Incredible Orissa
ଭୁବନେଶ୍ବର : ମାର୍ଚ୍ଚ ୩୦ରେ ଦିଆଯିବ ୯ମ ରୁଚି ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ୍ସ(ଓଫା)-୧୦୧୮। ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ପ୍ରତିଷ୍ଠାନ ‘ହ୍ବାଇଟ୍ କାନଭାସ୍’ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆ(ପଶ୍ଚିମ)ରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ତାଙ୍କୁ ନଗଦ ୨୫ ହଜାର ଟଙ୍କାର ଅର୍ଥ ରାଶି ସହ ଓଫା ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରାଯିବ ବୋଲି ହୋଟେଲ ସାଣ୍ଡିସ୍ ଟାୱାର୍ସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଫାର ସଭାପତି ବାପୁ ଲେଙ୍କା ଘୋଷଣା କରିଛନ୍ତି।
ସେ କହିଲେ, ଏଥର ଉତ୍ସବର ପ୍ରମୁଖ ଆକର୍ଷଣ ସାଜିବେ ବଲିଉଡ୍ କମେଡି କିଙ୍ଗ୍ ଜନି ଲିଭର ଓ ମିସ୍ ଏସିଆ ବିଜୟିନୀ ନିବେଦିତା ବିଶ୍ବାଳ। ଏଥିସହ ଉତ୍ସବରେ ନୃତ୍ୟାନୁଷ୍ଠାନ ଫେଟ୍ ଫାଇଟର୍ସ, ସିଜ୍ଲର୍ସ ଓ ଓଲିଉଡ୍ର ପ୍ରତିଷ୍ଠିତ ଅଭିନେତା ଓ ଅଭିନେତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ୨୦୧୦ରୁ ଆୟୋଜିତ ହେଉଥିବା ଏହି ଉତ୍ସବ ନିଆରା। ଏଥର ବି ୨୬ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯିବ। ସିନେମା ହଲ୍ ମାଲିକମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଚ୍ଛଦପଟରେ ରହୁଥିବା ଡବିଂ ଆର୍ଟିଷ୍ଟ୍, ସ୍ପଟ୍ ବୟ, ଲାଇଟ୍ ବୟ, ମେକଅପ୍ ମ୍ୟାନ୍ଙ୍କୁ ଉତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ପୁରସ୍କାର ଦିଆଯିବ। ଚଳିତବର୍ଷ ପ୍ରଥମଥର ପାଇଁ ଜଣେ ମହିଳା କମେଡିଆନ୍ଙ୍କୁ ପୁରସ୍କୃତ କରାଯିବ। ଚଳିତବର୍ଷ ଦର୍ଶକଙ୍କ ପାଇଁ ନିଶୁକ୍ଳ ପାସ୍ର ବ୍ୟବସ୍ଥା ହୋଇଛି। ଇ-ନ୍ୟୁଜ୍, ବ୍ରାଣ୍ଡ ଫାକ୍ଟ୍ରି ଓ ପ୍ରଦର୍ଶନୀ ପଡ଼ିଆଠାରେ ପାସ୍ ଉପଲବ୍ଧ ରହିଛି। ସାମ୍ବାଦିକ ସମ୍ମିଳନୀରେ ଓଫାର ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହେରା, ନିର୍ଦେଶକ ଚିଣ୍ଡୁ ମିଶ୍ର, ସ୍ମୃତିଶିକ୍ତ ସାମନ୍ତରାୟ, ସୌମ୍ୟଜିତ୍ ପରିଡ଼ା, ଜ୍ଞାନରଞ୍ଜନ ରାୟ, ଆବାହକ ମନୋଜ ଦାଶ, ଉପଦେଷ୍ଟା ପ୍ରଶାନ୍ତ ମହାନ୍ତି, ରୁଚିର ପରିଚାଳନା ନିର୍ଦେଶକ ଶରତ କୁମାର ସାହୁ, ନିର୍ଦେଶକ ଅରବିନ୍ଦ ସାହୁ, ସାଈ ୱାର୍ଲ୍ଡର ପୀୟୂଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
  
 Follow Us