(Representational immage) )Times of India
ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅଧୀନ ଜୟପ୍ରକାଶନଗର ଛକରେ ଆଜି ମଧ୍ୟାହ୍ନରେ ଡିକି ଖୋଲି ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ ହୋଇଛି।
ସୂଚନା ପ୍ରକାରେ, ବ୍ରହ୍ମପୁର ଉପକଣ୍ଠ ସୁନାଦେଇ ଗାଁ ନିବାସୀ କୃଷ୍ଣଚନ୍ଦ୍ର ମହାରଣା ଜଣେ ପ୍ଲଟ୍ ମାଲିକ ହୋଇଥିବା ବେଳେ ଆଜି ତାଙ୍କୁ ଜଣେ ଗ୍ରାହକ ଜୟପ୍ରକାଶନଗରରେ ଥିବା ଏକ୍ସିସ ବ୍ୟାଙ୍କରୁ ୫ ଲକ୍ଷ ୬୦ ହଜାର ଟଙ୍କା ଉଠାଇ ଦେଇଥିଲେ। ୨୨ ତାରିଖରେ ଗୋଟିଏ ପ୍ଲଟର ରେଜିଷ୍ଟ୍ରେସନ୍ ଥିବାରୁ ପ୍ଲଟ୍ କିଣିବାକୁ ଥିବା ଗ୍ରାହକ ଜଣକ ଏହି ଟଙ୍କା କୃଷ୍ଣଙ୍କୁ ଦେଇଥିଲେ। ବ୍ୟାଙ୍କରୁ ବାହାରି କୃଷ୍ଣ ନିଜର ଗାଡ଼ି ଡିକିରେ ଉକ୍ତ ଟଙ୍କା ରଖିଥିଲେ। ଏହାପରେ ଚା' ପିଇବା ପାଇଁ ବ୍ୟାଙ୍କ ସମ୍ମୁଖରେ ରହିଥିବା ଏକ ଦୋକାନକୁ ଯାଇଥିଲେ। ଚା’ ପିଇ ସାରି ଗାଡ଼ି ପାଖକୁ ଫେରିବା ସମୟରେ ଗାଡ଼ି ଡିକି ଖୋଲାଥିବା ଦେଖିବାକୁ ପାଇଥିଲେ। ଯାଞ୍ଚ ପରେ ଡିକିରୁ ସମସ୍ତ ଟଙ୍କା ଗାଏବ ଥିବା ଜଣାପଡ଼ିଥିଲା। ନିକଟରେ ଥିବା ସିସିଟିଭି କ୍ୟାମେରାରେ ଯାଞ୍ଚ ପରେ ଜଣେ ଯୁବକ ଡିକି ଖୋଲି ଟଙ୍କା ନେଉଥିବା ଜଣାପଡ଼ିଥିଲା। ଏ ନେଇ କୃଷ୍ଣ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Follow Us