ଜଗତସିଂପୁରରେ ଦଳିତ ଯୁବତୀଙ୍କୁ ନିର୍ଯାତନା ଓ ଆତ୍ମହତ୍ୟା ପ୍ରସଙ୍ଗ ନେଇ ବିଧାନସଭାରେ ହଟ୍ଟଗୋଳ

Advertisment

ବିରୋଧୀଙ୍କ ହୋହଲ୍ଲା, ଗୃହ ମୁଲତବୀ, ଆଜି ବିବୃତି ରଖିବେ ସରକାର

ବିରୋଧୀଙ୍କ ହୋହଲ୍ଲା, ଗୃହ ମୁଲତବୀ, ଆଜି ବିବୃତି ରଖିବେ ସରକାର

ଜଗତସିଂପୁରରେ ଦଳିତ ଯୁବତୀଙ୍କୁ ନିର୍ଯାତନା ଓ ଆତ୍ମହତ୍ୟା ପ୍ରସଙ୍ଗ ନେଇ ବିଧାନସଭାରେ ହଟ୍ଟଗୋଳ

thestatesman.com

ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ର ତିରୁଣା ପଞ୍ଚାୟତ ଅଧୀନସ୍ଥ ତେନ୍ତୋଇ ଗ୍ରାମରେ ଜଣେ ଦଳିତ ଯୁବତୀ ଅତ୍ୟାଚାରର ଶିକାର ‌େହାଇ ଗତ ୭ ତାରିଖରେ ଆତ୍ମହତ୍ୟା କରିଥିଲେ। ଦଳିତ ଯୁବତୀଙ୍କୁ ପୁଲିସ୍‌ ନ୍ୟାୟ ଦେବାରେ ବିଫଳ ‌ହେବାରୁ ସେ ଆତ୍ମହତ୍ୟା ବାଟ ବାଛି ନେଇଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଆଜି ଏହି ସ୍ପର୍ଶକାତର ପ୍ରସଙ୍ଗକୁ ବିଧାନସଭାରେ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ସରକାରଙ୍କ ବିବୃତି ଦାବି କରି ଗୃହରେ ହୋହଲ୍ଲା କରିବା ସହ ନାରାବାଜି କରିଥିଲେ। ଫଳରେ ବାରମ୍ବାର ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ସରକାର ମଙ୍ଗଳବାର ଦିନ ଏହି ପ୍ରସଙ୍ଗରେ ବିବୃତି ଦେବେ ବୋଲି ବାଚସ୍ପତି ରୁଲିଂ ଦେବା ପରେ ଗୃହରେ ସ୍ବାଭାବିକ ସ୍ଥିତି ଫେରିଥିଲା।

ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଗଣମାଧ୍ୟମରେ ପ୍ରକାଶିତ ଏକ ଖବରକୁ ଉଦ୍ଧୃତ କରି କହିଲେ ଯେ ନୂଆଗାଁ ପୁଲିସ୍‌ ଷ୍ଟେସନ୍ ଅନ୍ତର୍ଗତ ତେନ୍ତୋଇ ଗ୍ରାମରେ ଏକ ଦଳିତ ପରିବାରର ଝିଅକୁ ସେହି ଗ୍ରାମର ଜଣେ ମାଂସ କଟାଳୀ ଦୀପକ ବେହୁରା ଏକତରଫା ପ୍ରେମ କରୁଥିଲା। ବାପା-ମା’ଙ୍କ ସାମ୍ନାରେ ଦୀପକ ସେହି ଝଅ ସହ ଦୁଷ୍କର୍ମ କରିଥିବା ତାଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି। ଦୀପକ ସେହି ଝିଅର ଅଶ୍ଳୀଳ ଫଟୋ ଉଠାଇ କାନ୍ଥବାଡ଼ରେ ମାରି ଝିଅକୁ ମାନସିକ ନିର୍ଯା‌ତନା ଦେଉଥିଲା। ଏ ନେଇ ପରିବାର ଲୋକ ପୁଲିସ୍‌ରେ ଏଫ୍‌ଆଇଆର୍‌ ଦେଇଥିଲେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ କଲାନି। ସେଥି ପାଇଁ ଝିଅଟି ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲା। ଆହୁରି ସ୍ପର୍ଶକାତର ପ୍ରସଙ୍ଗ ହେଉଛି ଝିଅର ଶବ ସଂସ୍କାର କରିବାକୁ ଗାଁ ମଶାଣି ମିଳିଲାନି। ସେ ଦଳିତ ପରିବାରର ବୋଲି ଗାଁ ‌ଲୋକ ଶବ ଦାହ ପାଇଁ ଅନୁମତି ଦେଲେନି। ଫଳରେ ଗାଁ ଠାରୁ କିଛି ଦୂରରେ ଝିଅଟିର ଶବ ସଂସ୍କାର ହେଲା। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ବିଷ୍ଣୁ ଦାସ ଓ ବିଜେଡି ଅନୁସୂଚିତ ଜାତି ସେଲ୍‌ର ମୁଖ୍ୟ ତେନ୍ତୋଇର ଏହି ଘଟଣାକୁ ଗଣମାଧ୍ୟମରେ ନିନ୍ଦା କରିଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ବିବୃତିକୁ ତାଛଲ୍ୟ କରି ଶ୍ରୀ ମିଶ୍ର କହିଲେ ଯେ ମହିଳାଙ୍କୁ ନିର୍ଯାତନା ନେଇ ବିରୋଧୀ ରାଜନୀତି କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ କହିଲେ। ମହିଳା ନିର୍ଯାତନା ନେଇ ଖୋଦ୍ ସରକାର ଗୃହରେ ଯେଉଁ ତଥ୍ୟ ଦେଉଛନ୍ତି, ତାହାକୁ ହିଁ ବିରୋଧୀ ଦଳ କହୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ତାହା ରାଜନୀତି କଲା ପରି ଲାଗୁଛି। ଯେହେତୁ ମୁଖ୍ୟମନ୍ତ୍ରୀ ଗୃହରେ ଆଲୋଚନା କରିବାକୁ ଚାହାନ୍ତି ନାହିଁ ଓ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ନାହିଁ, ସେଥିପାଇଁ ଏହାକୁ ରାଜନୀତିକରଣ କରାଯାଉଛି ବୋଲି କହୁଛନ୍ତି। କିନ୍ତୁ ଆମର ଅଧିକାର ଅଛି ଗୃହରେ ଆଲୋଚନା କରିବୁ। ତେନ୍ତୋଳି ଗ୍ରାମରେ ହୋଇଥିବା ଘଟଣାକୁ ଖୋଦ୍ ଶାସକ ଦଳ ବିଧାୟକ ନିନ୍ଦା କରି ଗଣମାଧ୍ୟମକୁ ବିବୃତି ଦେଇଛନ୍ତି। କିନ୍ତୁ ବିରୋଧୀ ଦଳ ଏହି ପ୍ରସଙ୍ଗରେ କହିଲେ ରାଜନୀତି ହୋଇଯାଉଛି। ଦଳିତ ପରିବାର ପ୍ରତି ହୋଇଥିବା ଏହି ଅମାନବୀୟ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ କାହିଁକି ନିରବ ଅଛନ୍ତି? ମା’ଭଉଣୀଙ୍କୁ ଏମିତି ସବୁପ୍ରକାର ସୁରକ୍ଷା ଦେଉଛନ୍ତି? ଯଦି ସ୍ଥାନୀୟ ପୁଲିସ୍‌ ଠିକ୍ ସମୟରେ ପଦକ୍ଷେପ ନେଇଥା’ନ୍ତା, ତେବେ ଝିଅଟି ଆତ୍ମହତ୍ୟା କରି ନ ଥା’ନ୍ତା। ଲୋକ ଆପଣଙ୍କୁ ଭୋଟ୍‌ ଦେଇ ୫ ଥର ଜିତାଇଲେଣି। ଭୋଟ୍‌ ଦେଇଥିଲେ କ’ଣ ଦଳିତ ଝିଅଟି ବାପା-ମା’ଙ୍କ ଆଗରେ ଦୁଷ୍କର୍ମର ଶିକାର ହେବା ପାଇଁ। ଶେଷରେ ଶବ ଦାହ ପାଇଁ ମଶାଣି ବି ମନା କରି ଦିଆଗଲା। ଏହା କି ଅଦ୍ଭୂତ ଯୁକ୍ତି ? କି ପ୍ରକାର ଶାସନ ଏଠି ଚାଲିଛି ? ଯଦି ଏହି ଘଟଣା ନୂଆଦିଲ୍ଲୀରେ ହୋଇଥା’ନ୍ତା, ତେବେ ସାରା ଭାରତ ଜଳିଥା’ନ୍ତା। କିନ୍ତୁ ଓଡ଼ିଶାର ଦୁର୍ଭାଗ୍ୟ ଯେ ସରକାର ଏଠି ଚେତୁ ନାହାନ୍ତି । ଦୋଷୀ ବିରୋଧରେ ଏସ୍‌ସି, ଏସ୍‌ଟି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସରକାର ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ।

ଶ୍ରୀ ମିଶ୍ର କହୁଥିଲା ବେଳେ ବାଚସ୍ପତି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଗୃହରେ ଆଲୋଚନା କରିବାର ଆବଶ୍ୟକତା ନାହିଁ। ଆଇନ୍ ତା’ ବାଟରେ ଯିବ। ଆପଣ ଏହି ପ୍ରସଙ୍ଗ କାହିଁକି ଉଠାଉଛନ୍ତି? ଶୂନ୍ୟକାଳରେ ବହୁ ପ୍ରସଙ୍ଗ ଅଛି ଆଲୋଚନା କରିବାକୁ।

କିନ୍ତୁ ଶ୍ରୀ ମିଶ୍ର ଏହାର ପ୍ରତିବାଦ କରିଥିଲେ। ବିଜେପି ସଭ୍ୟମାନେ ମଧ୍ୟ ତାଙ୍କ ସହ ସ୍ବର ମିଳାଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ ଜଣେ ସାଧାରଣ ଦଳିତ ଝିଅକୁ ବାପା-ମା’ଙ୍କ ଆଗରେ ଦୁ‌ଷ୍କର୍ମ କରାଯାଇଛି। ପୁଣି ସେ ଝିଅଟି ଆତ୍ମହତ୍ୟା କରିଛି। ଏହାଠାରୁ ବଳି ଲଜ୍ଜାର କଥା କ’ଣ ହୋଇପାରେ? ଶ୍ରୀ ମିଶ୍ର ବି କହିଥିଲେ ଯେ ଏହା ଠାରୁ ଅଧିକ ସ୍ପର୍ଶକାତର ଓ ଲଜ୍ଜାଜନକ ପ୍ରସଙ୍ଗ କିଛି ନ ଥିବ?

ଏହା ପରେ ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ବାଚସ୍ପତି ଗୃହକୁ ୧୨ଟା ୧୨ରେ ୨୦ ମିନିଟ୍‌ ପାଇଁ ମୁଲତବୀ ରଖିଲେ। ଏହି ସମୟରେ ବାଚସ୍ପତିଙ୍କ ଚାମ୍ବରରେ ସମ୍ବିଧାନ ଦିବସ ପାଳନ ନେଇ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଫଳରେ ୧୨ଟା ୩୨ରୁ ୧୨ଟା ୫୨ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଗୃହକୁ ମୁଲତବୀ ରଖାଗଲା। ୧୨ଟା ୫୨ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଏହି ହୋହଲ୍ଲା ଭିତରେ ଅର୍ଥ ମନ୍ତ୍ରୀ ବ୍ୟୟମଞ୍ଜୁରି ବିଲ୍‌ ଆଗତ କରିଥିଲେ। ବିରୋଧରେ ପ୍ରତିବାଦର ସ୍ବର ଆହୁରି ତୀବ୍ର ହେବାରୁ ୧ଟାରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ଅପରାହ୍ନ ୩ଟାରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଲା। ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ନାରାବାଜି କରିଥିଲେ। ତାରା ବାହିନୀପତି ‌ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ବାଧ୍ୟ ହୋଇ ୩ଟା ୪ରେ ବାଚସ୍ପତି ଗୃହକୁ ଅଧ ଘଣ୍ଟା ମୁଲତବୀ ରଖିଲେ। ୩ଟା ୩୪ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ତେ‌େନ୍ତାଇ ଘଟଣାରେ ସରକାର ମଙ୍ଗଳବାର ଦିନ ଗୃହରେ ବିବୃତି ଦେବେ ବୋଲି ବାଚସ୍ପତି ରୁଲିଂ ଦେଇଥିଲେ। ଏହା ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe