ଟମକା ଜୈବବିବିଧତା ପାର୍କ ପାଇଁ ୧୦ କୋଟି ମଞ୍ଜୁର

Advertisment
ଟମକା ଜୈବବିବିଧତା ପାର୍କ ପାଇଁ ୧୦ କୋଟି ମଞ୍ଜୁର

ଦାନଗଦୀ : ଦାନଗଦୀ ବ୍ଲକ କିଆଝର ପଞ୍ଚାୟତ ଟମକାରେ ଜୈବ ବିବିଧତା ପାର୍କ ନିର୍ମାଣ ପାଇଁ ୧୦କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିରୁ ମଞ୍ଜୁର ଏହି ଅର୍ଥରେ ପାର୍କକୁ ଆକର୍ଷଣୀୟ କରାଯିବାର ଯୋଜନା ରହିଛି। ଗୁରୁବାର ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ପାର୍କ ପରିସରରେ ଏହାର ଶିଳାନ୍ୟାସ କରିଛନ୍ତି। କଟକ ବନଖଣ୍ଡ ଅଧିକାରୀ ସଞ୍ଜୟ କୁମାର ସ୍ୱାଇଁ, ଟମକା ବନାଞ୍ଚଳ ଅଧିକାରୀ ବଳରାମ ସାହୁ ଓ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମହାନ୍ତିଙ୍କ ଉପସ୍ଥିତିରେ ବିଧାୟକ ବିବିଧ କାର୍ଯ୍ୟ ପାଇଁ ଏଠାରେ ଶୁଭ ଦେଇଥିଲେ।

ପ୍ରାକୃତିକ ଶୋଭାରାଜିକୁ ସମ୍ବଳ ଭାବେ ବିନିଯୋଗ କରି ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବାକୁ ଯାଉଥିବା ଏହି ପାର୍କରେ ମୋଟ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ରହିଥିବା ବିଧାୟକ ଶ୍ରୀ ଘଡ଼ାଇ ସୂଚନା ଦେଇଛନ୍ତି। ପାର୍କ ପରିସରରେ ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ରହିବା ପାଇଁ କଟେଜ ନିର୍ମାଣ, ପାର୍କ ଭିତ୍ତିଭୂମିର ବିକାଶ, ଶିଶୁ ଉଦ୍ୟାନ, ହିଂସ୍ର ପ୍ରାଣୀଙ୍କର ଅବିକଳ ସ୍ୱରୂପ ସ୍ଥାପନ, ବୃକ୍ଷରୋପଣ ଓ ନିକଟସ୍ଥ ଗଣ୍ଡାନାଳକୁ ପର୍ଯ୍ୟଟନ ଅନୁରୂପ ଆକର୍ଷଣୀୟ କରିବା ଯୋଜନା ରହିଛି। ଏହି ପ୍ରକୃତି ଉଦ୍ୟାନ ଯାଜପୁର ଜିଲ୍ଲାର ବିକାଶରେ ନୂତନ ଫର୍ଦ୍ଦ ଯୋଡ଼ିବାକୁ ସମର୍ଥ ହେବ ବୋଲି ଏହି ଅବସରରେ ଡିଏଫଓ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ କିଆଝର ସରପଞ୍ଚ ଦ୍ୱାରିକାନାଥ ଦାସ, ଯୁବନେତା ସୌମ୍ୟରଞ୍ଜନ ମହାପାତ୍ର, ପବିତ୍ର ମୋହନ ମହାପାତ୍ର, ନରୋତ୍ତମ ବେହେରା, ଫରେଷ୍ଟର ଚିତ୍ତରଞ୍ଜନ ବିଶ୍ୱାଳ ଓ ବିଜୟ କୁମାର ଗୁରୁ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe