ନୂଆ ଗାଡି କିଣାରେ ୧୫ କୋଟିର ଜିଏସ୍‌ଟି ଠକେଇ!

Advertisment

ସନ୍ଦେହ ଘେରରେ ଆର୍‌ଟିଓ କର୍ମଚାରୀ, ସୋ’ରୁମ୍‌ ମାଲିକ

ସନ୍ଦେହ ଘେରରେ ଆର୍‌ଟିଓ କର୍ମଚାରୀ, ସୋ’ରୁମ୍‌ ମାଲିକ

ନୂଆ ଗାଡି କିଣାରେ ୧୫ କୋଟିର ଜିଏସ୍‌ଟି ଠକେଇ!

ରାଉରକେଲା : ରାଜ୍ୟରେ ଜିଏସ୍‌ଟି ଠକେଇର ଶୀର୍ଷରେ ରହିଛି ସ୍ମାର୍ଟ ସିଟି ରାଉରକେଲା। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବିଭିନ୍ନ ଉପାୟରେ ଠକେଇ ହେଉଛି କୋଟି କୋଟି ଟଙ୍କାର ଜିଏସ୍‌ଟି। ସହରରେ କିଛି ବ୍ୟବସାୟୀ, ଶିଳ୍ପପତି ଅବଶ୍ୟ ଜିଏସ୍‌ଟି ପଞ୍ଝାରେ ପଡି ଏବେ ଜେଲରେ। ତଥାପି ଗୋଟିଏ ପରେ ଗୋଟିଏ ଜିଏସ୍‌ଟି ଠକେଇ ସାମ୍ନାକୁ ଆସୁଛି। ଏବେ ସେମିତି ଏକ ଚାଞ୍ଚଲ୍ୟକର ଠକେଇ ପଦାକୁ ଆସିଛି ରାଉରକେଲା ଆଞ୍ଚଳିକ ପରିବହନ ଅଫିସ୍‌ (ଆର୍‌ଟିଓ)ରେ। କିଛି କରିତକର୍ମା କର୍ମଚାରୀ ଓ ଟିପ୍ପର ସୋ’ରୁମ୍‌ ମାଲିକଙ୍କ ଭିତିରି ସଲାସୁତୁରାରେ କୋଟିଏ କି ଦୁଇ କୋଟି ନୁହେଁ ପ୍ରାୟ ୧୫ କୋଟି ଟଙ୍କାର ଜିଏସ୍‌ଟି ଚଳୁ କରି ଦିଆଯାଇଛି।

ଠକେଇର ଗୋଲକ ଧନ୍ଧା ଚାଲିଥିବା ନେଇ ରାଜ୍ୟ ପରିବହନ ନିଗମ (ଏସ୍‌ଟିଏ) ନିକଟରେ ଗୁରୁତର ଅଭିଯୋଗ ହୋଇଥିଲା। ଏସ୍‌ଟିଏର ଅତିରିକ୍ତ କମିଶନର ରାଉରକେଲା, ସୁନ୍ଦରଗଡ, କେନ୍ଦୁଝର ଆର୍‌ଟିଓ, ଅତିରିକ୍ତ ଆର୍‌ଟିଓ ବଡବିଲ୍‌କୁ ଘଟଣାର ଅନୁସନ୍ଧାନ ପାଇଁ ଚିଠି ଲେଖିଥିଲେ। କିଣା ଯାଉଥିବା ନୂଆ ଟିପ୍ପର ବଡି ନଥାଇ କେମିତି ପଞ୍ଜିକରଣ କରାଯାଉଛି? ଗାଡି ସୋ’ରୁମ ଫର୍ମ ନଂ -୨୧ ସେଲ୍‌ସ ସାର୍ଟିଫିକେଟ୍‌ରେ କେମିତି ସମ୍ପୂର୍ଣ୍ଣ ବଡି ଥିବା ଟିପ୍ପର ବୋଲି ଦର୍ଶାଉଛନ୍ତି ? ପରିବହନ ଅଫିସର ବିଭାଗୀୟ ଅଧିକାରୀ ଜାଣିଶୁଣି ‌କିପରି ଭାବେ ସେହି ଗାଡିଗୁଡ଼ିକୁ ପଞ୍ଜିକରଣ ଅନୁମତି ଦେଉଛନ୍ତି ? ଏହାର ତଦନ୍ତ କରି ବିସ୍ତୃତ ରିପୋର୍ଟ ଦେବାକୁ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବା ତ ଦୂରର କଥା, ଆଜି ଯାଏଁ ଜିଲ୍ଲାରେ ବିଭିନ୍ନ ଖଣି ଅଞ୍ଚଳରେ ଚାଲୁଥିବା ଏସବୁ ଗାଡିଗୁଡିକୁ ଚିହ୍ନଟ କରାଯାଇ ନାହିଁ। ଆର୍‌ଟିଓ ଅଫିସ୍‌ର ବିଭାଗୀୟ ଅଧିକାରୀ, ସୋ’ରୁମ୍‌ ମାଲିକଙ୍କ ଅସଲି ମୁଖା ଖୋଲିଯିବା ଭୟରେ ପରିବହନ ଅଧିକାରୀମାନେ ଘଟଣାର ତଦନ୍ତ ନ କରି ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।

ସୋ’ରୁମ୍‌ରୁ ନୂଆ ଟିପ୍ପର ଗୁଡ଼ିକର ଚେସିସ୍‌ କିଣା ଯାଏ। ସମ୍ପୂର୍ଣ୍ଣ ବଡି ଥିବା ଟିପ୍ପର କିଣା ଯାଇ ନଥାଏ। ଗାଡି ମାଲିକମାନେ ଟିପ୍ପରର ଚେଚିସ୍‌ କିଣିବା ପରେ ବଡି ତିଆରି କରିଥାନ୍ତି। ରାଉରକେଲା ଏବଂ ରାଜ୍ୟର ଯେ କୌଣସି ପଞ୍ଜିକୃତ ବଡି ତିଆରି କାରଖାନାରେ ବଡି ତିଆରି କରିବାର ନିୟମ ରହିଛି। ନ ହେଲେ ପଞ୍ଜିକରଣ କରିବାକୁ ଅନୁମତି ମିଳିବ ନାହିଁ। କିନ୍ତୁ ଗାଡି ସୋ’ରୁମ୍‌ର ମାଲିକ ଆର୍‌ଟିଓ ଅଫିସର କର୍ମଚାରୀଙ୍କ ସହ ଭିତିରି ସଲାସୁତୁରା କରି ଚେଚିସ୍‌ ଥିବା ଟିପ୍ପରଗୁଡ଼ିକର ବଡି ଥିବା ଫର୍ମ ନଂ- ୨୧ ସେଲ୍‌ସ୍‌ ସାର୍ଟିଫିକେଟ୍‌ରେ ଦର୍ଶାଇ ଦେଉଛନ୍ତି। ବଡି ତିଆରି ବାବଦରେ ପ୍ରତି ଟିପ୍ପରରେ ପିଛା ଗାଡି ମାଲିକ ଦେଉଥିବା ପ୍ରାୟ ୭୫ ହଜାର ଜିଏସ୍‌ଟି ଟଙ୍କାକୁ ମିଳି ମିଶି ଚଳୁ ଦେଉଛନ୍ତି। ଗୋଟିଏ କି ଦୁଇଟି ଟିପ୍ପର ନୁହେଁ ଗତ କିଛି ମାସ ମଧ୍ୟରେ ପ୍ରାୟ ୨୦୦ରୁ ଅଧିକ ଟିପ୍ପରରେ ବଡି ତିଆରି ବାବଦ ଜିଏସ୍‌ଟି ଟଙ୍କାକୁ ଫାଙ୍କି ଦେଇଛନ୍ତି। ଜିଏସ୍‌ଟି ଫାଙ୍କିଥିବା ଟିପ୍ପରଗୁଡ଼ିକୁ ରାଉରକେଲା ଆର୍‌ଟିଓ ଅଫିସ୍‌ରେ ପଞ୍ଜିକରଣ ମଧ୍ୟ କରି ଦିଆଯାଇଛି। ଏପରି ଭାବେ ପ୍ରାୟ ୧୫ କୋଟି ଟଙ୍କାର ଜିଏସ୍‌ଟି ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏସ୍‌ଟିଏ ଅତିରିକ୍ତ କମିଶନରଙ୍କ ଚିଠି ଅନୁଯାୟୀ ଜିଏସ୍‌ଟି ଅଧିକାରୀ ବିନା ବଡିରେ ପଞ୍ଜିକରଣ ଏସବୁ ଟିପ୍ପରଗୁଡ଼ିକର କାଗଜପତ୍ର ଜବତ କରାଯାଇ ବିଧିବଧ ତଦନ୍ତ ‌ହେଲେ ୧୫ କୋଟି ନା ଏହାଠାରୁ ଅଧିକ ଟଙ୍କାର ଜିଏସ୍‌ଟି ଘୋଟାଲା ହୋଇଛି ପଦାକୁ ଆସି ପାରନ୍ତା। ଉଲ୍ଲେଖଯୋଗ୍ୟ, ରାଉରକେଲା ପରିବହନ କାର୍ଯ୍ୟାଳୟରେ କେବଳ ଜିଏସ୍‌ଟି ନୁହେଁ ବିଗତ ଦିନରେ ଅନେକ ଦୁର୍ନୀତି ହୋଇଛି। ବିଭିନ୍ନ ବିଭାଗର ଅଧିକାରୀମାନେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି। ଏବେ ଗାଡି ସୋ’ରୁମ୍‌ ମାଲିକ ଓ ପରିବହନ ଅଧିକାରୀଙ୍କ ଭିତିରି ସଲାସୁତୁରାରେ ହୋଇଥିବା କୋଟି କୋଟି ଟଙ୍କାର ଜିଏସ୍‌ଟି ଠକେଇ ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe