୧୬୦୦ କୋଟିର ପ୍ୟାକେଜ୍‌ : ହାଇସ୍କୁଲ ପର୍ଯ୍ୟନ୍ତ ସ୍କୁଲ ଓ ପରୀକ୍ଷା ଫି ଛାଡ଼, ଜଳକର ଓ ଚଳିତ ଆର୍ଥିକ ବର୍ଷର ଖଜଣା ସମ୍ପୂର୍ଣ୍ଣ ଛାଡ଼

Advertisment

ଜଳସେଚିତ ପାଇଁ ୧୩ ହଜାର ୫୦୦, ଅଣଜଳସେଚିତ ଜମିକୁ ୬,୮୦୦, ପାରମ୍ପରିକ କୃଷି ପାଇଁ ୧୮ହଜାର, ଛତୁଚାଷକୁ ୪୦ ହଜାର, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅତିରିକ୍ତ ସିଡ୍ ମନି ୧୦ ହଜାର

ଜଳସେଚିତ ପାଇଁ ୧୩ ହଜାର ୫୦୦, ଅଣଜଳସେଚିତ ଜମିକୁ ୬,୮୦୦, ପାରମ୍ପରିକ କୃଷି ପାଇଁ ୧୮ହଜାର, ଛତୁଚାଷକୁ ୪୦ ହଜାର, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅତିରିକ୍ତ ସିଡ୍ ମନି ୧୦ ହଜାର

୧୬୦୦ କୋଟିର ପ୍ୟାକେଜ୍‌ : ହାଇସ୍କୁଲ ପର୍ଯ୍ୟନ୍ତ ସ୍କୁଲ ଓ ପରୀକ୍ଷା ଫି ଛାଡ଼, ଜଳକର ଓ ଚଳିତ ଆର୍ଥିକ ବର୍ଷର ଖଜଣା ସମ୍ପୂର୍ଣ୍ଣ ଛାଡ଼

ଭୁବନେଶ୍ବର : 'ଫନି' ବାତ୍ୟାରେ ଚାଷବାସର କ୍ଷୟକ୍ଷତି ନେଇ ପ୍ରାଥମିକ ଆକଳନ ପରେ ଚାଷୀଙ୍କ କ୍ଷତିଭରଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୬୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ରିଲିଫ କୋଡ଼ ଅନୁଯାୟୀ, ପାରମ୍ପରିକ କୃଷି କ୍ଷତିଭରଣା ସହିତ ସହିତ ଧାନ, ପନିପରିବା, ଫଳଚାଷ, ପଶୁପାଳନ ଓ ମତ୍ସ୍ୟ ଚାଷୀଙ୍କୁ ପୁଣି ଥରେ ଜୀବିକା ନିର୍ବାହ ପାଇଁ ଆର୍ଥିକ ସହାୟତା ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି।

ବାତ୍ୟାରେ କ୍ଷତି ସହିଥିବା ପାନ,କଦଳୀ, ଛତୁଚାଷୀଙ୍କ ସମେତ ଗାଈ, ମଇଁଷି ମୃତ୍ୟୁ ପାଇଁ ପ୍ରଥମ କରି ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଏହି ଦୁର୍ବିପାକରେ କ୍ଷତି ହୋଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅତିରିକ୍ତ ସିଡ ଅର୍ଥ ପ୍ରଦାନ କରାଯିବ। ପ୍ରଭାବିତ ଅଞ୍ଚଳରେ ହାଇସ୍କୁଲ ପର୍ଯ୍ୟନ୍ତ ସ୍କୁଲ ଓ ପରୀକ୍ଷା ଫି ଛାଡ଼ି କରିବାକୁ େଘାଷଣା କରାଯାଇଛି ଓ ଚାଷୀଙ୍କ ଜଳକର ଓ ଜମି ଖଜଣା ଛାଡ଼ କରିଛନ୍ତି।

ଶନିବାର ଘୋଷଣା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ଅନୁଯାୟୀ, 'ଫନି'ରେ ଯେଉଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିବ ସେମାନଙ୍କୁ ଇନପୁଟ ସବସିଡି ବାବଦରେ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ଓ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ପ୍ରଦାନ କରାଯିବ। ନଡ଼ିଆ, ଆମ୍ବ, କାଜୁ ଭଳି ପାରମ୍ପରିକ କୃଷି ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ମିଳିବ। କୌଣସି ବି ପରିସ୍ଥିତିରେ ଜଣେ ଚାଷୀକୁ କୃଷି ଇନପୁଟ ସବସିଡି ବାବଦରେ ଅନ୍ୟୂନ ୧ ହଜାର ଟଙ୍କା ଓ ପାରମ୍ପରିକ କୃଷି ପାଇଁ ୨ ହଜାର ଟଙ୍କାରୁ କମ ସହାୟତା ଦିଆଯିବନାହିଁ। 'ଫନି' ପ୍ରଭାବିତ ଜିଲ୍ଲାରେ ୨୦୧୯-୨୦ ବର୍ଷ ପାଇଁ ୧ଲକ୍ଷ ପନିପରିବା ମିନିକିଟ୍ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

publive-image

ପ୍ରଥମକରି ଅର୍ଥକାରୀ ଫସଲ ପାନବରଜ କ୍ଷତି ପାଇଁ ୫ ହଜାର ପାନଚାଷୀ କିମ୍ବା ପାନବରଜ କରିଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ବାବଦରେ ପ୍ରତ୍ୟେକଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ୧ ହଜାର ଛତୁଚାଷ ୟୁନିଟ୍ ପାଇଁ ନଡ଼ାକାମ ଓ ଜାଲ କିଣିବା ପାଇଁ ୟୁନିଟ୍ ପିଛା ୪୦ ହଜାର ଟଙ୍କା ପ୍ରଦାନ କରାଯିବ। ୧୬୫୦ ହେକ୍ଟର ପରିମିତ ଅଞ୍ଚଳର କଦଳୀ ଚାଷ ପାଇଁ ହେକ୍ଟର ପିଛା ୨୫ ହଜାର ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ବାତ୍ୟାରେ ମୃତ୍ୟୁ ହୋଇଥିବା ପ୍ରତି ଗାଈ ପାଇଁ ୩୦ ହଜାର, ମଇଁଷି ପାଇଁ ୨୫ ହଜାର ଲେଖାଏଁ ସର୍ବାଧିକ ୩ଟି ପଶୁ ପାଇଁ କ୍ଷତି ପୂରଣ ପ୍ରଦାନ କରାଯିବ। ପ୍ରତି ବାଛୁରି ପିଛା ୧୬ ହଜାର ଟଙ୍କା ୬ଟି ବାଛୁରି ପାଇଁ ସହାୟତା ମିଳିବ। ପ୍ରତି ଛେଳି ପାଇଁ ୩ ହଜାର ଟଙ୍କା ଲେଖାଏଁ ସର୍ବାଧିକ ୩୦ଟି ପାଇଁ କ୍ଷତିପୂରଣ ମିଳିବ। ପ୍ରତି ମୃତ କୁକୁଡ଼ା ପାଇଁ ୫୦ ଟଙ୍କା ଲେଖାଏଁ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତି ପୂରଣ ପ୍ରଦାନ କରାଯିବ। ଏହାସହିତ ୫୦ ହଜାର ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଗାଈ ଗୁହାଳ ନିର୍ମାଣ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ୨୦ ହଜାର ଛେଳି ଗୁହାଳ ନିର୍ମାଣ ପାଇଁ ପ୍ରତି ଗୁହାଳ ପିଛା ମିଳିବ ୩୦ ହଜାର ଟଙ୍କା। ପ୍ରଭାବିତ ଜିଲ୍ଲାରେ ଚାଷୀଙ୍କୁ ପ୍ରଶିକ୍ଷିତ କରିବା ପାଇଁ ୫୦ ହଜାର ଏକର ଜମିରେ ବିଭିନ୍ନ କିସମର ଖରିଫ ଫସଲ କରିବାକୁ ଯୋଜନା କରାଯାଇଛି।

ସେହିପରି ଆଖୁଚାଷୀଙ୍କ ପାଇଁ ଥିବା ନିରନ୍ତର ଆଖୁଚାଷ ଯୋଜନାରେ ବିଭିନ୍ନ କିସମର ଆଖୁଚାଷ ପାଇଁ ହେକ୍ଟର ପିଛା ୨୦ ହଜାର ଟଙ୍କା ଓ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ସର୍ବାଧିକ ୧୫ ହଜାର ଟଙ୍କା କିମ୍ବା ୫୦% ସବସିଡିରେ ଚାଷୀଙ୍କୁ ୫ ହଜାର ପମ୍ପସେଟ୍ ଯୋଗାଇ ଦିଆଯିବ। 'ଫନି' ପ୍ରଭାବିତ ଜିଲ୍ଲାରେ ୧୦ ହଜାର ସ୍ପ୍ରେୟର ୫୦% ରିହାତି କିମ୍ବା ସର୍ବାଧିକ ୩ ହଜାର ୮୦୦ ଟଙ୍କାର ସବସିଡିରେ ଚାଷୀଙ୍କୁ ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି। ଚାଷୀଙ୍କୁ କୃଷି ଯନ୍ତ୍ରପାତି କିଣାରେ ୧୫୦ କୋଟି ଟଙ୍କାର ସବସିଡି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୫୦ ହଜାର ଚାଷୀଙ୍କୁ ପ୍ରତ୍ୟେକ ୫ଟି ଲେଖାଏଁ ଆମ୍ବ ଓ ନଡ଼ିଆ ଚାରା ଯୋଗାଇ ଦିଆଯିବ। ୧୦ ହଜାର ହେକ୍ଟର ଜମିରେ ପାରମ୍ପରିକ ଫଳଚାଷ ଯେପରି ଆମ୍ବ, ନଡ଼ିଆ ଓ କାଜୁ ଆଦି ଫଳ ଚାଷ ପାଇଁ ସରକାର ଆର୍ଥିକ ସହାୟତା ୩ ବର୍ଷ ପାଇଁ ପ୍ରଦାନ କରିବେ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯେଉଁ ଚାଷୀଙ୍କର ୩୩% ଅଧିକ ଫସଲ ନଷ୍ଟ ହୋଇଥିବ, ସେସବୁ ଚାଷୀ ରବି ଋତୁ ପାଇଁ ନେଇଥିବା ସ୍ବଳ୍ପ ମିଆଦ ଋଣକୁ ମଧ୍ୟମ ଅବଧି ଋଣରେ ପରିବର୍ତ୍ତନ କରାଯିବ। ଏହି ଋଣ ଅବଧିକୁ ୨୦୨୦ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ପୂର୍ବରୁ ଋଣ ନେଇଥିବା ଜଣେ କେହି ବି ଭାଗଚାଷୀ ଓ ନାମମାତ୍ର ଚାଷୀ ଖରିଫ ଋତୁପାଇଁ ଋଣ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ତ୍ବରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ବୀମା ଅର୍ଥ ପ୍ରଦାନରେ ଯେପରି ବିଳମ୍ବ ନହୁଏ ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଯେଉଁ ଚାଷୀମାନେ ମଧ୍ୟମ ଅବଧି ଋଣ ନିୟମିତ ପରିଶୋଧ କରୁଥିବେ ସେମାନଙ୍କୁ ସୁଧ ଉପରେ ୩% ପ୍ରୋତ୍ସାହନ ଫେରସ୍ତ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସ୍ବତନ୍ତ୍ର ପ୍ୟାକେଜ ଅନୁଯାୟୀ, ସମୁଦ୍ର ଓ ଚିଲିକା ମତ୍ସ୍ୟଜୀବୀଙ୍କୁ ସହାୟତା ବାବଦରେ ୬୦୦୦ ନୂଆ ସମୁଦ୍ର ମାଛମରା ବୋଟ କିଣିବା ପାଇଁ ପ୍ରତି ବୋଟ କିଣା ବାବଦରେ ୮୦ ହଜାର ଟଙ୍କାରୁ ୫୦% ସରକାର ବହନ କରିବେ। ସେହିପରି ୩ ହଜାର ଜାଲ କିଣିବା ପାଇଁ ପ୍ରତି ଜାଲ କିଣା ବାବଦରେ ୨୦ ହଜାର ଟଙ୍କାରୁ ସରକାର ୫୦% ବହନ କରିବେ। ଅନ୍ୟପଟେ ମଧୁରଜଳ ମତ୍ସ୍ୟଜୀବୀଙ୍କ ପାଇଁ ୫୦୦ଟି ବୋଟ କିଣା ବାବଦରେ ପ୍ରତି ବୋଟ ପିଛା ୩୦ ହଜାର ଟଙ୍କାରୁ ୫୦% ଓ ୫୦୦ ଜାଲ କିଣା ବାବଦରେ ପ୍ରତି ଜାଲ ପିଛା ୨୦ ହଜାର ଟଙ୍କାରୁ ୫୦% ସରକାର ବହନ କରିବେ। ୫୦୦ ହେକ୍ଟର ପରିମିତ ଅଞ୍ଚଳରେ ମଧୁର ଓ କ୍ଷାରଯୁକ୍ତ ଜଳରେ ମାଛ ଚାଷ କରିଥିବା ଚାଷୀଙ୍କୁ ବନ୍ଧ ମରାମତି ବାବଦରେ ହେକ୍ଟର ପିଛା ୧୨ ହଜାର ୨୦୦ ଟଙ୍କା ପ୍ରଦାନ କରାଯିବ। ହସ୍ତତନ୍ତ ଓ ବୟନଶିଳ୍ପ କ୍ଷତି ପାଇଁ ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ବାତ୍ୟାରେ ପ୍ରଭାବିତ ହୋଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ଅତିରିକ୍ତ ସିଡ ଅର୍ଥ ବାବଦରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, 'ଫନି' ଦ୍ବାରା ପ୍ରଭାବିତ ହୋଇଥିିବା ଜିଲ୍ଲାରେ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଫି ଛାଡ଼ ହୋଇଥିବାବେଳେ ଚାଷୀଙ୍କ ଜଳକର ଓ ଜମି ଖଜଣାକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe