ମହଙ୍ଗା ପଡ଼ିଲା ନାବାଳକଙ୍କ ବାଇକ ଚାଳନା: ଗାଡି ମାଲିକଙ୍କ ନାମରେ କଟିଲା ୩୩,୫୦୦ ଟଙ୍କାର ଜରିମାନା

ଆର୍‌ଟିଓଙ୍କ ପାଇଁ ୧୪୨ କୋଟିର ଇ-ଚାଲାଣ ଓ ଜରିମାନା ଆଦାୟ ଲକ୍ଷ୍ୟଧାର୍ଯ୍ୟ

ବୌଦ୍ଧ : ଜଣେ ନାବାଳକଙ୍କ ବାଇକ ଚାଳନା ମହଙ୍ଗା ପଡ଼ିଛି। ଆର୍‌ଟିଓ ପକ୍ଷରୁ ବାଇକର ମାଲିକଙ୍କ ନାମରେ ୩୩ ହଜାର ୫୦୦ ଟଙ୍କାର ଚଲାନ କଟିଛି। ଜରିମାନା ଆଦାୟ ନ ହେବା ପର୍ଯ୍ୟନ୍ତ ଗାଡ଼ିକୁ ଥାନାରେ ଅଟକ ରଖିବାକୁ ମନମୁଣ୍ଡା ପୁଲିସକୁ ଅନୁରୋଧ କରାଯାଇଛି।

ବୌଦ୍ଧ ଜିଲ୍ଲା ଦେଇ ଲମ୍ବିଥିବା ୫୭ ନଂ ଜାତୀୟ ରାଜପଥ ଓ ୪୨ ନଂ ରାଜ୍ୟ ରାଜପଥରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ତେଣୁ ଆଞ୍ଚଳିକ ପରିବହନ ବିଭାଗ ବିଭିନ୍ନ ରାସ୍ତାରେ ତନଖି ଜୋରଦାର କରିଛି। ବିଭାଗର ଇଣ୍ଟରସେପ୍‌ଟର ଗାଡ଼ି ଜିଲ୍ଲାରେ ପଇନ୍ତରା ମାରୁଛି। ବିଭାଗୀୟ ଚଢ଼ଉ ଦଳ ସୋମବାର ୫୭ ନଂ ଜାତୀୟ ରାଜପଥର ବୌଦ୍ଧ-ମନମୁଣ୍ଡା ରାସ୍ତାରେ ଜଣେ ନାବାଳକ ବାଇକ (ଓଡି-୩୧-ଇ-୬୨୯୦) ଚାଳନା କରୁଥିବା ଚିହ୍ନଟ କରିଥିଲେ। ନାବାଳକର ବୟସ ୧୫ ବର୍ଷ ହୋଇଥିବା ବେଳେ ଡ୍ରାଇଭିଂ ଲାଇସେନ୍ସ ନଥିବା, ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିବା, ବାଇକ୍‌ର ସାମ୍ନାରେ ନମ୍ବର ପ୍ଲେଟ ନଥିବା ବେଳେ ପଛପଟ ନମ୍ବର ପ୍ଲେଟ୍‌ ଭାଙ୍ଗି ଯାଇଥିବା, ଗାଡ଼ିର ବୀମା ନଥିବା ଦେଖାଯାଇଥିଲା।

ଫଳରେ ନାବାଳକଙ୍କ ଗାଡ଼ି ଚାଳନା ପାଇଁ ସଡ଼କ ସୁରକ୍ଷା ଆଇନ ଧାରା ୧୯୯ଏ(୨)ରେ ୨୫ ହଜାର ଟଙ୍କା, ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିବାରୁ ୧୯୪(ଡି)ରେ ୧ ହଜାର ଟଙ୍କା, ଗାଡ଼ିର ବୀମା ନଥିବାରୁ ୧୯୬ ଧାରାରେ ୨ ହଜାର ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୧୮୧ ଧାରା‌ରେ ୫ ହଜାର ଟଙ୍କା, ଆଗ ନମ୍ବର ପ୍ଲେଟ ନଥିବା ଓ ପଛ ନମ୍ବର ପ୍ଲେଟ ଭାଙ୍ଗି ଶେଷ ଦୁଇଟି ସଂଖ୍ୟା ନଥିବାରୁ ୫ଶହ ଟଙ୍କା ମିଶାଇ ୩୩,୫୦୦ ଟଙ୍କା ଜରିମାନା କରାଯାଇଛି। ଚଢ଼ଉ ବେଳେ କନିଷ୍ଠ ଏମ୍‌ଭିଆଇ ପ୍ରମୋଦ ସିଂହଙ୍କ ସହ ବିଭାଗୀୟ କନେଷ୍ଟବଳ ପ୍ରକାଶ ବିଶ୍ବାଳ ଉପସ୍ଥିତ ଥିଲେ। ମନମୁଣ୍ଡା ଥାନା ଏଏସ୍‌ଆଇ ପବିତ୍ର ସାମଲଙ୍କ ସାକ୍ଷ୍ୟ ପ୍ରମାଣରେ ଗାଡ଼ି ମାଲିକ ଗୁଡ଼ଭେଲିପଦରର ଗୋପାଳ ମହାକୁଡ଼ଙ୍କ ନାମରେ ଚାଲାଣ କଟାଯାଇଛି। ଚାଲାଣରେ ଉଲ୍ଲେଖିତ ନଗଦ ଆଦାୟ ପାଇଁ ମନମୁଣ୍ଡା ଥାନାକୁ ବାଇକ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe