କରୋନା କବଳରେ ବୁଣାକାର: ବିକ୍ରି ହୋଇପାରୁନି ୩କୋଟି ଟଙ୍କାର ଲୁଗା

କରୋନା କବଳରେ ବୁଣାକାର: ବିକ୍ରି ହୋଇପାରୁନି ୩କୋଟି ଟଙ୍କାର ଲୁଗା

ମଜୁରି ନପାଇ ୨ହଜାର ବୁଣାକାର ଭୋକିଲା
ସରକାରଙ୍କ ୩୦କୋଟି ସହାୟତା କୁଆଡ଼େ ଗଲା?

ଯାଜପୁର/ରସୁଲପୁର : କରୋନା ଭାଙ୍ଗି ଦେଉଛି ଆର୍ଥିକ ମେରୁଦଣ୍ଡ। ବିଶେଷ ଭାବେ ପ୍ରଭାବିତ ହୋଇଛି କୁଟୀର ଶିଳ୍ପ। ହସ୍ତତନ୍ତ ବସ୍ତ୍ର ପାଇଁ ପ୍ରସିଦ୍ଧ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ପ୍ରଥମାଖଣ୍ତ ପଞ୍ଚାୟତର ଗୋପାଳପୁର ଗ୍ରାମର ବୁଣାକାରଙ୍କ ବେଉସା ବୁଡ଼ାଇ ଦେଇଛି କରୋନା। ଏଠକାର ୨ହଜାର ବୁଣାକାରଙ୍କର ପ୍ରାୟ ୩କୋଟି ଟଙ୍କାର ବସ୍ତ୍ର ବର୍ଷେ ହେଲା ବିକ୍ରି ହୋଇନପାରି ପଡ଼ିରହିଛି। ବୁଣାକାର ମଜୁରି ପାଇନଥିବାରୁ ହଜାରେରୁ ଅଧିକ ପରିବାରର ଆର୍ଥିକ ଓ ସାମାଜିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ଅପରପକ୍ଷରେ ସରକାର ଯୋଗାଇ ଥିବା ୩କୋଟି ଟଙ୍କାର ସହାୟତା ମଧ୍ୟ ସେମାନଙ୍କ ନିକଟରେ ପହଞ୍ଚି ପାରନି। ଅଧିକାରୀଙ୍କ ମୁନାଫାଖୋର ମନବୃତ୍ତି ସରକାରଙ୍କ ଏମ୍ଏ‌ସ୍ଏ‌ମ୍ଇ‌ ଅଭିମୁଖ୍ୟକୁ ପ୍ରହସନରେ ପରିଣତ କରିଛି।

ପ୍ରକାଶଥାଉକି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଥମାଖଣ୍ଡ ପଞ୍ଚାୟତର ଗୋପାଳପୁର, ଚକଗୋପାଳପୁର ଓ ଗୋବିନ୍ଦପାଟଣା ଗ୍ରାମର ଅଭିଜ୍ଞ ବୁଣାକାରମାନଙ୍କର ଟସର ବସ୍ତ୍ରର ବେଶ ଚାହିଦା। ଏଥିପାଇଁ ଏହି ଗ୍ରାମ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ବର୍ତ୍ତମାନ ହଜାର ହଜାର ବୁଣାକାରଙ୍କର ବଡ଼ ସମସ୍ୟା ସେମାନେ ପ୍ରସ୍ତୁତ କରିଥିବା ଲୁଗା ବିକ୍ରି ହୋଇପାରୁନି। ବୁଣିଥିବା ଲୁଗା ବିକ୍ରି ନହେବା କାରଣରୁ ମଜୁରି ମିଳି ପାରୁନାହିଁ। ନୂଆ କାମ ମଧ୍ୟ ନାହିଁ। ଏଠାରେ ବୁଣାକାରଙ୍କ ୧୭ଟି ତନ୍ତୁବାୟ ସହଯୋଗ ସମିତି (ଡବ୍ଲ୍ୟୁସିଏସ) ରହିଛି। ଏହି ସମିତି ଜରିଆରେ ବୁଣାକାରମାନଙ୍କୁ ସୂତା ଯୋଗାଇ ଦିଆଯାଏ। ଅର୍ଡର ଅନୁସାରେ ଲୁଗା ବୁଣିଲା ପରେ ବୁଣାକାରଙ୍କୁ ମଜୁରି ମିଳିଥାଏ। ବୁଣା ହୋଇଥିବା ଲୁଗା ବିକ୍ରି ନହେବାରୁ ମଜୁରି ନପାଇ ଅଭାବ ଅସୁବିଧା ମଧ୍ୟରେ କାଳାତିପାତ କରୁଛନ୍ତି। ଅର୍ଥ ଅଭାବରୁ ବୁଣାକାର ପରିବାରଗୁଡ଼ିକ ମୌଳିକ ଅାବଶ୍ୟକତା ମଧ୍ୟ ପୂରଣ କରିପାରୁନାହାନ୍ତି । ଡବ୍ଲ୍ୟୁସିଏସ ଗୁଡ଼ିକ ବାର୍ଷିକ ଏହି ଅଞ୍ଚଳରୁ ୭-୮କୋଟି ଟଙ୍କାର ଟସର ବସ୍ତ୍ର ବୟନିକା, ଉତ୍କଳିକା, ସେରିଫେଡ୍ ପ୍ରଭୃତି ସଂସ୍ଥାମାନଙ୍କୁ ବିକ୍ରି କରିଥାନ୍ତି। କରୋନା କାରଣରୁ ଏହି ସଂସ୍ଥାମାନେ ଉତ୍ପାଦିତ ବସ୍ତ୍ର କିଣୁନାହାନ୍ତି। ସରକାରଙ୍କ ପକ୍ଷରୁ କରୋନା ସମସ୍ୟାକୁ ଦୃଷ୍ଟିରେ ରଖି ଏହି ସବୁ ସଂସ୍ଥାକୁ ବୁଣାକାରଙ୍କ ଲୁଗା କିଣିବା ପାଇଁ ୩୦ କୋଟି ଟଙ୍କାର ସହାୟତା ଦିଆଯାଇଥିଲେ ମଧ୍ୟ ଏହାର ସୁଫଳ ଏହି ତୃଣମୂଳସ୍ତରରେ ପହଞ୍ଚି ପାରିନି। ଲୁଗା କିଣିବାରେ ବୟନିକାର କିଛି ଅଧିକାରୀ ବାଛବିଚାର କରୁଛନ୍ତି ବୋଲି ବୁଣାକାର ତଥା ଡବ୍ଲ୍ୟୁସିଏସର କାର୍ଯ୍ୟକର୍ତ୍ତାମାନେ ସିଧାସଳଖ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe