ଟ୍ରେନ୍‌ରେ ଯାତ୍ରୀ ଛାଡ଼ି ଆସିଥିଲେ ସାଢ଼େ ୪ ଲକ୍ଷ ଟଙ୍କା, ୨୦ ମିନିଟ୍‌ରେ ଉଦ୍ଧାର କଲା ଆର୍‌ପିଏଫ୍

Advertisment
ଟ୍ରେନ୍‌ରେ ଯାତ୍ରୀ ଛାଡ଼ି ଆସିଥିଲେ ସାଢ଼େ ୪ ଲକ୍ଷ ଟଙ୍କା, ୨୦ ମିନିଟ୍‌ରେ ଉଦ୍ଧାର କଲା ଆର୍‌ପିଏଫ୍

ରାୟଗଡ଼ା : ସାଢ଼େ ୪ ଲକ୍ଷ ଟଙ୍କା ନେଇ ବନ୍ଧୁ ଘରକୁ ଦେବା ପାଇଁ ଆସିଥିଲେ। କିନ୍ତୁ ଅନ୍ୟମନସ୍କତା ଯୋଗୁଁ ଟ୍ରେନରେ ଛାଡ଼ି ପଳାଇ ଆସିଥିଲେ ଟଙ୍କା ବ୍ୟା‌ଗ୍‌ । ଟ୍ରେନରୁ ଓହ୍ଲାଇ ବନ୍ଧୁ ଘରେ ପହଞ୍ଚିବା ପରେ ଏହା ଜାଣିପାରି ତୁରନ୍ତ ଆରପିଏଫ୍‌କୁ ଜଣାଇଲେ। ଆର୍‌ପିଏଫ୍‌ ମଧ୍ୟ ୨୦ ମିନିଟ୍ ମଧ୍ୟରେ ଟଙ୍କା ବ୍ୟାଗ୍ ଉଦ୍ଧାର କରିବା ସହ ସମୁଦାୟ ଟଙ୍କାକୁ ଯାତ୍ରୀକୁ ଫେରାଇ ଦେଲା। ଆଜି ଆରପିଏଫ୍‌ର ଏପରି କାର୍ଯ୍ୟକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିବା ବେଳେ କୃତଜ୍ଞତା ଜଣାଇଛନ୍ତି ଯାତ୍ରୀ ଶେଖ୍ ୟେଜଦାନି। ଏପରି ଘଟଣା ଘଟିଛି ବିଶାଖାପାଟଣା-ଦିଲ୍ଲୀ ନିଜାମୁଦ୍ଦିନ ମଧ୍ୟରେ ଚଳାଚଳ କରୁଥିବା ସମତା ଏକ୍ସପ୍ରେସରେ।

ଶେଖ ୟେଜଦାନି ନାମକ ଜଣେ ବ୍ୟକ୍ତି ସମତା ଏକ୍ସପ୍ରେସ ଯୋଗେ ଆଜି ବିଶାଖାପାଟଣାରୁ ରାୟଗଡ଼ା ଆସିଥିଲେ। ବି-୪ ସିଟ ନଂ ୨୭ରେ ଶେଖ ଆସି ରାୟଗଡ଼ା ଷ୍ଟେସନରେ ଓହ୍ଲାଇଥିଲେ। କିନ୍ତୁ ବନ୍ଧୁଙ୍କୁ ଦେବା ପାଇଁ ଆଣିଥିବା ଟଙ୍କା ଭର୍ତି ବ୍ୟାଗକୁ ଶେଖ୍ ଓହ୍ଲାଇବା ବେଳେ ଆଣିବାକୁ ଭୁଲି ଯାଇଥିଲେ। ଜଳଖିଆ ଖାଉଥିବା ସମୟରେ ଟଙ୍କା ଭର୍ତି ବ୍ୟାଗ୍ ଟ୍ରେନରେ ରହି ଯାଇଥିବା ଜାଣି ସଂଗେ ସଂଗେ ଆରପିଏଫକୁ ଜଣାଇଥିଲେ। ସେ‌ତେବେଳକୁ ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରି ସିଙ୍ଗାପୁର ରୋଡ୍ ଷ୍ଟେସନରେ ପହଞ୍ଚି ସାରିଥିଲା। ଆରପିଏଫ୍ ଥାନା ଅଧିକାରୀ ଡି. ଏନ୍. ତ୍ରିଲୋକଙ୍କ ନିର୍ଦେଶରେ ଆର୍‌ପିଏଫ୍‌ କନେଷ୍ଟବଳ ଡି. ପ୍ରସାଦ ଏବଂ ଏମ୍‌. ଏସ୍‌. ରାଓ ବି-୪ ବଗିରେ ପହଂଚି ସିଟ୍‌ ନଂ ୨୭ରୁ ଟଙ୍କା ଭର୍ତି ବ୍ୟାଗକୁ ଉଦ୍ଧାର କରିଥିଲେ। ଉଦ୍ଧାର ବ୍ୟାଗକୁ ଉଭୟ କନେଷ୍ଟବଳ ଆରପିଏଫ ଥାନା ଅଧିକାରୀ ଶ୍ରୀ ତ୍ରିଲୋକଙ୍କୁ ହସ୍ତାନ୍ତର କରିବା ପରେ ଏହା ଶେଖଙ୍କୁ ଫେରାଇଥିଲା ପୁଲିସ୍। ବ୍ୟାଗରେ ଥିବା ସମସ୍ତ ଟଙ୍କା ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ଯାତ୍ରୀ ଶେଖ୍ ଆରପିଏଫ୍‌କୁ କୃତଜ୍ଞତା ଜଣାଇଥିଲେ। ଏ ନେଇ ରାୟଗଡ଼ା ଆରପିଏଫ ଥାନାରେ ୨୩/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଛି। ଆବଶ୍ୟକ ନଥିପତ୍ର ଯାଂଚ ପରେ ଉକ୍ତ ଟଙ୍କାକୁ ଯାତ୍ରୀ ୟେଜଦାନିଙ୍କୁ ପ୍ରଦାନ କରାଯାଇଥିବା ଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe