୨୦ ଲକ୍ଷ ସରକାରୀ ଅର୍ଥ ସ୍ୱାହା, ବିନା ବ୍ୟବହାରରେ ଭଙ୍ଗାଯିବ ନୂଆବଜାର ଖେଳ ପଡ଼ିଆ ଗ୍ୟାଲେରି

Advertisment
୨୦ ଲକ୍ଷ ସରକାରୀ ଅର୍ଥ ସ୍ୱାହା, ବିନା ବ୍ୟବହାରରେ ଭଙ୍ଗାଯିବ ନୂଆବଜାର ଖେଳ ପଡ଼ିଆ ଗ୍ୟାଲେରି

କଟକ-ବିଦ୍ୟାଧରପୁର : ନୂଆବଜାର ହାଇସ୍କୁଲ ଖେଳ ପଡ଼ିଆରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଗ୍ୟାଲେରି ନିର୍ମାଣର ଉଦ୍ଦେଶ୍ୟକୁ ନେଇ ଏବେ ପ୍ରଶ୍ନ ଉଠୁଛି। ନିକଟରେ ଏଠାରେ ଇନ୍‌ଡୋର ଷ୍ଟାଡିୟମ୍‌ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ଏହି ୨୦ ଲକ୍ଷ ଟଙ୍କାର ଗ୍ୟାଲେରିକୁ ଭାଙ୍ଗି ଦିଆଯିବ। କଟକ ସାଂସଦଙ୍କ ପାଣ୍ଠିରୁ ନିର୍ମିତ ଏହି ଗ୍ୟାଲେରି ଏଯାଏ କୌଣସି ବ୍ୟବହାରରେ ଆସି ନଥିବା ବେଳେ ଏଥି ପାଇଁ କିଏ ଯୋଜନା କରିଥିଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଦାୟିତ୍ବରେ ଥିବା ଯନ୍ତ୍ରୀ ଏଥିରେ ସେମାନଙ୍କର ଭୂମିକା ନାହିଁ ବୋଲି କହି ହାତ ଝାଡ଼ିଦେଉଥିବା ବେଳେ ଏଭଳି ଏକ ଅନାବଶ୍ୟକ ପ୍ରକଳ୍ପ ନିର୍ମାଣ କରି କେବଳ ସରକାରୀ ଅର୍ଥ ଶ୍ରାଦ୍ଧ ହୋଇଥିବା ଅଭିଯୋଗ ହୋଇଛି।

publive-image

୧୯୪୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା କଟକ ପୂର୍ବାଞ୍ଚଳର ସର୍ବପୁରାତନ ନୂଆ ବଜାର ସରକାରୀ ହାଇସ୍କୁଲ। ଏହି ହାଇସ୍କୁଲରେ ଏବେ ୭୦୦ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ସ୍କୁଲର ୫ ଏକରରୁ ଉର୍ଦ୍ଧ୍ବ ଜାଗାରେ ରହିଛି ଖେଳ ପଡ଼ିଆ। କିନ୍ତୁ ଦୀର୍ଘ ବର୍ଷ ହେଲା ରକ୍ଷଣାବେକ୍ଷଣ ଅଭାବରୁ ଏହା ବିପର୍ଯ୍ୟସ୍ତ ହୋଇ ରହିଛି। ଜାଇକା ସମ୍ପୂର୍ଣ୍ଣ ପଡ଼ିଆକୁ ଖାଲଖମା କରି ନଷ୍ଟ କରି ପଡ଼ିଆକୁ ନାଳ ନର୍ଦ୍ଦମାରେ ପରିଣତ କରିଦେଇଛି। ଖେଳ ପଡ଼ିଆର ଏଭଳି ସ୍ଥିତିରେ ଏଠାରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଗ୍ୟାଲେରି। ଅନାବନା ବଣ ଜଙ୍ଗଲରେ ଗ୍ୟାଲେରି ଲୁଚି ଗଲାଣି। ଏହି ଖେଳ ପଡ଼ିଆର ଏବେ ଉନ୍ନତିକରଣ ହୋଇ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ହେବ। ଡିସେମ୍ବର ୩୧ ତାରିଖରେ ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ ଏହାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉପସ୍ଥିତି ଥିବା ସହକାରୀ ଯନ୍ତ୍ରୀ ପିନାକୀ ସ୍ବାଇଁଙ୍କୁ ଏଭଳି ସ୍ଥିତି ସଂପର୍କରେ ପଚରା ଯିବାରୁ ସେ କହିଛନ୍ତି ଯେ ୨୦ଲକ୍ଷ ଟଙ୍କା ବ୍ୟୟରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ପାଣ୍ଠିରେ ଗ୍ୟାଲେରି ନିର୍ମାଣ କାର୍ଯ୍ୟ ହୋଇଛି। ଖେଳ ପଡ଼ିଆର ଏଭଳି ସ୍ଥିତିରେ ଗ୍ୟାଲେରି କେମିତି ନିର୍ମାଣ‌ ହେଲା, ସେ ସଂପର୍କରେ ସେ ଜାଣନ୍ତି ନାହିଁ। ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଅନୁପ ବେହେରା କହିଥିଲେ ଯେ ଖେଳ ପଡ଼ିଆକୁ ଜାଇକା ନଷ୍ଟଭ୍ରଷ୍ଟ  କରି ଦେଇଛି। ତାଙ୍କୁ ଆମେ ତାଗିଦ୍ କରିଛୁ। କିନ୍ତୁ ସେ ବି ଗ୍ୟାଲେରି ସଂପର୍କରେ ଜାଣନ୍ତି ନାହିଁ ବୋଲି କହିଥିଲେ। ଏବେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ହେଲେ ଓପନ ଗ୍ୟାଲେରିର ଆବଶ୍ୟକତା ନାହିଁ। ଏହି ଗ୍ୟାଲେରି ଭଙ୍ଗାଯିବ। ଅର୍ଥାତ୍ ୨୦ ଲକ୍ଷ ଟଙ୍କା ପାଣିରେ ପଡ଼ିବାକୁ ଯାଉଛି।

ନୂଆବଜାର ହାଇସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟଜିତ ମହାପାତ୍ର କହିଛନ୍ତି ଯେ କେବଳ ଗ୍ୟାଲେରି ନୁହେଁ, ହାଇସ୍କୁଲର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପାଇଁ ଏକ ଛୋଟ ମଣ୍ଡପ କରାଯାଇଛି। ଯାହା କୈାଣସି କାମରେ ଲାଗିବ ନାହିଁ। ବର୍ଷକ ପୂର୍ବରୁ ମଣ୍ଡପ କାର୍ଯ୍ୟ ଆରମ୍ଭ ବେଳେ ସ୍କୁଲ ପକ୍ଷରୁ ଯନ୍ତ୍ରୀ ଓ ଠିକାଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ବେଳେ ସେମାନେ କିନ୍ତୁ ତାହାକୁ ଗୁରୁତ୍ବ ଦେଇ ନଥିଲେ। ଫଳରେ ହୋଇଥିବା ନିର୍ମାଣ କାର୍ଯ୍ୟ କୌଣସି କାମରେ ଲାଗିବା ସ୍ଥିତିରେ ନାହିଁ। ଅନ୍ୟପଟେ ସରକାରୀ କାମରେ ଫଳକ ଲାଗିବା ନିୟମ ଥିଲେ ବି ପୂର୍ତ୍ତବିଭାଗ ତାହା କରୁନଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe