୨୨ ଜଣଙ୍କୁ ବ୍ୟାଙ୍କରେ ଚାକିରି, ଜଣକୁ ଡିଲରସିପ୍‌ କରାଇଦେବାକୁ କହି ୨ କୋଟି ଠକି ଧରାପଡ଼ିଲେ ଯୁବକ

Advertisment
୨୨ ଜଣଙ୍କୁ ବ୍ୟାଙ୍କରେ ଚାକିରି, ଜଣକୁ ଡିଲରସିପ୍‌ କରାଇଦେବାକୁ କହି ୨ କୋଟି ଠକି ଧରାପଡ଼ିଲେ ଯୁବକ

ସୋର: ବିଭିନ୍ନ ପ୍ରକାର ଆଳ ଦେଖାଇ ଜଣେ ଯୁବକ ବାଲେଶ୍ବର ଜିଲ୍ଲା ସୋର ଅଂଚଳର ଲୋକଙ୍କ ଠାରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ଗିରଫ ସହ କୋର୍ଟ ଚାଲାଣ କରିଛି। ଏନେଇ ସୋର ପୁଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ସୋର ଥାନା ମାଣତ୍ରୀ ପଂଚାୟତ ମାଣତ୍ରୀ ଗ୍ରାମର ରମେଶ ଚନ୍ଦ୍ର ପାଢ଼ୀ ୨୦୧୯ ମସିହାରେ ସାଜନପୁର ପଞ୍ଚାୟତ ଚପରପଦା ଗ୍ରାମର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କର ୨୨ ଜଣ ସାଥୀଙ୍କୁ ବ୍ୟାଙ୍କରେ ଚାକିରି କରାଇଦେବାର ଆଳ ଦେଖାଇ ପ୍ରତ୍ୟେକଙ୍କ ଠାରୁ ୩ ଲକ୍ଷ ଲେଖାଏଁ ଟଙ୍କା ନେଇଥିଲେ। କିଛିଦିନ ପରେ ଚାକିରି ମିଳିବାର କୌଣସି ସୂଚନା ନମିଳିବାରୁ ଶ୍ରୀ ପଣ୍ଡା ଓ ତାଙ୍କର ସାଥୀମାନେ ରମେଶଙ୍କୁ ଧରିବାରୁ ସେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ପରେ ଏ ବାବଦରେ କୌଣସି ବିଜ୍ଞାପନ ଆସିନଥିବା ବ୍ୟାଙ୍କ ପକ୍ଷରୁ ସୂଚନା ପାଇବା ପରେ ଶ୍ରୀ ପଣ୍ଡାଙ୍କ ସମେତ ଅନ୍ୟ ସାଥୀମାନେ ଠକେଇର ଶିକାର ହୋଇଥିବା ଜାଣିପାରି ସୋର ଥାନାରେ ଏତଲ ଦେଇଥିଲେ।

ସେହିଭଳି ଭାବେ ସୋର ଅଞ୍ଚଳର ଶୁଶାନ୍ତ କୁମାର ଦାସଙ୍କ ଠାରୁ ୨୦୧୫ ମସିହାରେ କିରୋସିନ ଡିଲରସିପ କରାଇଦେବାର ଆଳ ଦେଖାଇ ୫୮ ଲକ୍ଷ ଟଙ୍କା ଠକିଥିବା ଶ୍ରୀ ଦାସ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପରେ ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ରମେଶଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଭଦ୍ରକ ଅଂଚଳରୁ ଗିରଫ କରି ଆଜି ଅପରାହ୍ଣରେ କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ରମେଶଙ୍କ ନାମରେ ସୋର ଥାନାରେ ୯ଟି ଓ କେଉଁଝର ଟାଉନ ଥାନାରେ ଗୋଟିଏ ଠକେଇ ମାମଲା ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ସେହିପରି ୨୦୧୨ ମସିହାରେ ମଧ୍ୟ ରେମୁଣା ବିଧାୟକ ସୁଦର୍ଶନ ଜେନାଙ୍କ ଲେଟରପେଡ ବ୍ୟବହାର କରି ଚାକିରି କରାଇଦେବା ନାଁରେ ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ପୁଲିସ ତାଙ୍କୁ ରିମାଇଣ୍ଡରରେ ଆଣି ଅଧିକ ତଦନ୍ତ ଆରମ୍ଭ କରିବ ବୋଲି ଏସ୍ଡ଼ିପିଓ ଡ଼ ଶଶାଙ୍କ ଶେଖର ବେଉରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe