ସଫଳତା ବଖାଣିଲେ ଅର୍ଥମନ୍ତ୍ରୀ : ୫୬୯୨୧ କୋଟିକୁ ମଞ୍ଜୁରି

Advertisment

୨୩୭ଟି ବ୍ଲକକୁ ୩୫% ଜଳସେଚନ ସୁବିଧା , ଏପ୍ରିଲ୍‌ ସୁଦ୍ଧା ଅତିରିକ୍ତ ୧୦ ଲକ୍ଷ ହେକ୍ଟର ଜମିକୁ ଜଳ, ‘କାଳିଆ’ର ଉପାଦେୟତା ନେଇ ସନ୍ଦେହ ନାହିଁ

୨୩୭ଟି ବ୍ଲକକୁ ୩୫% ଜଳସେଚନ ସୁବିଧା , ଏପ୍ରିଲ୍‌ ସୁଦ୍ଧା ଅତିରିକ୍ତ ୧୦ ଲକ୍ଷ ହେକ୍ଟର ଜମିକୁ ଜଳ, ‘କାଳିଆ’ର ଉପାଦେୟତା ନେଇ ସନ୍ଦେହ ନାହିଁ

ସଫଳତା ବଖାଣିଲେ ଅର୍ଥମନ୍ତ୍ରୀ : ୫୬୯୨୧ କୋଟିକୁ ମଞ୍ଜୁରି

ଭୁବନେଶ୍ବର : ଆସନ୍ତା ଆର୍ଥିକ ବର୍ଷର ଚାରିମାସ ପାଇଁ ୫୬୯୨୧ ‌େକାଟି ଟଙ୍କାର ବ୍ୟୟମଞ୍ଜୁରି ବିଲ୍‌ ବିଧାନସଭାରେ ଅନୁମୋଦନ ଲାଭ କରିଛି। ଗତକାଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଲେଖାନୁଦାନ ଉପସ୍ଥାପିତ କରିଥିଲେ। ତା’ ଉପରେ ଆଜି ଆଲୋଚନା ହୋଇଥିଲା।

ଆଲୋଚନା ଶେଷରେ ସେହି ପ୍ରସଙ୍ଗର ଉତ୍ତରରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଲେ, ରାଜ୍ୟର ୩୧୪ଟି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ସୁବିଧା ଯୋଗାଇ ଦେବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ବର୍ତମାନ ସୁଦ୍ଧା ୨୩୭ଟି ବ୍ଲକକୁ ଏହି ସୁବିଧା ଉପଲବ୍ଧ ହୋଇଛି। ୧୯ଟି ବ୍ଲକର ଭୌଗୋଳିକ ଅବସ୍ଥିତି ଯୋଗୁଁ ଜଳସେଚନ ସୁବିଧା ସୃଷ୍ଟି ହୋଇପାରିନାହିଁ। ୨୦୧୪ରେ ରାଜ୍ୟ ସରକାର ଅତିରିକ୍ତ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କ୍ଷମତା ସୃଷ୍ଟି କରାଯିବ ବୋଲି ସରକାର କହିଥିଲେ। ବର୍ତମାନ ସୁଦ୍ଧା ୭.୯୬ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହୋ‌ଇଥିବା ବେଳେ ଆସନ୍ତା ଏପ୍ରିଲ୍‌ ସୁଦ୍ଧା ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ‘କାଳିଆ’ ଯୋଜନାର ସମାଲୋଚନା କରିଥିବା ଦର୍ଶାଇ ଶ୍ରୀ ବେହେରା କହିଲେ ଯେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅର୍ଥନୀତିଜ୍ଞମାନେ ଏହି ଯୋଜନାର ଭୂୟସୀ ପ୍ରଶଂସା କରିଛନ୍ତି। ତେଣୁ, କାଳିଆ ଯୋଜନାର ଉପାଦେୟତା ଉପରେ ସନ୍ଦେହର ଅବକାଶ ନାହିଁ। ଏହାବ୍ୟତୀତ ଗତକାଲି ଲେଖାନୁଦାନ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଯେତେଗୁଡ଼ିକ ତଥ୍ୟ ପରିବେଷଣ କରିଥିଲେ, ସେଗୁଡ଼ିକ ଦୋହରାଇ ବ୍ୟୟମଞ୍ଜୁରି ବିଲ୍‌କୁ ଅନୁମୋଦନ ଦେବାକୁ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ଏହା ବାଚନିକ ଭୋଟରେ ପାରିତ ହୋଇଥିଲା।

ଆଲୋଚନାରେ ଭାଗ ନେଇ ସରକାରୀ ଦଳ ସଦସ୍ୟ ଡ. ଅରୁଣ ସାହୁ କହିଲେ, ଦେଶରେ ରାଜନୈତିକ ଲଢ଼େଇ ବେଳେ ବିଭିନ୍ନ ଦଳର ନେତାମାନଙ୍କ ଭାଷାରେ ଶାଳୀନତା ରହୁନାହିଁ। ସେ ଦୃଷ୍ଟିରୁ ଆଚରଣ ଓ ଉଚ୍ଚାରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ଶ୍ରେଷ୍ଠ ବୋଲି କୁହାଯାଇପାରେ। ଏହି ପ୍ରସଙ୍ଗ‌େର ସେ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ମନ୍ତବ୍ୟ ‘ଉଖାଡ୍‌ କେ ଫେକ୍‌ଦେଙ୍ଗେ’କୁ କଟୁ ସମାଲୋଚନା କରି ଓଡ଼ିଶା କ’ଣ ପାକିସ୍ତାନ ନା ଚୀନ କି ବୋଲି ପଚାରିଥିଲେ। ସେହିପରି ବଜେଟ୍‌ ପ୍ରସଙ୍ଗରେ ସେ କହିଲେ, ଅନ୍ତରୀଣ ବଜେଟ୍‌ ଆଳରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରି ସାମ୍ବିଧାନିକ ବ୍ୟବସ୍ଥାକୁ ଭାଙ୍ଗିଦେଇଛନ୍ତି। ସେହିପରି କାଳିଆ ବନାମ କେନ୍ଦ୍ରର କୃଷକ ସମ୍ମାନ ନିଧି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବନାମ ଆୟୁଷ୍ମାନ ଆଦି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ।

ଡ. ସାହୁ କହିଲେ, ୯ଟି ପରିବାର ହାତରେ ଦେଶର ୫୦ ପ୍ରତିଶତରୁ ୍ଅଧିକ ଧନ ସଂପତ୍ତି ଥିବା ବେଳେ ପ୍ରତ୍ୟେକଙ୍କର ଦୈନିକ ଆୟ ପ୍ରାୟ ୨୨୦୦ କୋଟି। ଦେଶର ୧ ପ୍ରତିଶତ ଲୋକଙ୍କ ହାତରେ ୫୧ ପ୍ରତିଶତ ଧନ ଥିବା ବେଳେ ୬୦ ପ୍ରତିଶତ ଗରିବଙ୍କ ହାତରେ ମାତ୍ର ୪.୨ ପ୍ରତିଶତ ଧନ ରହିଛି। ଅକ୍ସପାମ୍‌ ରିପୋର୍ଟରେ ଏଭଳି ଅସମତୁଲ ଧନ ସଂପତ୍ତି ତଥ୍ୟ ରହିଥିବା ସେ ଦର୍ଶାଇଥିଲେ। ଦେଶ ସ୍ବାଧୀନତା ପାଇବା ପରଠାରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଉପରେ ୫୪ ଲକ୍ଷ ୯୦ ହଜାର କୋଟିର ଋଣଭାର ଥିଲା। ତେବେ କେଉଁ କାରଣ ପାଇଁ ଗତ ସାଢ଼େ ୪ ବର୍ଷରେ ଋଣଭାର ଆହୁରି ୨୨ ଲକ୍ଷ କୋଟିକୁ ବୃଦ୍ଧି ପାଇଛି ବୋଲି ସେ ପଚାରିଥିଲେ। କେନ୍ଦ୍ର ସରକାରଙ୍କୁ ଓଡ଼ିଶା ଦେଉଛି କେତେ ଏବଂ ନେଉଛି କେତେ ତା’ର ଜବାବ ସେ ମାଗିଥିଲେ। ଆଗାମୀ ନିର୍ବାଚନରେ ଓଡ଼ିଶା ସମେତ ଦେଶରେ ଜାତୀୟ ଦଳମାନଙ୍କ ପ୍ରତି ଲୋକଙ୍କ ଆସ୍ଥା କମୁଥିବା ବେଳେ ଆଞ୍ଚଳିକ ଦଳମାନଙ୍କ ପ୍ରତି ବିଶ୍ବାସ ବୃଦ୍ଧି ପାଇବାରେ ଲାଗିଥିବା ଡ. ସାହୁ କହିଥିଲେ। ‌ବିଜେଡି ବିଧାୟକ ଯୋଗେନ୍ଦ୍ର କୁମାର ବେହେରା କହିଲେ ଯେ ଓଡ଼ିଶ‌ାରେ ବିଜେପି କ୍ଷମତାକୁ ଆସିବା ଦିବାସ୍ବପ୍ନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe