ବ୍ରହ୍ମପୁର : ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠନଗର ହାଉସିଂବୋର୍ଡ଼ କଲୋନି ଛକରୁ ଜଣେ ବ୍ୟବସାୟୀଙ୍କ ସ୍କୁଟି ଡିକିରୁ ୯ଲକ୍ଷ ୪୦ହଜାର ଟଙ୍କା ଲୁଟ୍ ହୋଇଛି। ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀ ସୀମାଞ୍ଚଳ ବେହେରା ଏଥିନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରି ତଦନ୍ତ ଜାରି ରଖିଛି।
ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ନିବାସୀ ସୀମାଞ୍ଚଳ ହାଉସିଂବୋର୍ଡ଼ କଲୋନି ଛକରେ ଏକ ଆକ୍ବାରିୟମ୍ ଦୋକାନ କରିଛନ୍ତି। ସେଠାରେ ସେ ଆଉ ଏକ ଆକ୍ବାରିୟମ୍ ସୋ ରୁମ୍ ତିଆରି କରୁଛନ୍ତି। ଏଥିପାଇଁ ସେ ମିଲିଟାରି ଲାଇନ୍ସ୍ଥିତ ଜଣେ ବ୍ୟବସାୟୀଙ୍କ ଠାରୁ ୯ଲକ୍ଷ ୪୦ହଜାର ଟଙ୍କା ଧାର ଆଣିଥିଲେ। ଗତକାଲି ରାତି ପ୍ରାୟ ୯ଟା ବେଳେ ସୀମାଞ୍ଚଳ ତାଙ୍କ ସ୍କୁଟି ଡିକିରେ ଟଙ୍କା ରଖି ହାଉସିଂବୋର୍ଡ଼ ସ୍ଥିତ ଦୋକାନକୁ ଆସିଥିଲେ। ଦୋକାନ ବାହାରେ ଗାଡ଼ି ରଖି ସୋରୁମ୍ରେ କାମ କରୁଥିବା ଶ୍ରମିକଙ୍କୁ ମଜୁରି ଟଙ୍କା ଦେବାକୁ ଯାଇଥିଲେ। କିଛି ସମୟ ପରେ ଆସି ଦେଖିବା ବେଳେ ସ୍କୁଟିର ଡିକି ଖୋଲା ରହିଥିଲା। ଯାଞ୍ଚ ପରେ ଡିକିରୁ ଟଙ୍କା ଗାଏବ ଥିବା ଜାଣିବାକୁ ପାଇଥିଲେ। ଏ ନେଇ ତୁରନ୍ତ ପୁଲିସକୁ ଖବର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି।
Follow Us