ଲୁଣ ବସ୍ତା ଭିତରେ ୫ କୋଟିର ଗଞ୍ଜେଇ; ୩ ଗିରଫ, ୭୦ ବସ୍ତା ଲୁଣ ସହ ଟ୍ରକ୍‌ ଜବତ

Advertisment
ଲୁଣ ବସ୍ତା ଭିତରେ ୫ କୋଟିର ଗଞ୍ଜେଇ; ୩ ଗିରଫ, ୭୦ ବସ୍ତା ଲୁଣ ସହ ଟ୍ରକ୍‌ ଜବତ

ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ତ ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ଲୁଣ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିବା ୫ କୋଟି ଟଙ୍କାର ଗଞ୍ଜେଇ ପୁଲିସ ଜବତ କରିବା ସହ ୩ ଜଣଙ୍କୁ ଗରଫ କରିଥିବା କୋରାପୁଟ ଅତିରିକ୍ତ ଏସ୍‌ପି ବିମଳକାନ୍ତ ବ୍ରହ୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ମାଛକୁଣ୍ତ ଥାନା ଅନ୍ତର୍ଗତ ଟିକାପୁଟ ଗ୍ରାମ ନିକଟରୁ ଗତ ୧ ତାରିଖରେ ଏକ ଟ୍ରକ୍‌ରେ ଛତିଶଗଡ଼ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲୀ ଖବର ପାଇଥିଲେ। ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମ‌େ ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ରଙ୍କ ନେତୃତ୍ବରେ ମାଛକୁଣ୍ତ, ଜଲାପୁଟ ଓ ଲମତାପୁଟ ପୁଲିସକୁ ନେଇ ଏକ ଟିମ୍‌ ଗଠନ କରାଯାଇ ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରାଯାଇଥିଲା। ଗଞ୍ଜେଇ ବୋଝେଇ ଟ୍ରକ୍‌ ଆସିବାରେ ବିଳମ୍ବ ହେବାରୁ ଏହି ଟିମ୍‌ ଟିକାପୁଟ ଗ୍ରାମ ନିକଟରେ ପହଞ୍ଚିବାବେଳକୁ ଗଞ୍ଜେଇ ବୋଝେଇ ହେଉଥିବା ଟ୍ରକ୍‌(ସିଜି୦୬ଜିଏମ ୬୮୧୨)କୁ ଜବତ କରିଥିଲା। ଏଥିସହ ଘଟଣାସ୍ଥଳରୁ ପୁଲିସ ୨ଜଣକୁ ଗିରଫ କରିବାରେ ସଫଳ ହୋଇଥିବାବେଳେ ଅନ୍ୟମାନେ ଚମ୍ପଟ ମାରିଥିଲେ। ଦୁଇଜଣ ହେଲେ, ଗଞ୍ଜେଇ ଚାଲାଣକାରୀ ଉତ୍ତପ୍ରଦେଶର ଉମେଶ ବାବୁ, ସିଂ ପାଲ। ପରେ ଲମତାପୁଟ ଫାଣ୍ତି ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନୀଙ୍କ ନେତୃତ୍ବରେ ଟିମ୍‌ ଝଡିଆପୁଟ ଗାଁରେ ପହଞ୍ଚି ଗଞ୍ଜେଇ ଚାଲାଣରେ ସଂପୃକ୍ତ ସୁଦର୍ଶନ ଲେନ୍ଦ୍ରୁଙ୍କୁ ଗିରଫ କରିଥିଲେ।

publive-image

ପୁଲିସ୍‌କୁ ଚକମା ଦେବା ପାଇଁ ଗଞ୍ଜେଇ ଚାଲାଣକାରୀ ଏକ ଟ୍ରକ୍‌ରେ ବିଶାଖପାଟଣା ଅଞ୍ଚଳରୁ ଲୁଣ ଆଣିଥିଲେ। ପରେ ଟ୍ରକ୍ ଭିତରେ ଗଞ୍ଜେଇ ଭର୍ତ୍ତି କରି ଚୋରାଚାଲାଣ କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ପୁଲିସ ଏହି ଉଦ୍ୟମକୁ ଭଣ୍ଡୁର କରିଥିଲା। ପୁଲିସ ଜବତ ଗଞ୍ଜେଇ ଓ ଟ୍ରକ୍‌ ଜବତର କରିବା ସହ ୩ଗିରଫ ଗଞ୍ଜେଇ ଚାଲାଣକାରୀଙ୍କୁ ଲମତାପୁଟ ଫାଣ୍ତିକୁ ନେଇଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଲୁଣ ବୋଝେଇ ଟ୍ରକ୍‌ରେ ଥିବା ୨୨୩ଟି ବସ୍ତା ଗଞ୍ଜେଇ ବାହାର କରାଯାଇ ଓଜନ କରାଯିବା ପରେ ଏହା ୫୧୮୫ କିଲୋ ୩୦୦ ଗ୍ରାମ ଏବଂ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଥିଲା।

କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲି ଗୁରୁବାର ରାତିରେ ଲମତାପୁଟ ଫାଣ୍ତିରେ ପହଞ୍ଚି ଗଞ୍ଜେଇ ଚାଲାଣ ନେଇ ଉପସ୍ଥିତ ଅଧିକାରୀଙ୍କ ସହିତ ସମୀକ୍ଷା କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଆଜି ଅତିରିକ୍ତ ଏସ୍‌ପି ବିମଳକାନ୍ତ ବ୍ରହ୍ମା ଲମତାପୁଟ ଫାଣ୍ତିରେ ପହଞ୍ଚି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଗଞ୍ଜେଇ ଚାଲାଣ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଜବତ ଗଞ୍ଜେଇ ଟିକାପୁଟ ଅଞ୍ଚଳରୁ ଭାୟା ଲମତାପୁଟ ଓ ଜୟପୁର ଦେଇ ଛତିଶଗଡ଼ ଅଞ୍ଚଳକୁ ଚାଲାଣ ହେବାର ଯୋଜନା ରହିଥିଲା। କିନ୍ତୁ ଗଞ୍ଜେଇ ଚାଲାଣକାରୀଙ୍କ ଏହି ଯୋଜନାକୁ ପୁଲିସ ଭଣ୍ଡୁର କରିଥିବା ସେ କହିଥିଲେ। ଏହି ଗଞ୍ଜେଇ ଚାଲାଣ ମାମଲାରେ ୮ରୁ ୧୦ଜଣ ସଂପୃକ୍ତ ଥିବା ସନ୍ଦେହ କରାଯାଉଥିବା ବେଳେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି। ଏଥିସହ ଜଲାପୁଟ ଫାଣ୍ତି ଅଧିକାରୀ ସନ୍ତୋଷ ପରିଡ଼ା, ଲମତାପୁଟ ପାଣ୍ତି ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନୀ ଓ ଏସ୍‌ଆଇ ଡମ୍ବରୁଧର ବାତ୍ରିଆଙ୍କ ଦକ୍ଷତାକୁ ଶ୍ରୀ ବହ୍ମା ବେଶ୍‌ ପ୍ରଶଂସା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ମାହାପାତ୍ର, ଏସ୍‌ଆଇ ଚିତରଞ୍ଜନ ପ୍ରଧାନୀ, ସନ୍ତୋଷ ପରିଡ଼ା ଓ ଏସ୍‌ଆଇ ଡମ୍ବରୁଧର ବାତ୍ରିଆ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe