Advertisment

ଅକ୍ଷୟ ତୃତୀୟାରେ ୧୨୦ କୋଟିର ସୁନା ବେପାର

Advertisment

ଦେଶରେ ବିକ୍ରି ୧୫ ହଜାର କୋଟି ଟପିଲା, ୩୦ ଟନ୍‌ରୁ ଅଧିକ

ଦେଶରେ ବିକ୍ରି ୧୫ ହଜାର କୋଟି ଟପିଲା, ୩୦ ଟନ୍‌ରୁ ଅଧିକ

ଅକ୍ଷୟ ତୃତୀୟାରେ ୧୨୦ କୋଟିର ସୁନା ବେପାର

ଭୁବନେଶ୍ବର : ଦୀର୍ଘ ତିନିବର୍ଷର ବ୍ୟବଧାନ ପରେ ଅକ୍ଷୟ ତୃତୀୟାରେ ସୁନା ବେପାର ଜମିଛି। ୨୦୧୯ରେ ଫନି ବାତ୍ୟା, ୨୦୨୦ ଓ ୨୦୨୧ରେ କରୋନା ମହାମାରୀ ଜନିତ ଲକ୍‌ଡାଉନ୍ ଯୋଗୁଁ ଅକ୍ଷୟ ତୃତୀୟାରେ ସୁନା ବିକ୍ରି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଚଳିତବର୍ଷ କିନ୍ତୁ ସବୁଦୃଷ୍ଟିରୁ ସୁନା ବେପାର ପାଇଁ ପରିବେଶ ଅନୁକୂଳ ଥିଲା। ସୁନାର ୧୦ ଗ୍ରାମ୍ ପିଛା ଦାମ୍ ୪୭,୧୦୦ ଟଙ୍କା ଥିବା ବେଳେ ଇଦ୍‌ ପାଇଁ ସରକାରୀ ଛୁଟି ଥିବାରୁ ସୁନା ଦୋକାନଗୁଡ଼ିକରେ ଗ୍ରାହକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ଅଧିକାଂଶ ଗ୍ରାହକ କିଛି ନା କିଛି ସୁନା କିଣି ସୋ’ରୁମ୍‌ରୁ ବାହାରୁଥିଲେ। ସନ୍ଧ୍ୟା ସମୟରେ ରାଜଧାନୀରେ ଥିବା ବଡ଼ ସୋ’ରୁମ୍‌ ସାମ୍ନାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏକ ଆନୁମାନିକ ହିସାବରୁ ଜଣାପଡ଼ିଛି ଯେ ଆଜି ରାଜ୍ୟରେ ପ୍ରାୟ ୧୨୦ କୋଟି ଟଙ୍କା ମୂଲ୍ୟର ସୁନା ବିକ୍ରି ହୋଇଛି। ଭୁବନେଶ୍ବରରେ ସର୍ବାଧିକ ସୁନା ବିକ୍ରି ହୋଇଛି। ବିବାହ ଋତୁ ଚାଲିଥିବାରୁ ଅଧିକ ସୁନା ବିକ୍ରି ହୋଇଥିବା କୁହାଯାଉଛି।

ଏକ ପ୍ରମୁଖ ଗହଣା ସୋ’ରୁମ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ସ୍ବାଭାବିକ ଦିନଗୁଡ଼ିକ ତୁଳନାରେ ଆଜି ଷ୍ଟୋର୍‌କୁ ଅଧିକ ଗ୍ରାହକ ଆସିଥିଲେ। ଯେତିକି ଗ୍ରାହକ ଆସୁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାହକ କିଣାକିଣି କରିଛନ୍ତି। ଅନ୍ୟ ଜଣେ ବ୍ୟବସାୟୀ କହିଛନ୍ତି ଯେ ଗତ ଦୁଇ ବର୍ଷ ଲକ୍‌ଡାଉନ୍ ଯୋଗୁଁ ଅକ୍ଷୟ ତୃତୀୟାରେ ବ୍ୟବସାୟ ସମ୍ଭବ ହୋଇନଥିଲା। ଚଳିତ ବର୍ଷ କିନ୍ତୁ ବେପାର ଆଶାନୁରୂପ ରହିଛି। କେବଳ ଆଜି ନୁହେଁ ଆଗାମୀ କିଛି ଦିନ ପାଇଁ ବେପାର ଏହିଭଳି ସ୍ତର‌ରେ ରହିବ ବୋଲି ‌ସେ ଆଶା ପ୍ରକଟ କରିଛନ୍ତି।

publive-image

ଅନ୍ୟ ଏକ ଗହଣା ଦୋକାନର ଜଣେ ଅଧିକାରୀ କହିଛନ୍ତି ଯେ ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଯଦି ୨୦୧୮ ଭଳି ବେପାର ହୋଇଛି ବୋଲି ବିଚାର କରାଯିବ ତେବେ ସାରା ରାଜ୍ୟରେ ୧୨୦ କୋଟି ଟଙ୍କାର ବ୍ୟବସାୟ ହୋଇଥିବା କୁହାଯାଇପାରିବ। ୨୦୧୮ର ଅକ୍ଷୟ ତୃତୀୟାରେ ୯୫ କୋଟି ଟଙ୍କାର ବେପାର ହୋଇଥିଲା। କିନ୍ତୁ ସେହି ବର୍ଷ ସୁନା ଦାମ୍ କମ୍ ଥିଲା। ଚଳିତ ବର୍ଷ ସୁନା ଦାମ୍ ୪୭ ହଜାର ଟଙ୍କା ପାଖାପାଖି ରହିଛି। ଯଦି ୨୦୧୮ ଭଳି ୨୦୨୨ରେ ସେତିକି ସୁନା ବିକ୍ରି ହୋଇଥିବ ତେବେ ୧୨୦ କୋଟି ଟଙ୍କାର କାରବାର ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ସାଧାରଣ ଦିନଗୁଡ଼ିକରେ ବଡ଼ ସୁନା ଦୋକାନରେ ୪୦-୫୦ ପାଖାପାଖି ଗ୍ରାହକ ପ୍ରବେଶ କରିଥାନ୍ତି। ଆଜି ସେହି ଷ୍ଟୋର୍‌ଗୁଡ଼ିକରେ ୫୦୦ରୁ ଅଧିକ ଗ୍ରାହକ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ୮୦-୯୦ ପ୍ରତିଶତ ଗ୍ରାହକ କିଛି ନା କିଛି କିଣାକିଣି କରିଛନ୍ତି। ଗ୍ରାହକମାନେ ଅଧିକ ଚେନ୍, ନେକ୍‌ଲେସ୍‌, ମୁଦି ଓ ଇୟର ରିଙ୍ଗ କିଣିଛନ୍ତି ବୋଲି ସେ କହିଛନ୍ତି। ହାରାହାରି ଭାବେ ପ୍ରତି ଗ୍ରାହକ ୭୦-୮୦ ହଜାର ଟଙ୍କାର ସୁନା କିଣିଥିବା ସେ କହିଛନ୍ତି।

ଓଡ଼ିଶାରେ ଅକ୍ଷୟ ତୃତୀୟାକୁ ନଜରରେ ରଖି ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଲାଗି ସୁନା ବ୍ୟବସାୟୀମାନେ ଆକର୍ଷଣୀୟ ଓ ମନଲୋଭା ଅଫର ଘୋଷଣା କରିଥିଲେ। ଏହା ସହିତ ସ୍ବତନ୍ତ୍ର ଗହଣା ସମ୍ଭାର ମଧ୍ୟ ଆଣିଥିଲେ। ସବୁ ଷ୍ଟୋର୍‌ଗୁଡ଼ିକରେ ବ୍ୟାପକ ଡିଜାଇନ୍‌ର ସୁନା ଗହଣା ସମେତ ହୀରା, ପ୍ଲାଟିନମ, ରୁପା ଓ ଜେମ୍‌ ଷ୍ଟୋନ୍‌ ଖଚିତ ଗହଣାର ସମ୍ଭାର ରହିଥିଲା। ଗ୍ରାହକମାନେ ଚାହୁଥିବା ଜିନିଷ ଯେଭଳି ସୁବିଧାରେ ପାଇପାରିବେ ସେଥିପାଇଁ ଦୋକାନଗୁଡ଼ିକ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ସେମାନେ ଧ୍ୟାନ ଦେଇଥିଲେ। ସବୁ ବୟସ ବର୍ଗର ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ହାଲୁକା ଗହଣା ଠାରୁ ଆରମ୍ଭ କରି ଓଜନିଆ ଗହଣା ପର୍ଯ୍ୟନ୍ତ ସବୁ ପ୍ରକାର ଅଳଙ୍କାର ଷ୍ଟୋର୍‌ରେ ରଖାଯାଇଥିଲା।

publive-image

ସାରା ଦେଶରେ ଆଜି ୧୫ ହଜାର କୋଟି ଟଙ୍କାର ସୁନା ବିକ୍ରି ହୋଇଛି ବୋଲି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ହିସାବ ଦିଆଯାଇଛି। ଅର୍ଥାତ୍‌ ଗ୍ରାହକମାନେ ଗୋଟିଏ ଦିନରେ ପାଖାପାଖି ୩୦ ଟନ୍ ସୁନା ଗହଣା ଘରକୁ ବୋହି ନେଇଛନ୍ତି। ଦୁଇବର୍ଷ ତଳେ ୨୦୧୯ ମସିହାର ଅକ୍ଷୟ ତୃତୀୟା ଦିନ ସୁନା ଗହଣା ସୋ’ରୁମ୍‌ଗୁଡ଼ିକ ପାଖାପାଖି ୧୦ ହଜାର କୋଟି ଟଙ୍କାର ‌ବେପାର କରିଥିଲେ। ସିଏଆଇଟିର ଜାତୀୟ ସଂପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି। ତେଣୁ ୨୦୧୯ ତୁଳନାରେ ବିକ୍ରିରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି। ଅକ୍ଷୟ ତୃତୀୟା ଏକ ଶୁଭ ଦିନ। ସୁନା ଓ ରୁପା ଆଦି ମୂଲ୍ୟବାନ ଧାତୁ ଏହି ଦିନରେ କିଣିବାକୁ ଅନେକ ଗ୍ରାହକ ପସନ୍ଦ କରିଥାନ୍ତି। ଏଥିସହିତ ଚଳିତବର୍ଷ ବାହାଘର ସିଜିନ୍ ମଧ୍ୟ ଏବେ ରହିଛି। ମୋଟ ଗହଣା ବିକ୍ରିରେ ବିବାହ ଉଦ୍ଦେଶ୍ୟରେ ଆବଶ୍ୟକ ଗହଣା ସର୍ବାଧିକ ବିକ୍ରି ହୋଇଛି। ବିବାହ ଗହଣା ସହିତ ଆଧୁନିକ ଏବଂ କର୍ମଜୀବୀ ମହିଳାମାନେ ହାଲୁକା ଗହଣାକୁ ଅଧିକ ମାତ୍ରାରେ କିଣିଛନ୍ତି। ସର୍ବ ଭାରତୀୟ ଜେମ୍‌ସ ଆଣ୍ଡ୍‌ ଜୁଏଲାରି ଡୋମେଷ୍ଟିକ୍ କାଉନସିଲ୍‌ର ଉପାଧ୍ୟକ୍ଷ ଶ୍ୟାମ ମେହରାଙ୍କ କହିବାନୁଯାୟୀ, ଚଳିତବର୍ଷ ଅକ୍ଷୟ ତୃତୀୟାରେ ଦେଶରେ ୨୫ରୁ ୩୦ ଟନ୍‌ ପର୍ଯ୍ୟନ୍ତ ବ୍ୟବସାୟ ଆଶା ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe