ପୁଣି ସାଇବର ଠକେଇ, ଘଣ୍ଟାକରେ ଚାଲିଗଲା ଏକ ଲକ୍ଷରୁ ଅଧିକ ଟଙ୍କା

Advertisment
ଅନ୍‌ଲାଇନ୍‌ରେ ଚାକିରି ଲୋଭ ଦେଖାଇ ୧୦ ଟଙ୍କା ପଞ୍ଜିକରଣ ନାଁରେ ଲକ୍ଷେ ଟଙ୍କା ଠକିନେଲେ ମହିଳା

The Leaders Online

କୋରେଇ: କୋରେଇ ଥାନା ଅନ୍ତର୍ଗତ ସାନପାଟୁଳି ଓ ତାରାକୋଟ ଗ୍ରାମରେ ଆଜି ଦୁଇଜଣ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇ ଏକ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ହରାଇଛନ୍ତି। ଧନେଶ୍ବର ପଞ୍ଚାୟତ ସାନପାଟୁଳି ଗ୍ରାମ ଜଣେ ଯୁବକ ୬୦ ହଜାର ଟଙ୍କା ହରାଇ ଥିବା ବେଳେ ତାରାକୋଟ ଗ୍ରାମର ଜଣେ ବ୍ୟକ୍ତି ୪୩୮୬୩ ଟଙ୍କା ହରାଇଛନ୍ତି। ଘଣ୍ଟାକ ମଧ୍ୟରେ ଟଙ୍କା ଦୁଇଗୁଣା ହୋଇଯିବା ଲୋଭ ଦେଖାଇ ସାନପାଟୁଳିର ଯୁବକଙ୍କୁ ସାଇବର ‌ଲୁଟେରା ‌ଠକିଥିବା ବେଳେ ତାରାକୋଟର ବ୍ୟକ୍ତିଙ୍କୁ ଲଟେରି ଲୋଭ ଦେଖାଇ ଟଙ୍କା ଲୁଟି ନେଇଥିଲେ।

ଏନେଇ କୋରେଇ ଥାନାରେ ୨ଟି ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୋଗ ଅନୁଯାୟୀ, ସାନପାଟୁଳି କଣ୍ଟାଚିରା ସାହିର ଅଭିମନ୍ୟୁ ନାୟକଙ୍କ ପୁଅ ସନ୍ତୋଷ(୧୮)ଙ୍କ ଫୋନକୁ ଆଜି ସକାଳେ ଏକ ଫୋନକଲ୍ ଆସିଥିଲା। ୯୮୩୨୭୫୪୫୧୧ ନମ୍ବରରୁ ଆସିଥିବା ଏହି କଲ୍‌ରେ ଜନୈକ ବ୍ୟକ୍ତି ସନ୍ତୋଷଙ୍କ ସହିତ କିଛି ସମୟ କଥା ହେବାପରେ ଏକ ଲିଙ୍କ୍ ପଠାଇଥିଲେ। ମାତ୍ର ୧୦ ମିନିଟରେ ଟଙ୍କା ଡବଲ କରିଦେବେ ବୋଲି କହି ଲୋଭ ଦେଖାଇଥିଲେ। କିଛି ସମୟ ପରେ ସନ୍ତୋଷଙ୍କ ଫୋନକୁ ଲିଙ୍କ ଆସିବା ପରେ ସେ ସେଥିରେ ସଂଯୋଗ କରିଥିଲେ।

ମାତ୍ର କେଇ ସେକେଣ୍ତରେ ପ୍ରଥମେ ୩ ହଜାର ଟଙ୍କା ତାଙ୍କ ଆକାଉଣ୍ଟରୁ ଯାଇଥିବା ମେସେଜ ଆସିଥିଲା। ଏହାର ଡବଲ ଅର୍ଥ ଆସିବ ବୋଲି ସନ୍ତୋଷ ଅପେକ୍ଷାରେ ଥିବାବେଳେ ପୁଣି ୬ ହଜାର ଟଙ୍କା କଟିଯାଇଥିଲା। ଟଙ୍କା ଆସିବା ବଦଳରେ କଟିଯାଉଥିବା ଜାଣି ସନ୍ତୋଷ ଉକ୍ତ ନମ୍ବରରେ ଯୋଗାଯୋଗ କରିଥିଲେ ମଧ୍ୟ ଆଉ ସମ୍ଭବ ହୋଇନଥିଲା। ପରେ ୬ ହଜାର ଲେଖାଏଁ ୫ ଥର ଓ ଶେଷ ଥର ୩୦ହଜାର ଟଙ୍କା ତାଙ୍କ ଆକାଉଣ୍ଟରୁ କଟିଯାଇଥିଲା। ପରେ ସନ୍ତୋଷ ତାଙ୍କ ଆକାଉଣ୍ଟ ଥିବା ବ୍ୟାସନଗରସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଯାଇ ବୁଝାବୁଝି କରିବା ପରେ ଏହା ଏକ ସାଇବର ଠକେଇ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ।

ଏସମ୍ପର୍କରେ ସନ୍ତୋଷ କୋରେଇ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଏହି ଥାନା ଅନ୍ତର୍ଗତ ତାରାକୋଟ ଗ୍ରାମର କାଳନ୍ଦୀ ନାୟକ ମଧ୍ୟ ଆଜି ସାଇବର ‌ଠକେଇର ଶିକାର ହୋଇ ୪୩୮୬୩ ଟଙ୍କା ହରାଇଛନ୍ତି। ଆଜି ପୂର୍ବାହ୍ଣରେ କାଳନ୍ଦୀଙ୍କ ମୋବାଇଲ ଫୋନ୍‌କୁ ଏକ କଲ ଆସିଥିଲା। ଅନ୍ୟପଟେ ଥିବା ବ୍ୟକ୍ତି କାଳନ୍ଦୀଙ୍କର ଲଟେରି ଉଠିଥିବା କହି ଏକ ଲିଙ୍କ୍‌ରେ ଓକେ କଲେ ଅର୍ଥ ମିଳିବ ବୋଲି କହିଥିଲେ। ଏଥିରେ ପ୍ରଲୋଭିତ ହୋଇ କାଳନ୍ଦୀ ସାଇବର ଲୁଟେରା ପଠାଇଥିବା ଲିଙ୍କରେ ଓକେ କରିଥିଲେ। କିଛି ସମୟ ମଧ୍ୟରେ ଗୁଗୁଲ ପେ ଜରିଆରେ ତାଙ୍କ ଆକାଉଣ୍ଟରୁ ୪୩୮୬୩ ଟଙ୍କା କଟି ଯାଇଥିଲା। ସମ୍ପୃକ୍ତ ନମ୍ବରରେ ଆଉ ଯୋଗାଯୋଗ ସମ୍ଭବ ହୋଇନଥିଲା। ଏହାକୁ ନେଇ କାଳନ୍ଦୀ କୋରେଇ ଥାନାରେ ଅଭିଯୋଗ କରିବା ପରେ ୧୭୫/୨୧ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଛି ବୋଲି ଥାନାଧିକାରୀ ରଂଜିତ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe