ଜାଲ୍‌ ଚେକ୍‌ରେ ବ୍ୟାଙ୍କ୍‌ରୁ ଉଠାଇନେଲେ ୪୬ ଲକ୍ଷ ଟଙ୍କା

ଥାନାରେ ମ୍ୟାନେଜରଙ୍କ ଏତଲା ପରେ ପୁଲିସର ତନାଘନା

ଜାଲ୍‌ ଚେକ୍‌ରେ ବ୍ୟାଙ୍କ୍‌ରୁ ଉଠାଇନେଲେ ୪୬ ଲକ୍ଷ ଟଙ୍କା

Image Courtesy of India Today

ଜଗତସିଂହପୁର ଟାଉନ୍ : ଅବିକଳ ଅସଲି ଚେକ୍‌ର ଲୋଗୋ, ଆକାଉଣ୍ଟଧାରୀଙ୍କ ଦସ୍ତଖତ ପୂରା ସମାନ। ବ୍ୟାଙ୍କ୍‌ ଅଧିକାରୀ ବି ଧୋକା ଖାଇ ଯାଇଛନ୍ତି। ଜଗତସିଂହପୁର ବ୍ୟାଙ୍କ ଅଫ୍ ବରୋଦାରେ ଏପରି ଜାଲ୍‌ ଚେକ୍‌ ବଳରେ ଠକ ୪୬ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବ୍ୟାଙ୍କର ବରିଷ୍ଠ ଶାଖା ପରିଚାଳକ ଆଜି ଥାନାରେ ଏତଲା ଦେବାପରେ ପୁଲିସ୍‌ ଘଟଣାର ତନାଘନା ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରେ ଚେକ୍‌କୁ କ୍ଲୋନିଂ କରାଯାଇଥିବା ପୁଲିସ ଅନୁମାନ କରୁଛି। ଏହାପଛରେ ସାଇବର ଅପରାଧୀଙ୍କ ଏକ ବଡ଼ ରୢାକେଟ୍‌ ଓ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଥିବା ପୁଲିସ୍‌ ସନ୍ଦେହ କରୁଛି।

ସୂଚନା ଅନୁସାରେ, ହସ୍ତତନ୍ତ ସହକାରୀ ନିର୍ଦ୍ଦେଶକଙ୍କର ଜଗତସିଂହପୁର ବ୍ୟାଙ୍କ ଅଫ୍ ବରୋଦାରେ ଆକାଉଣ୍ଟ ରହିଛି। ଗତ ୧୭ ତାରିଖରେ ଜଣେ ବ୍ୟକ୍ତି ସହକାରୀ ନିର୍ଦ୍ଦେଶକ(ହ୍ୟାଣ୍ଡିକ୍ରାଫ୍ଟ)ଙ୍କ ଆକାଉଣ୍ଟର ଏକ ଚେକ୍ ଆଣିଦେଲେ। ଯାହାର ନମ୍ବର ଥିଲା ୧୧୯। ଏହି ଚେକ୍‌ରେ ୪୬ ଲକ୍ଷ ୧୨ ହଜାର ୯୦୦ ଟଙ୍କା ଉଲ୍ଲେଖ କରାଯାଇଥିଲା। ଏହି ଟଙ୍କାକୁ ରୁମା ଟେଲିକମର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଆକାଉଣ୍ଟ(୨୩୧୫୦୨୦୦୦୦୦୦୩୪୦)କୁ ଆର୍‌ଟିଜିଏସ୍ ଜରିଆରେ ଟ୍ରାନ୍ସଫର୍‌ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତି ଉଲ୍ଲେଖ କରିଥିଲେ। ଏହାପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସେହି ଚେକ୍‌କୁ ଅଲଟ୍ରା ଭାଓଲେଟ୍ ମେସିନ୍‌ରେ ଯାଞ୍ଚ କରାଇଥିଲେ। ତାହା ସମ୍ପୂର୍ଣ୍ଣ ଠିକ୍ ଥିବାରୁ ଚେକ୍ ଜରିଆରେ ଟଙ୍କା ଟ୍ରାନ୍ସଫର କରାଯାଇଥିଲା ‌ବୋଲି ବ୍ୟାଙ୍କ୍‌ ଅଧିକାରୀ କହିଛନ୍ତି। ଗତକାଲି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର ସନ୍ଦେହ ହେବାରୁ ସେ ହସ୍ତତନ୍ତ ସହକାରୀ ନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ, ସେ କୌଣସି ଚେକ୍ ଦେଇ ନ ଥିବା କହିଥିଲେ। ଯାଞ୍ଚ ପରେ ଏହା ଠକଙ୍କ କାମ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ।
ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି, ରୁମା ଟେଲିକମ୍‌ରେ ଯେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଛି ତାହା ପଶ୍ଚିମବଙ୍ଗର ଉତ୍ତର ଚବିଶପ୍ରଗଣା ଅଞ୍ଚଳରେ ଅଛି। ସେହି ଆକାଉଣ୍ଟକୁ ଟଙ୍କା ଯିବାପରେ ତାହା ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି। ଏହାପରେ ଅପରାଧୀମାନେ ଟଙ୍କା ଉଠାଇ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe