Navbharat Times
କାଶୀନଗର : ସୌଖୀନ କାର୍ ପାଇବା ଲୋଭରେ ଜଣେ ଯୁବକ ଠକାମୀର ଶିକାର ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ। ଯୁବକଙ୍କଠାରୁ ଦୁର୍ବୃତ୍ତ ପ୍ରାୟ ୨ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମାସାଧିକ କାଳ ଅପେକ୍ଷା କରି ଶେଷରେ ଠକଙ୍କ ମୋବାଇଲ ସୁଇଚ ଅଫ୍ ହେବା ପରେ ଯୁବକଙ୍କ ଚେତା ପଶିଛି। ଯୁବକ ଜଣକ ହେଉଛନ୍ତି କାଶୀନଗର ହରିଜନ ସାହିର ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସିର୍ଲା ଧର୍ମା ରାଓଙ୍କ ପୁଅ ନବୀନ କୁମାର। ଶେଷରେ ନବୀନଙ୍କ ପିତା ଧର୍ମା ରାଓ କାଶୀନଗର ଥାନାରେ ଏତଲା ଦେଇଛନ୍ତି। ପୁଲିସ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ସୂଚନା ମୁତାବକ ଦୁଇ ମାସ ତଳେ ନବୀନଙ୍କ ମୋବାଇଲକୁ ୧୨.୬୦ ଲକ୍ଷ ଟଙ୍କାର ଟାଟା ସଫାରି ପୁରସ୍କାର ପାଇଥିବା ନେଇ ଏକ ମେସେଜ୍ ଆସିଥିଲା। ଗୋଟିଏ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆ ଯାଇଥିଲା। ଯୋଗାଯୋଗ ପରେ ରେଜିଷ୍ଟ୍ରେସନ, ସର୍ଭିସ ଚାର୍ଜ ବାବଦରେ ୩୮ ହଜାର ୬୦୦ ଟଙ୍କା ଗୋଟିଏ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଜମା କରିବାକୁ କୁହା ଯାଇଥିଲା। ଗତ ଏପ୍ରିଲ ୯ରେ କାଶୀନଗର ବସ୍ଷ୍ଟାଣ୍ତ ନିକଟରେ ଥିବା କିଓସ୍କ ବ୍ୟାଙ୍କ ମାଧ୍ୟମରେ ପ୍ରଥମ ପର୍ଯାୟରେ ଏହି ଅର୍ଥ ଜମା କରିଥିଲେ। କିଛି ଦିନ ପରେ ପୁଣି ଆଉ ଏକ ଫୋନ୍ କଲ ଆସିଲା ଏବଂ ପରାମର୍ଶ ଅନୁଯାୟୀ ସୌଖୀନ କାର୍ ଲୋଭରେ ନବୀନ ପ୍ରାୟ ୧୦ଟି କିସ୍ତିରେ ସେହି ନିର୍ଦ୍ଦିଷ୍ଟ ଆକାଉଣ୍ଟ ନମ୍ବରରେ ୧.୮୨ ଲକ୍ଷ ଟଙ୍କା ଜମା କରିଦେଲେ। ହେଲେ ଟଙ୍କା ଜମା କରିବା ପରେ ଆଉ ଗାଡ଼ିର ନାଁ ଗନ୍ଧ ନାହିଁ। ଏଥିରେ ବ୍ୟସ୍ତ ହୋଇ ପୁଣି ସେହି ନମ୍ବରକୁ କଲ କରି ଗାଡି କେବେ ପହଂଚିବ ବୋଲି ପ୍ରଶ୍ନ କରିଥିଲେ ନବୀନ। ସଂପୃକ୍ତ ଠକ ଆଉ କିଛି ଅର୍ଥ ଜମା କରିବାକୁ ପଡିବ ବୋଲି ଉତ୍ତର ଦେଇଥିଲେ। ନବୀନ ଆଉ ଗାଡ଼ି ଦରକାର ନାହିଁ, ମୋ ଟଙ୍କା ଫେରାଇ ଦିଅ ବୋଲି ଅନୁରୋଧ କରିଥିଲେ। ଏଥିରେ ସହମତି ପ୍ରକାଶ କରି ଆକାଉଣ୍ଟ ନମ୍ବର ଦେଲେ ସେଥିରେ ଡିପୋଜିଟ କରିଦେବୁ ବୋଲି ଉତ୍ତର ଆସିଥିଲା। ତେଣୁ ଟଙ୍କା ଫେରି ଆସିବା ଆଶାରେ ନବୀନ ନିଜ ଆକାଉଣ୍ଟ ନମ୍ବରର ବିଭିନ୍ନ ତଥ୍ୟ ଦେଇଥିଲେ। ଆଉ ଏହାର କିଛି ସମୟ ପରେ ତାଙ୍କ ଆକାଉଣ୍ଟରେ ଥିବା ସମସ୍ତ ପଇସା ଖାଲି ହୋଇ ଯାଇଥିଲା। ଭାଗ୍ୟବଶତଃ ତାଙ୍କ ଆକାଉଣ୍ଟରେ ମାତ୍ର ୧୧ ହଜାର ଟଙ୍କା ଥିଲା। ପୂର୍ବରୁ ବିଭିନ୍ନ ପର୍ଯ୍ୟୟରେ କିଓସ୍କୋ ବ୍ୟାଙ୍କ ମାଧ୍ୟରେ ଡିପୋଜିଟ କରିଥିବା ୧.୮୨ ଲକ୍ଷ ଟଙ୍କା ଓ ତାଙ୍କ ବ୍ୟାଙ୍କ ଆକାଉଂଟରେ ରହିଥିବା ୧୧ ହଜାର ଟଙ୍କା ଏଭଳି ସମୁଦାୟ ୧.୯୩ ଲକ୍ଷ ଉଭାନ ହୋଇଯିବା ପରେ ସେ ଠକାମୀର ଶିକାର ହୋଇଥିବା ଜାଣି ପାରିଥିଲେ। ସେହି ନମ୍ବରକୁ ଫୋନ କଲେ ସୁଇଚ ଅଫ ଦେଖାଇଥିଲା। ଏକଥା ତାଙ୍କ ପିତାଙ୍କୁ କହିବା ପରେ ଶେଷରେ ଥାନାରେ ଏତଲା ଦେଇଥିଲେ।
Follow Us