Image Courtesy of India Today
ଅନୁଗୁଳ: ଅନୁଗୁଳରେ ପୁଣି ଗର୍ଜିଛି ଗୁଳି। ଜଣେ ବ୍ୟବସାୟୀଙ୍କୁ ଗୁଳି ମାରି ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ନାଲ୍କୋ ଆସପଣ୍ଡ ତଳେ କୁରୁଡ଼ୁଲ ନିକଟରେ ଆଜି ପୂର୍ବାହ୍ଣରେ ହୋଇଥିବା ଏହି ଗୁଳିକାଣ୍ଡରେ ଜଣେ ଆହତ ହୋଇ ଅନୁଗୁଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନୁଗୁଳ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ପତ୍ତା ପାଇନି।
ସୂଚନା ଅନୁସାରେ ଅନୁଗୁଳର ଜଣେ ମଦ ବ୍ୟବସାୟୀଙ୍କ ପାଖରେ କାମ କରୁଥିବା ଦୁଇଜଣ କର୍ମଚାରୀ ଶେଷନାଥ ଗୁପ୍ତା ଓ ରୂପେଶ କୁମାର ଆଜି ସକାଳେ ତାଳଚେର ଶର୍ମା ଛକର ଏକ ମଦ ଦୋକାନରୁ ଟଙ୍କା ସଂଗ୍ରହ କରି ମୋଟର ସାଇକେଲରେ ଅନୁଗୁଳ ଆସୁଥିଲେ। ତେବେ କୁରୁଡ଼ୁଲୁ ନିକଟରେ ଥିବା ଆସପଣ୍ଡ ତଳେ ହଠାତ ଏକ କାରରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କୁ ଅଟକାଇବା ସହ ଆକ୍ରମଣ କରିଥିଲେ। ଫାଙ୍କା ଗୁଳିଚାଳନା କରିବା ସହ କଟୁରୀରେ ଶେଷନାଥଙ୍କୁ ଆକ୍ରମଣ କରିଥିଲେ। ଫଳରେ ଶେଷନାଥ ବାଇକ୍ ସହ ତଳେ ପଡ଼ିଯାଇଥିଲେ। ଏହାପରେ ସେମାନଙ୍କ ନିକଟରେ ଥିବା ୬ ଲକ୍ଷ ଟଙ୍କା ଲୁଟି ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଶେଷନାଥଙ୍କ ହାତ ଓ ଛାତିରେ ଆଘାତ ଲାଗିଛି। ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଚିକିତ୍ସା କରାଯାଇଛି। ଅପରପକ୍ଷରେ ଏଥିନେଇ ଅନୁଗୁଳ ପୁଲିସ ଓ ନାଲକୋନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ କରିଛି। ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଦୁର୍ବୃତ୍ତଙ୍କ ଗତିବିଧି ନେଇ ତଥ୍ୟ ସଂଗ୍ରହ କରାଯାଉଛି। ଅଭିଯୁକ୍ତମାନେ ଏକ ଧଳା ରଙ୍ଗର ସ୍ବିଫ୍ଟ କାର୍ରେ ଆସିଥିବା ସୂଚନା ମିଳିଛି। ତେବେ ତଦନ୍ତ ଚାଲିଥିବାରୁ ପୁଲିସ ଏଥିନେଇ ଅଧି କହିବାକୁ ମନା କରି ଦେଇଛି।
Follow Us