ଭୁବନେଶ୍ୱର : କଥାରେ ଅଛି, ପ୍ରବଳ ଇଚ୍ଛାଶକ୍ତି ଆଗରେ ସବୁ ବାଧାବିଘ୍ନ, ପ୍ରତିବନ୍ଧକ ହାର୍ ମାନିଯାଏ। ୨୭ ବର୍ଷୀୟ ଜଣେ ଓଡ଼ିଆ ଯୁବକ ସୁମିତ କୁମାର ତୁରୁକ୍ଙ୍କ କ୍ଷେତ୍ରରେ ଏହି ଉକ୍ତିଟି ଏବେ ଶତପ୍ରତିଶତ ପ୍ରଯୁଜ୍ୟ ହୋଇପାରିଛି। ସଫଳତା ପାଇଁ ତାଙ୍କ ଆଗରେ ଅର୍ଥାଭାବ ମୁଖ୍ୟ ବାଧକ ସାଜିଥିଲେ ହେଁ ମାତ୍ର ୩ ଘଣ୍ଟାରୁ କମ୍ ସମୟ ମଧ୍ୟରେ ସେ ଏହି ସମସ୍ୟାରୁ ମୁକୁଳି ପାରିଛନ୍ତି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ନାମଲେଖା ଫି' ବାବଦକୁ ୨୮ଲକ୍ଷ ଟଙ୍କା ସେ ଲୋକଙ୍କ ଅନୁଦାନରୁ ଯୋଗାଡ଼ କରିପାରିଛନ୍ତି। ଖାଲି ସେତିକି ନୁହେଁ, ଏହାବାଦ୍ ବହୁ ସହୃଦୟ ଲୋକ ସେଠାରେ ତାଙ୍କ ରହିବା, ଖାଇବା ପିଇବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ଆହୁରି ୯ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ଏହିପରି ଭାବେ ସୁମିତ ନିଜ ପାଇଁ ୩୭ଲକ୍ଷ ୩୩ ହଜାର ୧୫୫ ଟଙ୍କା ଯୋଗାଡ଼ କରିପାରିଛନ୍ତି।
କୋରାପୁଟ ଜିଲ୍ଲା, ନାରାୟଣପାଟଣା ବ୍ଲକର ସୁମିତ ତୁରୁକ ଓରଫ ସୁମିତ ସାମୋସ୍ ଜଣେ ମେଧାବୀ ଛାତ୍ର, ସଂଗୀତ ରାପର୍ ଓ ଜାତିବାଦ ବିରୋଧୀ କାର୍ଯ୍ୟକର୍ତ୍ତା (ଆଣ୍ଟିକାଷ୍ଟ ଆକ୍ଟିଭିଷ୍ଟ)। ତାଙ୍କ ରାପ୍-ଗୀତଗୁଡ଼ିକ ମୁଖ୍ୟତଃ ଜାତିବାଦ ବିରୋଧୀ। ସେ ଏହାକୁ ନେଇ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ରାପ୍-ଗୀତ ପରିବେଷଣ କରନ୍ତି। ସୁମିତଙ୍କ ଅନେକ ଭିଡିଓ ୟୁ-ଟ୍ୟୁବ୍ରେ ଉପଲବ୍ଧ ଅଛି। ତେବେ ଦିଲ୍ଲୀ ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିବା ସୁମିତଙ୍କୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ 'ମଡର୍ଣ୍ଣ ସାଉଥ୍ ଏସିଆନ୍ ଷ୍ଟିଡିଜ୍' ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ଲାଭ ପାଇଁ ନିକଟ ଅତୀତରେ ସୁଯୋଗ ମିଳିଛି। ଏହି ପାଠ୍ୟକ୍ରମରେ ନାମଲେଖା ପାଇଁ ୨୮ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା। ସୁମିତଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିବାରୁ ସେ ଛାତ୍ରବୃତ୍ତି ପାଇଁ ଆବେଦନ କରିଥିଲେ। କିନ୍ତୁ ସେଥିରେ ତାଙ୍କୁ ସଫଳତା ମିଳି ନଥିଲା। ତେଣୁ ସୁମିତ ସହୃଦୟ ଲୋକଙ୍କ ସହଯୋଗ ଲୋଡ଼ିଥିଲେ। ଏନେଇ ସେ ଟ୍ବିଟର୍ରେ #SumitToOxford ନାମରେ ଏକ ଅଭିଯାନ ଚଳାଇ ନିଜ ପାଠପଢ଼ା ପାଇଁ ଅର୍ଥ ଯୋଗାଡ଼ (ଫଣ୍ଡ ରେଜିଂ) କରିବା ପାଇଁ ଉଦ୍ୟମ କରିଥିଲେ। ସୁମିତଙ୍କ ଏହି ଉଦ୍ୟମ କାମ ଦେଲା ଓ ମାତ୍ର ୩ ଘଣ୍ଟାରୁ କମ୍ ସମୟ ମଧ୍ୟରେ ସେ ନାମଲେଖା ବାବଦକୁ ୨୮ଲକ୍ଷ ଟଙ୍କା ଯୋଗାଡ଼ କରିପାରିଥିଲେ। ତେବେ ସେଠାରେ ରହିବା, ଖାଇବା ପିଇବା ଆଦି ମହଙ୍ଗା ହୋଇଥିବାରୁ ବହୁ ସହୃଦୟ ଲୋକ ତାଙ୍କୁ ଆହୁରି ୯ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ। ଏହିପରି ଭାବେ ସୁମିତ ନିଜ ପାଇଁ ୩୭ ଲକ୍ଷ ୩୩ ହଜାର ୧୫୫ ଟଙ୍କା ଯୋଗାଡ଼ କରିପାରିଛନ୍ତି। ଆଉ କିଛି ଶୁଭେଚ୍ଛୁ ତାଙ୍କର ଏହି ସଫଳତାକୁ ପ୍ରଶଂସା କରି ତାଙ୍କ ମନୋବଳ ବଢ଼ାଇଥିଲେ। ଏନେଇ ସୁମିତ ଟ୍ବିଟ୍ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଶୀର୍ବାଦ କାମନା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଉଚ୍ଚଶିକ୍ଷାରେ ଜାତିଗତ ଭେଦଭାବ ବିରୋଧରେ ସ୍ବରଉତ୍ତୋଳନ କରି ସୁମିତ ସୋସିଆଲ ମିଡିଆରେ ଜଣେ ଜଣାଶୁଣା ଚେହେରା ପାଲଟି ଯାଇଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଛାତ୍ରଜାଗରଣ ସୃଷ୍ଟି ଉଦ୍ଦେଶ୍ୟରେ ସେ ବିଦେଶର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟ ବୁଲିବା ସହ ପାଖାପାଖି ୧୦୦ଟି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହାସହ ସେ 'ଫ୍ରେଞ୍ଚ ରେଡିଓ ଲାଇଭ୍ (ପ୍ୟାରିସ୍)ରେ ଉପସ୍ଥାପକ ଭାବେ କାମ କରିବା ସହ ଫ୍ରାନ୍ସର ବିଭିନ୍ନ ରଙ୍ଗମଞ୍ଚରେ ଜାତିବାଦ ପ୍ରସଙ୍ଗ ଉପରେ ମଞ୍ଚାଭିନୟ କରିଛନ୍ତି।
Follow Us