ସୂଚନା ଅଧିକାର କର୍ମୀ ଅଭିମନ୍ୟୁଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି : ୪ ପଞ୍ଚାୟତବାସୀଙ୍କ ଜାତୀୟ ରାଜପଥ ଅବରୋଧ

୫ ଦିନରେ ଗିରଫ ପ୍ରତିଶ୍ରୁତି, ୮ ଘଣ୍ଟା ପରେ ଅବରୋଧ ହଟିଲା

ସୂଚନା ଅଧିକାର କର୍ମୀ ଅଭିମନ୍ୟୁଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି : ୪ ପଞ୍ଚାୟତବାସୀଙ୍କ ଜାତୀୟ ରାଜପଥ ଅବରୋଧ

ତୁମୁଡ଼ିବନ୍ଧ/ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ସୂଚନା ଅଧିକାରୀ କର୍ମୀ ତଥା ଜଣାଶୁଣା ନେତା ଅଭିମନ୍ୟୁ ପଣ୍ଡାଙ୍କୁ ଗତ ୧୭ ତାରିଖ ସକାଳେ ଘରୁ ଡାକି ଗୁଳି କରି ହତ୍ୟା କରା ଯାଇଥିଲା। ଘଟଣାକୁ ୫ ଦିନ ପୂରିଥିଲେ ବି ପୁଲିସ ହାତ ଖାଲି ଥିବାରୁ ଜନସାଧାରଣଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ଆଜି ଉଗ୍ର ରୂପ ନେଇଥିଲା। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ୪ଟି ପଞ୍ଚାୟତ ବାଟାଗୁଡା, ମିଡ଼ିଆକିଆ, ପରପଙ୍ଗା ଓ ଦଡ଼କଙ୍ଗିଆର ଶତାଧିକ ଲୋକେ ମେଳି ବାନ୍ଧିଥିଲେ। ଆଉ ବାଟାଗୁଡ଼ା ନିକଟରେ ନିକଟରେ ୫୯ ଜାତୀୟ ରାଜପଥକୁ ଆଠ ଘଣ୍ଟା କାଳ ଅବରୋଧ କରିଥିଲେ। ସକାଳ ୮ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଜନସାଧାରଣ ଟାୟାର୍ ଜାଳିବା ସହ ବ୍ୟାନର୍ ରଖି ସ୍ଲୋଗାନ୍ ଦେଇ ରାସ୍ତା ଅବ‌ରୋଧ ହେବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବାଲିଗୁଡା ବିଡିଓ ନରେଶ ଚନ୍ଦ୍ର ଶବର ଆନ୍ଦୋଳନାକାରୀଙ୍କ ସହ ଆଲୋଚନା କରି ବୁଝାସୁଝା କରିଥିଲେ ବି ସମେସ୍ତ ନିଜ ଜିଦ୍‌ରେ ଅଟଳ ରହିଥିଲେ। ହତ୍ୟାକାରୀଙ୍କୁ ଗିରଫ ନ କରାଯିବା ପର୍ଯ୍ୟନ୍ତ ଅବ‌ରୋଧ ଜାରି ରହିବ ବୋଲି କହିଥିଲେ।

ପରେ ପରିସ୍ଥିତି ଅଣାୟତ୍ତ ହେବାରୁ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ଅତିରିକ୍ତ ତହସିଲଦାର ଦେବେନ୍ଦ୍ର ସାହୁ ସେଠାରେ ପହଞ୍ଚିଥିଲେ। ସେହିପରି ବାଲିଗୁଡା ବିଜେଡି ସଭାପତି ଟୁନା ଦାଶ ଓ ଗଙ୍ଗାଧର ସାହୁ ବାଟାଗୁଡ଼ା ଯାଇ ପରିବାରବର୍ଗଙ୍କ ସହ ଆଲୋଚନା କରିବା ସହ ଆନ୍ଦୋଳନକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ତଥାପି ଆନ୍ଦୋଳନକାରୀମା‌ନେ ଅବରୋଧ ହଟାଇବାକୁ ରାଜି ହୋଇ ନଥିଲେ। ପରେ କନ୍ଧମାଳ ଏସ୍‌ପି ପ୍ରତୀକ ଗୀତା ସିଂ ଆନ୍ଦୋଳନକାରୀଙ୍କ ସହ ଫୋନ୍ ଯୋଗେ କଥା ହୋଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ୫ ଦିନର ମହଲତ୍ ମାଗିଥିଲେ। ଅପରାହ୍‌ଣ ୪ଟାରେ ରାସ୍ତା ଅବ‌ରୋଧ ପ୍ରତ୍ୟାହୃତ ହୋଇଥିଲା। ଖୁବ୍ ଶୀଘ୍ର ଅଭିଯୁକ୍ତ ଗିରଫ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

୮ ଘଣ୍ଟା ପରେ ଗୋପାଳପୁର-ରାୟପୁର ୫୯ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଆଜି ଦିନତମାମ ରାସ୍ତାରୋକ ଫଳରେ ରାୟଗଡ଼ା, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରକୁ ବସ୍ ଚଳାଚଳ ବନ୍ଦ ହୋଇ ଯାଇଥିଲା। ଅନ୍ୟ ପଟେ ଫୁଲବାଣୀ ସଦର ମହକୁମାରୁ ବ୍ରହ୍ମପୁର, ଭଞ୍ଜନଗର, ଭୁବନେଶ୍ୱର, ନୟାଗଡ଼ ଓ ବୌଦ୍ଧ ଗାଡ଼ି ଚଳାଚଳ କରି ନଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନବାହନ ଅଟକି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe