ର ଜଣେ କନେଷ୍ଟବଳ ତାଙ୍କୁ ବାଡେଇ ବାଡେଇ ଦୁଇଟିଯାକ ଗୋଡ ଭାଙ୍ଗି ଦେବା ପରେ ନ୍ୟାୟ ଭିକ୍ଷା ପାଇଁ ସେ ଏବେ ବାର ଦୁଆର ବୁଲୁଛନ୍ତି। ପତ୍ନୀଙ୍କ କାନ୍ଧ ତାଙ୍କର ଆଶା ବାଡି ପାଲଟିଛି। ଯେଉଁ ପତ୍ନୀଙ୍କୁ ସାହାରା ଦେବା ପାଇଁ ସାତ ଦୀପ, ଆଠ କଳସକୁ ସାକ୍ଷୀ ରଖି ହାତ ଧରିଥିଲେ ସିଏ ଏବେ ଶ୍ୟାମଙ୍କ ସାହାରା ପାଲଟିଛନ୍ତି।

ଶ୍ୟାମଙ୍କ କହିବାନୁଯାୟୀ, ସେ ତାଙ୍କ ପତ୍ନୀଙ୍କ ସହ ଭୁବନେଶ୍ୱରରୁ ହୀରାଖଣ୍ଡ ଏକ୍ସପ୍ରେସ ଯୋଗେ ଫେରିବା ସମୟରେ ରାୟଗଡ଼ା ଜିଲ୍ଲାର ଟିକିରି ରେଳ ଷ୍ଟେସନରେ ଓହ୍ଲାଇଥିଲେ। ସେଠାରୁ ସେମାନେ କାଶୀପୁର ବ୍ଲକର କୁଚେଇ ପଦର ଗାଁକୁ ଯାଇଥାନ୍ତେ। ଶ୍ୟାମ ପାଣି ମାଗିବାକୁ ରେଳବାଇ କଲୋନିକୁ ଯାଇଥିବା ସମୟରେ ଭୂପେଶ କୁମାର ନାମକ ଜଣେ ଆରପିଏଫ କନେଷ୍ଟବଳ ତାଙ୍କୁ ନିସ୍ତୁକ ପିଟିଥିଲେ। ଚୋର ସନ୍ଦେହରେ ତାଙ୍କୁ ଏମିତି ପିଟିଥିଲେ ଯେ, ଶ୍ୟାମଙ୍କର ଦୁଇଟି ଯାକ ଗୋଡ ଭାଙ୍ଗି ଯାଇଛି। କୋରାପୁଟ ଡାକ୍ତରଖାନାରେ ତାଙ୍କ ଚିକିତ୍ସା କରାଯାଇଥିଲା ବେଳେ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। କିନ୍ତୁ ଅର୍ଥାଭାବ ଏବେ ସେମାନଙ୍କୁ ହତାଶ କରି ଦେଇଛି।

ତେଣୁ ମାଡ ମାରିଥିବା କନେଷ୍ଟବଳଙ୍କ ବିରୋଧରେ ନ୍ୟାୟର ଲଢେଇ କରିବାକୁ ଭଙ୍ଗା ଗୋଡରେ ବାହାରିଛନ୍ତି ଶ୍ୟାମ ସୁନ୍ଦର। ଏଥିପାଇଁ ପତ୍ନୀ ରାଣୀ କାନ୍ଧ ଦେଖାଇ ଦେଇଛନ୍ତି। ଆଜି କୋରାପୁଟ ରାଜ ରାସ୍ତାରେ ନିଜ ପତିଙ୍କୁ କାନ୍ଧରେ ବୋହି ବୋହି ରାଣୀ ନେଇ ଯାଇଥିଲେ ଡିଆଇଜିଙ୍କ କାର୍ଯ୍ୟାଳୟକୁ। ତେବେ ତାଙ୍କୁ ନ ପାଇ ନିରାଶ ହୋଇ ଫେରିଥିଲେ। ଏପଟେ ସହରର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ନିଜ ଦୁଃଖ ଜଣାଇଥିଲେ। କାନ୍ଦି କାନ୍ଦି ରେଳ ସୁରକ୍ଷା ବଳର ବର୍ବରତାକୁ ବଖାଣିଥିଲେ।

ପତ୍ନୀ ରାଣୀଙ୍କ କହିବାନୁଯାୟୀ, ଆରପିଏଫର ବର୍ବରତା ବିରୋଧରେ ସେ ଟିକିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତାଙ୍କୁ ଏତଲା କପି ଧରାଇ ଦେଇଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ଏପଟେ ପୁଲିସ ଓ ରେଳବାଇ ପକ୍ଷରୁ ତାଙ୍କୁ ବିଭିନ୍ନ ଧମକ ଚମକ ଦିଆଯାଉଛି। ମାମଲା ପ୍ରତ୍ୟାହାର କରିବା ପାଇଁ ଚାପ ପକାଯାଉଛି। ପାଲଟା ମାମଲା କରିବା ପାଇଁ ମଧ୍ୟ ଧମକ ମିଳୁଛି। କିନ୍ତୁ ସେମାନେ ସହଜରେ ହାର୍‌ ମାନିବେ ନାହିଁ ବୋଲି କୋହ ଭରା କଣ୍ଠରେ କହିଛନ୍ତି ରାଣୀ। ଯିଏ ତାଙ୍କ ସୁନାର ସଂସାରକୁ ଭାଙ୍ଗି ଦେଇଛି ତା ବିରୋଧରେ ଶେଷ ରକ୍ତବିନ୍ଦୁ ଥିବା ଯାଏ ଲଢିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe