ଠିକାଦାରଙ୍କ ବାଇକ୍‌ ଡିକିରୁ ୯୦ ହଜାର ଲୁଟ୍‌

ଘର ଆଗରୁ ୧ ଲକ୍ଷ ଟଙ୍କା ଝାମ୍ପିନେଲେ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଯୋବ ନିକଟରେ ମଙ୍ଗଳବାର ଅପରାହ୍‌ଣରେ ଜଣେ ଠିକାଦାରଙ୍କ ବାଇକ୍‌ ଡିକିରୁ ୯୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭି‌ଯୋଗ ହୋଇଛି।

ପ୍ରାପ୍ତ ସୂଚନାନୁସାରେ ଲଜକୁରା କୋଇଲା ଖଣିରେ ଠିକା କାମ କରୁଥିବା ନମିସ ଅହମ୍ମଦ କାଳୀନଗରରେ ରୁହନ୍ତି। ମଙ୍ଗଳବାର ତାଙ୍କ ଅଧୀନରେ କାମ କରୁଥିବା ଶ୍ରମିକଙ୍କୁ ମଜୁରି ଦେବାକୁ ଥିବାରୁ ନମିସ ଲମଟିବାହାଲରେ ଥିବା ପଞ୍ଜାବ୍‌ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ରୁ ଦିନ ପ୍ରାୟ ୧୧ଟା ବେଳେ ଲକ୍ଷେ ଟଙ୍କା ଉଠାଇଥିଲେ। ସେଥିରୁ ୧୦ ହଜାର ଟଙ୍କା ପକେଟ୍‌ରେ ରଖି ବାକି ତକ ବାଇକ୍‌ (ଓଡି ୨୩ସି-୫୦୮୧) ଡିକିରେ ରଖିବା ପରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଗଳିରେ ଥିବା ଏକ ଟାଇପ୍‌ ଦୋକାନକୁ କାଗଜାତ ଟାଇପ୍‌ କରିବାକୁ ଯାଇଥିଲେ। ଏହି ସମୟରେ ବାଇକ୍‌ ନିକଟରେ ୪ ଜଣ ପିଲା ସନ୍ଦେହଜନକ ଭାବେ ବୁଲୁଥିବା ଦେଖି ନମିସ୍‌ ତୁରନ୍ତ ଗାଡ଼ି ପାଖକୁ ଚାଲି ଆସି ଡିକି ଖୋଲିଥିଲେ। ଡିକିରେ ଟଙ୍କା ତକ ଥିବା ଦେଖିବା ପରେ ପୁଣି ସେ ବାଇକ୍ ନେଇ ଲଜକୁରା ଖଣିକୁ ଯାଇଥିଲେ। ମାତ୍ର ଅପରହ୍‌ଣ ପ୍ରାୟ ୧ଟା ବେଳେ ଯୋବ ନିକଟରେ ଗାଡ଼ି ରଖି ଏକ ଚା’ ଦୋକାନରେ ଚା’ ପିଉଥିବା ବେଳେ ହଠାତ୍ ୨ ଜଣ ଯୁବକ ଏକ ବାଇକ୍‌ରେ ଆସି ଡିକି ଖୋଲି ଟଙ୍କା ଲୁଟ୍‌ କରି ଫେରାର୍‌ ମାରିଥିଲେ।

ନମିସ ସେମାନଙ୍କୁ ଦେଖି ପିଛା କରିଥିଲେ ହେଁ ଧରିପାରି ନଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ସିସିଟିଭି ଯାଞ୍ଚ କରି ଷ୍ଟେଟ୍‌ ବ୍ୟାଙ୍କ ଗଳି ନିକଟରେ ୪ ଜଣ ନମିସଙ୍କ ଡିକି ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦେଖିବାକୁ ପାଇଥିଲେ। ତେବେ ସେମାନଙ୍କୁ ଚିହ୍ନି ହେଉନାହିଁ। ଖବର ଲେଖାଯିବା ପର୍ଯ୍ୟନ୍ତ ବ୍ରଜରାଜନଗର ଥାନା ଓ ଓରିଏଣ୍ଟ ଥାନା ପୁଲିସ୍‌ ଅପରାଧୀମାନଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ଏ ନେଇ ଝାରସୁଗୁଡ଼ା ଏସ୍‌ପି ବିକାଶ ଦାଶଙ୍କୁ ପଚାରିବାରେ ସମସ୍ତ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉଛି। ସମସ୍ତ ଆଉଟ୍‌ପୋଷ୍ଟକୁ ଖବର ଦିଆଯାଇଛି। ଖୁବ୍‌ ଶୀଘ୍ର ଅପରାଧୀମାନେ ଧରାପଡ଼ିଯିବା ଆଶା ରହିଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe