ଆର୍‌ଡି ଯନ୍ତ୍ରୀଙ୍କ ଅଢ଼େଇ କୋଟିର ସମ୍ପତ୍ତି ଠାବ, ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

Advertisment
ଆର୍‌ଡି ଯନ୍ତ୍ରୀଙ୍କ ଅଢ଼େଇ କୋଟିର ସମ୍ପତ୍ତି ଠାବ, ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

ଢେଙ୍କାନାଳ/ ତାଳ‌ଚେର/ ପାଳଲହଡ଼ା : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର୍‌ଡି)ର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁ। କଟକ ଏବଂ ଢେଙ୍କାନାଳ ଭିଜିଲାନ୍ସ ବିଭାଗର ମିଳିତ ଉଦ୍ୟମରେ ଆଜି ୪୧ ଜଣ ବିଭାଗୀୟ ଅଧିକାରୀ ଶ୍ରୀ ସାହୁଙ୍କର ନିଜସ୍ୱ ଘର, ଶ୍ୱଶୁର ଘର ଏବଂ ତାଙ୍କ କାର୍ଯ୍ୟାଳୟ ଆଦି ୬ଟି ସ୍ଥାନରେ ଏକକାଳୀନ ଚଢଉ କରି ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛନ୍ତି।

ସୂଚନା ଅନୁଯାୟୀ, ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁ ଖମାର କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନାମରେ ପୂର୍ବରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ବିଭାଗରେ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଗତ ୧୭ ତାରିଖରେ ମିସ୍ କେସ୍ ନମ୍ବର ୨/୨୦ରେ ଏକ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ। ସେହି ଅନୁଯାୟୀ, ଆଜି ଭୋରରୁ ଢେଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗ ମିଳିତ ଭାବେ ୬ଟି ସ୍ଥାନରେ ଚଢଉ କରିଥିଲେ। ଢେଙ୍କାନାଳ ସହରର ଟାଉନ୍ ପ୍ଲାନିଂ ସ୍ଥିତ ତାଙ୍କ ବାସଭବନ ଏବଂ ଷ୍ଟେସନରୋଡ୍ ସ୍ଥିତ ଘର, ଶ୍ରୀ ସାହୁଙ୍କ ଶ୍ୱଶୁର ହରମୋହନ ସାହୁଙ୍କ ସହରର ହାଟରୋଡ୍ ଏବଂ ଦକ୍ଷିଣକାଳୀସ୍ଥିତ ଘର, ପୈତୃକ ଗ୍ରାମ ପିଙ୍ଗୁଆ ସ୍ଥିତ ଘର, ଭୁବନେଶ୍ୱର ଟଙ୍କପାଣି ରୋଡ୍ ସ୍ଥିତ ଏମ୍‌ସି ଭିଲ୍ଲାରେ ଥିବା ଆପାର୍ଟମେଣ୍ଟ, ଖମାରସ୍ଥିତ ତାଙ୍କ କାର୍ଯ୍ୟାଳୟ ଉପରେ ଏକକାଳୀନ ଚଢଉ କରାଯାଇଥିଲା। ଚଢଉ ବେଳେ ପ୍ରାୟ ୨କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଠାବ କରାଯାଇଛି। ଯନ୍ତ୍ରୀ ଶ୍ରୀ ସାହୁଙ୍କ ତାଳଚେରସ୍ଥିତ ସରକାରୀ ବାସଭବନରେ ଆଜି ସକାଳ ପ୍ରାୟ ୭ଟାରେ ଭିଜିଲାନ୍‌ସ ଚଢ଼ଉ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe