The Economic Times
ଭୁବନେଶ୍ବର : ପୁଞ୍ଜିନିବେଶ ଆକୃଷ୍ଟ କରିବାର ପସନ୍ଦ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା। ଗତ ଚାରିଟି ଆର୍ଥିକ ବର୍ଷରେ ରାଜ୍ୟକୁ ୪,୫୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି। ଏଥି ସହିତ ଏକ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏମ୍ଏସ୍ଏମ୍ଇ ରପ୍ତାନି ପ୍ରସାର ପରିଷଦ ଓ ଅର୍ଗାନିକ୍ ଖାଦ୍ୟ ଉତ୍ପାଦନକାରୀ ଓ ମାର୍କେଟିଂ ଏଜେନ୍ସିଙ୍କ ମହାସଂଘ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ୨୦୧୮-୧୯ରୁ ୨୦୨୧-୨୨ ମଧ୍ୟରେ ଏହି ପୁଞ୍ଜିନିବେଶ ଓଡ଼ିଶାକୁ ଆସିଛି।
ଏମ୍ଏସ୍ଏମ୍ଇ ରପ୍ତାନି ପ୍ରସାର ପରିଷଦର ଅଧ୍ୟକ୍ଷ ଡି ଏସ୍ ରାୱତ୍ କହିଛନ୍ତି ଯେ ଆଲୋଚ୍ୟ ଚାରି ଆର୍ଥିକ ବର୍ଷ ମଧ୍ୟରେ ୧,୨୬,୫୨୯.୫୩ କୋଟି ଟଙ୍କାରେ ବିନିଯୋଗରେ ନିର୍ମାଣ କରାଯାଇଥିବା ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି। ଅନ୍ୟ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକର କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ମଧ୍ୟ ହୋଇଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍ଆଇଇ) ତଥ୍ୟ ଆଧାରରେ ଏହି ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତ କରାଯାଇଛି। କରୋନା ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା ବର୍ଷ ୨୦୨୦-୨୧ରେ ଓଡ଼ିଶା ୧,୧୨,୧୧୮.୪୬ କୋଟି ଟଙ୍କା ନିବେଶ ହାସଲ କରିଥିଲା। ୨୦୨୧-୨୨ରେ ୧,୧୨,୩୨୯.୦୪ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଥିଲା। ୨୦୨୦-୨୧ ସୁଦ୍ଧା ବକେୟା ନିବେଶ ପ୍ରକଳ୍ପ ପରିମାଣ ୧୬,୪୩,୯୯୪.୪୫ କୋଟି ଟଙ୍କା ଥିଲା ଯାହା ୨୦୨୧-୨୨ ସୁଦ୍ଧା ୧୭,୬୫,୮୩୧.୭୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଶାରୁ ପେଟ୍ରୋଲିୟମ୍ ଓ ଅଶୋଧିତ ତୈଳ, କୃଷିଜାତ ସାମଗ୍ରୀ, ଖଣିଜ, ମାନୁଫାକ୍ଚରିଂ ସାମଗ୍ରୀ ଆଦିର ରପ୍ତାନିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଆଇଟି ବ୍ୟବସ୍ଥାକୁ ଗ୍ରହଣ କରିବାରେ ମଧ୍ୟ ରାଜ୍ୟ ଆଗୁଆ ରହିଛି। ପ୍ରାୟ ସବୁ ଚର୍ଚ୍ଚିତ ଆଇଟି କଂପାନିର ଉପସ୍ଥିତି ଓଡ଼ିଶାରେ ରହିଛି। ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକ ମଧ୍ୟ ଓଡ଼ିଶା ଆସୁଛନ୍ତି ବୋଲି ଶ୍ରୀ ରାୱତ କହିଛନ୍ତି। ରାଜ୍ୟରେ ଅର୍ଗାନିକ୍ ଚାଷ କରୁଥିବା ଚାଷୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି।
Follow Us