ଟାଙ୍ଗୀରେ ଚିଲିକା ଅଧ୍ୟକ୍ଷା ସ୍ବାମୀଙ୍କ ତଞ୍ଚକତା: ବିଡିଓଙ୍କ ଜାଲ ଦସ୍ତଖତ କରି ୧୫ ଲକ୍ଷ ଉଠାଇନେଲେ

Advertisment
ଟାଙ୍ଗୀରେ ଚିଲିକା ଅଧ୍ୟକ୍ଷା ସ୍ବାମୀଙ୍କ ତଞ୍ଚକତା: ବିଡିଓଙ୍କ ଜାଲ ଦସ୍ତଖତ କରି ୧୫ ଲକ୍ଷ  ଉଠାଇନେଲେ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ପଞ୍ଚାୟତ ସମିତିରେ ତଞ୍ଚକତା। ‌ଏହି ତଞ୍ଚକତା କରିଛନ୍ତି ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଠିକାଦାର ସ୍ବାମୀ। ବିଡିଓଙ୍କ ଜାଲ୍‌ ଦସ୍ତଖତ କରି ସେ ୧୫ ଲକ୍ଷ ଟଙ୍କା ଉଠାଇ ନେଇଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ବିଡିଓ ଐଶର୍ଯ୍ୟ ସାମନ୍ତରାୟ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବାପରେ ଟାଙ୍ଗୀ ପୁଲିସ ତଦନ୍ତ ଆରମ୍ଭ କରିଛି।

ଏହି ଠିକାଦାର ହେଉଛନ୍ତି କିଶୋର ବେହେରା। କିଶୋର କେବଳ ଠିକାଦାର ନୁହନ୍ତି, ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜଣେ ଟାଣୁଆ ସଙ୍ଗଠକ ଭାବେ ବି ସେ ଜଣାଶୁଣା। ସେ ଟାଙ୍ଗୀ ବ୍ଲକ୍‌ରେ କେତେକ ଠିକା କାମ ପାଇଥିଲେ। ସେଥିମଧ୍ୟରେ ବ୍ଲକ୍‌ର ବଡ଼ପାରୀ ଓ କୁହୁଡ଼ି ଗ୍ରାମରେ ନୂତନ ସ୍ବାସ୍ଥ୍ୟ ଉପକେନ୍ଦ୍ର ଗୃହ ନିର୍ମାଣ ଅନ୍ତର୍ଭୁକ୍ତ ଥିଲା। ଏଥିଲାଗି କାର୍ଯ୍ୟାଦେଶ ପାଇବା ପରେ କିଶୋର ବ୍ଲକ୍ ପ୍ରଶାସନ ସହ ଚୁକ୍ତି କରିଥିଲେ। ଚୁକ୍ତି ଅନୁସାରେ, ସିକ୍ୟୁରିଟି ବାବଦକୁ ୧୫ ଲକ୍ଷରୁ ଅଧିକ ଚାରିଟି ଟିଡିଆର୍ ଟଙ୍କା ନିଜ ନାମରେ ସୋରଣସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କ ଶାଖାରେ ଡିପୋଜିଟ୍ କରି ଟାଙ୍ଗୀ ବିଡିଓଙ୍କ ନାମରେ ବନ୍ଧକ ରଖିଥିଲେ। ନିୟମ ଅନୁସାରେ, କାମ ସରିବା ପରେ ଏବଂ ପଞ୍ଚା‌ୟତ ସମିତି କର୍ତ୍ତୃପକ୍ଷଙ୍କଠାରୁ ଅନୁମତିକ୍ରମେ ସେ ସେହି ୧୫ ଲକ୍ଷ ଟଙ୍କା ଉଠାଇ ପାରିଥା’ନ୍ତେ। ତେବେ, କାମ ଆରମ୍ଭ କରିବା ପୂର୍ବରୁ ହିଁ ବିଡିଓଙ୍କ ଜାଲ ଦସ୍ତଖତ କରି ସେହି ଚାରିଟି ଡିପୋଜିଟ୍‌କୁ ସେ କୌଶଳକ୍ରମେ ଉଠାଇ ନେଇଛନ୍ତି।

ଏହି ଘଟଣା ଜଣାପଡ଼ିବା ପରେ ବିଡିଓ ଶ୍ରୀ ସାମନ୍ତରାୟ ଗତ ୨୦ ତାରିଖରେ ପଞ୍ଚାୟତ ସମିତି ପତ୍ର ସଂଖ୍ୟା ୧୩୯୯ରେ ଟାଙ୍ଗୀ ଥାନାରେ ଆନୁଷ୍ଠାନିକ ଭାବେ କିଶୋରଙ୍କ ବିରୋଧରେ ଏତଲା ଦେଇଥିଲେ। ପୁଲିସ ୪୧୪, ୪୨୦, ୪୬୫, ୪୭୧ରେ ମାମଲା ରୁଜୁକରି ତଦନ୍ତ କରାଯାଉଥିବା ଆଇଆଇସି ଦିଗବିଜୟ ବିଶ୍ୱାଳ କହିଛନ୍ତି। ଏଥିସହିତ, ଉଭୟ ଟାଙ୍ଗୀ ବିଡ଼ିଓ ଐଶ୍ବର୍ଯ୍ୟ ସାମନ୍ତରାୟ, ବ୍ୟାଙ୍କ ମ୍ୟାନେଜରଙ୍କୁ ଥାନାକୁ ଡାକି ପଚରାଉଚରା କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଠିକାଦାର କିଶୋର ଦେଇଥିବା ଚିଠିଟି ଖାଲି ଆଖିରେ ବି ଜାଲ ବୋଲି ବାରି ହୋଇଯାଉଥିଲେ ମଧ୍ୟ ବ୍ୟାଙ୍କ କିଭଳି ଏଭଳି ଗୁରୁତର ତ୍ରୁଟି କଲା, ସେ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଏହି ଠକେଇରେ କିଛି ବ୍ୟାଙ୍କ କର୍ମଚାରୀଙ୍କ ହାତ ଥିବା ମଧ୍ୟ ସନ୍ଦେହ କରାଯାଉଛି। ସେହିଭଳି ଅଭିଯୁକ୍ତ ଠିକାଦାର କିଶୋର ବେହେରା ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସ୍ବାମୀ ହୋଇଥିବାରୁ ରାଜନୈତିକ ମହଲରେ ମଧ୍ୟ ଏହି ଘଟଣାକୁ ନେଇ ଟଣାଓଟରା ଆରମ୍ଭ ହୋଇଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe