ଅନ୍ଧାରରେ ୧୨ଶହ କୋଟିର ଜଳସେଚନ ପ୍ରକଳ୍ପ ଭାଗ୍ୟ: ଟିଟିଲାଗଡ଼ରେ ରାଜନୈତିକ ଟକ୍କର

ବଲାଙ୍ଗୀର ଜିଲ୍ଲାର ମାତ୍ର ୩ ପ୍ରତିଶତ ଜମି ଜଳସେଚିତ। ବାରମ୍ବାର ମରୁଡ଼ି ଯୋଗୁଁ ଚାଷବାସ ଉଜୁଡ଼ି ଯାଉଛି। ଚାଷବାସକୁ ସ୍ବାଭାବିକ ରଖିବା ପାଇଁ ନିର୍ବାଚନ ପୂର୍ବରୁ ଗୁଡ଼ାଏ ଜଳସେଚନ ପ୍ରକଳ୍ପ ରାଜନୈତିକ ଦଳଗୁଡ଼ିକର ଏଜେଣ୍ଡାରେ ସ୍ଥାନ ପାଇଥିଲା।

fsfsxcc

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ମାତ୍ର ୩ ପ୍ରତିଶତ ଜମି ଜଳସେଚିତ। ବାରମ୍ବାର ମରୁଡ଼ି ଯୋଗୁଁ ଚାଷବାସ ଉଜୁଡ଼ି ଯାଉଛି। ଚାଷବାସକୁ ସ୍ବାଭାବିକ ରଖିବା ପାଇଁ ନିର୍ବାଚନ ପୂର୍ବରୁ ଗୁଡ଼ାଏ ଜଳସେଚନ ପ୍ରକଳ୍ପ ରାଜନୈତିକ ଦଳଗୁଡ଼ିକର ଏଜେଣ୍ଡାରେ ସ୍ଥାନ ପାଇଥିଲା। ନିର୍ବାଚନ ପୂର୍ବରୁ ୨୭୨୩ କୋଟି ଟଙ୍କାର ଲୋୟର୍‌ ସୁକତେଲ୍‌ ପ୍ରକଳ୍ପ ଲୋକାର୍ପିତ ହେଲା। ନିର୍ବାଚନ ପରେ ଅପର୍‌ ଲାନ୍ଥ ମେଗା ଜଳସେଚନ ପ୍ରକଳ୍ପ ପାଇଁ ନୂଆ ସରକାର ଶିଳାନ୍ୟାସ କଲେ। ଏହି ଦୁଇଟି ପ୍ରକଳ୍ପରୁ ବଲାଙ୍ଗୀର, ପାଟଣାଗଡ଼ ଉପଖଣ୍ଡର ଚାଷୀ ଲାଭ ପାଇବେ। ହେଲେ ଟିଟିଲାଗଡ଼ ଉପଖଣ୍ଡ ପାଇଁ ପୂର୍ବରୁ ଯୋଜନା ଥିବା ପାଖାପାଖି ୧୨ଶହ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଭାଗ୍ୟ ଏବେ ଅନ୍ଧାରରେ ରହିଛି। ବିଜେଡି ସରକାର ଅମଳରେ କୁର୍ସୁଡ଼, ପଥର୍ଲା, କୁକେଡ଼ମାଲ ଓ ତସ୍ତାପାଲିଠାରେ ତେଲ, ଲାନ୍ଥ ନଦୀରେ ଜଳସେଚନ ପ୍ରକଳ୍ପ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। କେବଳ କୁକେଡ଼ମାଲ ପ୍ରକଳ୍ପ ପାଇଁ ୫ଶହ କୋଟି ଟଙ୍କା ଅଟକଳ କରାଯାଇଥିଲା। କିନ୍ତୁ, ଏବେ ଏସବୁ ପ୍ରକଳ୍ପର ଟେଣ୍ଡର୍‌ ବାତିଲ କରାଯାଇଛି। ଆଇନଗତ କାରଣରୁ ଟେଣ୍ଡର୍‌ ବାତିଲ କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି।

ଯାହାକୁ ନେଇ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରେ ରାଜନୈତିକ ଟକ୍କର ଦେଖିବାକୁ ମିଳିଛି। ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ନ ହେବାରୁ ସିଧାସଳଖ ବିଧାୟକ ନବୀନ ଜୈନଙ୍କୁ ଟାର୍ଗେଟ୍‌ କରିଛନ୍ତି। ଶ୍ରୀମତୀ ସାହୁଙ୍କ ପ୍ରତିକ୍ରିୟା ହେଲା, ୧୨ଶହ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ଉଭୟ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଚାଷୀମାନେ ଲାଭବାନ ହୋଇପାରିଥାନ୍ତେ। ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଜେଡି ସରକାର ପ୍ରକଳ୍ପ ଶୀଘ୍ର ସାରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଟେଣ୍ଡର୍‌ ବାତିଲ ଯୋଗୁଁ ଏବେ କେବଳ ଚାଷୀ କ୍ଷତି ସହୁଛନ୍ତି। ଟିଟିଲାଗଡ଼ ବିଧାୟକ ପାଣ୍ଠି ଥାଇ ଖର୍ଚ୍ଚ କରିପାରୁ ନାହାନ୍ତି। ବିଧାନସଭାରେ ବି ପ୍ରଶ୍ନ କରିପାରୁ ନାହାନ୍ତି। ଅନ୍ୟପକ୍ଷରେ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ କହିଛନ୍ତି, ଉକ୍ତ ପ୍ରକଳ୍ପଗୁଡ଼ିକ ପାଇଁ ତରବରିଆ ଟେଣ୍ଡର କରାଯାଇଥିଲା। ଡିପିଆର୍‌ ଠିକ୍‌ ନଥିଲା। ଏହାକୁ ସୁଧାରି ପୁଣି ଟେଣ୍ଡର ହେବ ‌ବୋଲି ଶ୍ରୀ ଜୈନ କହିଛନ୍ତି।  ତେବେ ହଜାରେ କୋଟି ଟଙ୍କାରୁ ଅଧିକ ଅଟକଳର ପ୍ରକଳ୍ପଗୁଡ଼ିକର ଭବିଷ୍ୟତ ଏବେ ଅନ୍ଧାରରେ। ଯାହାକୁ ନେଇ ଟିଟିଲାଗଡ଼ରେ ପୁରୁଣା ରାଜନୈତିକ ତାତି ଫେରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe