ସାଲେପୁର ଘଟଣାରେ ବିଧାନସଭାରେ ଉଦ୍‌ବେଗ; ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହ୍ରାସ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର : ସାଲେପୁର ଘଟଣାରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଥିଲେ। ଦୁଷ୍କର୍ମ ପୀଡିତା ନାବାଳିକାର ମୃତ୍ୟୁ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ପୀଡିତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ ନବୀନ ପଟ୍ଟନାୟକ। କହିଥିଲେ, ଏହି ଘଟଣାର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୀଡିତାଙ୍କୁ ଏସ୍‌ସିବିରେ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ସେଠାରେ ନିୟୋଜିତ କରାଯାଇଥିଲା। କିନ୍ତୁ ସମସ୍ତ ଚେଷ୍ଟା ସତ୍ୱେ ତାଙ୍କ ମୃତ୍ୟୁ ଦୁଭାର୍ଗ୍ୟଜନକ। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯାଇଛି ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅନ୍ୟପକ୍ଷରେ ବ୍ୟୟ ମଞ୍ଜୁରୀ ବିଲ୍‌ ଆଲୋଚନା ଆଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏମିତିକି ସରକାରକୁ ଅପରାଗ ବୋଲି ମଧ୍ୟ ସମାଲୋଚନା କରିବାକୁ ପଛାଇ ନଥିଲେ।

ଶ୍ରୀ ମିଶ୍ର କହିଥିଲେ, ସାଲେପୁର ପୀଡ଼ିତା ମୃତ୍ୟୁ ଘଟଣାରେ ସରକାର ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କଥା କୁହାଯାଇଛି। କିନ୍ତୁ ଏଥିରେ କଣ ପୀଡ଼ିତା ଜୀବନ ଫେରିପାଇବ? ତାଙ୍କ ପରିବାରର ସମ୍ମାନ ଫେରିଆସିବ? କେମିତି ଦୁଷ୍କର୍ମ କମିବ ତାହା ଉପରେ ଗୁରୁତ୍ୱ ଦେବା ଲାଗି ବିରୋଧୀ ଦଳ ବାରମ୍ବାର କହି ଆସିଛି। ମାତ୍ର ସରକାର କୌଣସି ଉତ୍ତର ଦେଇନାହାନ୍ତି। ଯେମିତିକି ଏ ନେଇ ଚିନ୍ତା ନାହିଁ।ରାଜ୍ୟରେ ଦୁଷ୍କର୍ମ ସଂଖ୍ୟା ବଢିଚାଲିଛି। ଏ ସରକାର ଅପରାଗ, ମହିଳାଙ୍କ ସମ୍ମାନ ରକ୍ଷା କରିପାରୁନାହିଁ ବୋଲି ବିରୋଧୀ ଦଳ ନେତା କଟାକ୍ଷ କରିଥିଲେ।

ଶ୍ରୀ ମିଶ୍ର କହିଥିଲେ, ଅପରାଧୀକୁ ସରକାର ଗିରଫ କରିଛନ୍ତି। ମାତ୍ର ତାକୁ ଯେ ଦଣ୍ଡମିଳିବ ଏକଥା ନିଶ୍ଚିତ କରାଯାଇପାରିବ ନାହିଁ। କାରଣ ଦିନକୁ ରାଜ୍ୟରେ ୬ଟି ଦୁଷ୍କର୍ମ ଘଟୁଛି ଓ ମାତ୍ର ୬ପ୍ରତିଶତ ଦଣ୍ଡବିଧାନ ହେଉଛି।

ନିକଟରେ ପ୍ରଧାନମନ୍ତ୍ରୀ ନାବାଳିକା ଦୁଷ୍କର୍ମ କାରୀଙ୍କୁ ଫାଶୀଦଣ୍ଡ କଥା କହିଛନ୍ତି। ମାତ୍ର ଏହା ଦୁଷ୍କର୍ମ କମାଇ ପାରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଲେଣି। ମୁଖ୍ୟମନ୍ତ୍ରୀ ଆଦୌ ପ୍ରଧାନମନ୍ତ୍ରୀଙ୍କର ପଦାଙ୍କ ଅନୁସରଣ କରନ୍ତୁ ନାହିଁ।

ରାଜକନିକାରେ ଆଇଆଇସି ଅଭିଯୋଗକାରୀଙ୍କୁ ଦଳ କଥା ପଚାରୁଛି? ରେଢାଖୋଲରେ ଦଳିତ ନାବାଳିକାକୁ ନ୍ୟାୟ ମିଳିପାରିଲା ନାହିଁ। କୁନ୍ଦୁଲିରେ ସରକାର କାହା ପକ୍ଷରେ? ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। ସରକାରଙ୍କୁ ସମାଲୋଚନା କରି ଆହୁରି କହିଥିଲେ, ଯଦି ଆଇନଶୃଙ୍ଖଳା ରାଜ୍ୟରେ ଠିକ୍‌ ରହିଛି, ତେବେ ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚପଲ ଫିଙ୍ଗାଗଲା, ତାହା କଣ ଠିକ୍‌ ଅଛି? ଜଣେ ବିଜେଡି କର୍ମୀଙ୍କୁ ହତ୍ୟା କରାଗଲା। ବିଜେପିର ପୂର୍ବତନ ବିଧାୟକ ଜେଲ୍‌ରେ ଅଛନ୍ତି। ଏହା କଣ ଠିକ୍‌?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe