ନବରଙ୍ଗପୁରରେ ରୁବେଲା ଭୂତାଣୁ: ନନ୍ଦାହାଣ୍ଡି ବ୍ଲକର ୨ ଶିଶୁ ସଂକ୍ରମିତ

ପହଞ୍ଚିଲା ଡବ୍ଲୁଏଚ୍‌ଓ ବିଶେଷଜ୍ଞ ଟିମ୍‌, ରାଜ୍ୟ ବାହାରୁ ଆସିଥିବା ସମ୍ଭାବନା

ନବରଙ୍ଗପୁରରେ ରୁବେଲା ଭୂତାଣୁ: ନନ୍ଦାହାଣ୍ଡି ବ୍ଲକର ୨ ଶିଶୁ ସଂକ୍ରମିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ରୁବେଲା (ଜର୍ମାନୀ ମିଳିମିଳା) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବାୟୁ ଦ୍ବାରା ବ୍ୟାପୁଥିବା ଏହି ଭୂତାଣୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ଦୁଇ ଜଣ ଶିଶୁଙ୍କୁ ସଂକ୍ରମିତ କରିଥିବା ସୂଚନା ମିଳିଛି। ଜଣେ ଶିଶୁର ବୟସ ୯ବର୍ଷ ହୋଇଥିଲା ବେଳେ ଅନ୍ୟ ଜଣେ ଶିଶୁର ବୟସ ୧ବର୍ଷ ୧୦ମାସ ବୋଲି ଜଣାପଡ଼ିଛି। ଦ୍ରୁତଗତିରେ ବ୍ୟାପିବାର ସମ୍ଭାବନା ରହିଥିବାରୁ ଡବ୍ଲୁଏଚ୍‌ଓ ଟିମ୍‌ ନବରଙ୍ଗପୁର ପହଞ୍ଚିଛି। ପରିସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ରଖି ଆକ୍ରାନ୍ତଙ୍କୁ ଏକାନ୍ତବାସରେ ରହିବା ବ୍ୟବସ୍ଥା କରିଛି।

ଗତ ୨୬ତାରିଖରେ ପଡ଼ାଲାଗୁଡ଼ା ଗାଁର ଜଣେ ମହିଳାଙ୍କ ସହ ୪ଜଣ ଶିଶୁ ଅସୁସ୍ଥ ହୋଇଥିଲେ। ଏଏନ୍‌ଏମ୍‌ ଗୁଞ୍ଜନ ପଟ୍ଟନାୟକ ପ୍ରାଥମିକ ଚିକିତ୍ସା ସମୟରେ ଲକ୍ଷଣ ଦେଖି ସନ୍ଦେହ କରିଥିଲେ। ତେଣୁ ୨୯ତାରିଖରେ ସମସ୍ତ ଅସୁସ୍ଥଙ୍କ ରକ୍ତ ନମୁନା ସଂଗ୍ରହ କରି ଭୁବନେଶ୍ବର ସ୍ଥିତ ଆରଏମ୍‌ଆର୍‌ସି ଲ୍ୟାବ୍‌କୁ ପଠାଯାଇଥିଲା। ୬ତାରିଖରେ ମିଳିଥିବା ଲ୍ୟାବ୍‌ ରିପୋର୍ଟ ଅନୁସାରେ ଦୁଇଟି ନମୁନା ରୁବେଲ୍‌ ଭୂତାଣୁ ସଂକ୍ରମିତ ‌ବୋଲି ସ୍ପଷ୍ଟ କରାଗଲା। ଅନ୍ୟ ୩ଜଣଙ୍କ ସାମାନ୍ୟ ଲକ୍ଷଣ ରହିଥିବାରୁ ରୁବେଲା ଇପିଲିଙ୍କ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏଭଳି ଚିନ୍ତାଜନକ ରିପୋର୍ଟ ମିଳିବା ପରେ ଆଜି ଭୁବନେଶ୍ବର ସ୍ଥିତ ଡବ୍ଲୁଏଚଓ ଏସ୍‌ଏମ୍‌ଓ ଡା.ମୌସମ ମନ୍ନା ନବରଙ୍ଗପୁର ପହଞ୍ଚିଛନ୍ତି। ସିଡିଏମ୍‌ଓ ଡାକ୍ତର ମଳୟ ରଞ୍ଜନ ତ୍ରିପାଠୀ, ନନ୍ଦାହାଣ୍ଡି ମେଡିକାଲ ଅଧିକାରୀ ଡା. ଶିବାନନ୍ଦ ବିଷୋୟୀ, ମହାମାରୀ ବିଶେଷଜ୍ଞ ଡା.ଇରସାତ ଅହମ୍ମଦ ଖାନ୍, ମାଇକ୍ରୋ ବାୟୋଲୋଜିଷ୍ଟସ୍ ରାଜା ଦତ୍ତ, ସୌମ୍ୟ କୁମାର ତ୍ରିପାଠୀ ପ୍ରମୁଖଙ୍କୁ ନେଇ ଗଠିତ ଟିମ୍‌ ସହ ଡାକ୍ତର ମନ୍ନା ପଡାଲାଗୁଡ଼ା ପହଞ୍ଚିଥିଲେ। ସମସ୍ତ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ଅଛନ୍ତି। ତେଣୁ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ ପରେ ଔଷଧ ଦିଆଯାଇଥିଲା। ସେହିପରି ରୋଗୀଙ୍କ ସଂପର୍କୀୟ ଏବଂ ଗ୍ରାମବାସୀଙ୍କୁ ମଧ୍ୟ ସ‌ଚେତନ କରାଯାଇଛି।

ସଂକ୍ରମିତ ଶିଶୁ କିଛି ଦିନ ତଳେ ବାଲିଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ସଂକ୍ରମଣର ଲକ୍ଷଣ ଦେଖିବାକୁ ମିଳିଥିଲା। ନିର୍ବାଚନ ତଥା ବାଲିଯାତ୍ରା ପାଇଁ ରାଜ୍ୟ ବାହାରରୁ ବହୁ ସଂଖ୍ୟାରେ ଦାଦନ ଶ୍ରମିକ ଘରକୁ ଫେରିଛନ୍ତି। ତେଣୁ ସେମାନଙ୍କ ଠାରୁ ଭୂତାଣୁ ବ୍ୟାପିଥିବା ଅନୁମାନ କରାଯାଉଛି। ସଂକ୍ରମିତଙ୍କ ମୁହଁ ପୋଲାପି ରଙ୍ଗ ପଡ଼ିଯିବା ସହ କାନ ଓ ବେକରେ ମିଳିମିଳା ଭଳି ଛୋଟଛୋଟ ଫୋଟକା ଦେଖିବାକୁ ମିଳୁଛି। ଜ୍ବର, ଥଣ୍ଡା ଓ କାଶ ଲାଗି ରହୁଛି। ସ୍ବାସ୍ଥ୍ୟ ବିଭାଗ ଟିମ୍ କହିବା ଅନୁସାରେ ୩ମାସର ଗର୍ଭବତୀ ଏହି ଭୂତାଣୁରେ ସଂକ୍ରମିତ ହେଲେ ଗର୍ଭସ୍ଥ ଶିଶୁ ଉପରେ ଗଭୀର ପ୍ରଭାବ ପକାଇଥାଏ। ଅନ୍ୟପଟେ ଅଜଣା ରୋଗ ବୋଲି ସନ୍ଦେହ କରି ଗ୍ରାମବାସୀ ଅନ୍ଧବିଶ୍ବାସର ସାହାରା ନେଇଥିଲେ। ଏପରିକି ଗାଁରେ ଝଡ଼ାଫୁଙ୍କା ଆରମ୍ଭ କରିଦେଇଥିଲେ। ଡାକ୍ତରୀ ଟିମ୍‌ ଏହା ଦେଖିବା ପରେ ଲୋକଙ୍କୁ ସଚେତନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe