ପୁରୀ: ପବିତ୍ରତା ହରାଉଛି ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରରେ ଥିବା ଶରଧାବାଲି। ଭକ୍ତ ଜାଣିପାରୁନାହାନ୍ତି ଏହି ପବିତ୍ର ସ୍ଥାନର ପରିଚୟ। ନା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉଛି ନା ଶ୍ରୀମନ୍ଦିର ପ୍ରଶାସନ। ଫଳସ୍ବରୂପ ଏହି ପବିତ୍ର ସ୍ଥାନ ତାର ପରିଚୟ ସହ ପବିତ୍ରତା ହରାଇବାରେ ଲାଗିଛି। ଅନ୍ୟପକ୍ଷରେ ଦୈନିକ ଏଠାରେ ନିଶାଡ଼ିଙ୍କ ଭିଡ଼ ଜମୁଛି। ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଯେଉଁ ପବିତ୍ର ସ୍ଥାନର ବାଲିକୁ ମୁଣ୍ଡରେ ମାରି ଭକ୍ତ ମହାପ୍ରଭୁଙ୍କୁ ସ୍ପର୍ଶ କରିବାର ଅନୁଭବ ଲଭିଥାନ୍ତି, ସେହି ପବିତ୍ର ସ୍ଥାନ ଆଜି ଗୋରୁ ଗୁହାଳ ପାଲଟିଛି। ଏହା ବସ୍ଠାରୁ ଆରମ୍ଭ କରି କାର୍, ଅଟୋଙ୍କ ପାର୍କିଂ ସ୍ଥଳୀ ପାଲଟିଛି। ସେପଟେ ନାକଚଣା ଦ୍ବାର ନିକଟରେ ଏକ ଚାମ୍ବରରୁ ଦୈନିକ ପାଣି ଉଛୁଳି ରାସ୍ତାରେ ମାଡ଼ୁଛି।
ଗବେଷକଙ୍କ ମତରେ ଅତୀତରେ ମାଳିନୀ ନଦୀ ବଡ଼ଦାଣ୍ଡକୁ ଦୁଇଭାଗରେ ବିଭକ୍ତ କରିଥିଲା। ଏହା ବଳଗଣ୍ଡି, ବଡ଼ଶଙ୍ଖ ଦେଇ ବାଙ୍କି ମୁହାଣରେ ମିଶିଥିଲା। ଯେଉଁଥିପାଇଁ ଅତୀତରେ ରଥଯାତ୍ରା ବେଳେ ଶ୍ରୀଜିଉଙ୍କୁ ଡଙ୍ଗାରେ ନଦୀ ପାର ହେବାକୁ ପଡ଼ୁଥିଲା। ୧୦୭୮ ମସିହାରେ ରାଜା ଭାନୁ ଦେବଙ୍କ ରାଜତ୍ବ କାଳରେ ମାଳିନୀ ନଦୀକୁ ପୋତିବା ଉଦ୍ୟମ ଆରମ୍ଭ ହୋଇଥିଲା। ବହୁ ପ୍ରଚେଷ୍ଠା ପରେ ବଳଗଣ୍ଡିରୁ ବଡ଼ଶଙ୍ଖ ଦେଇ ବାଙ୍କି ମୁହାଁଣ ପର୍ଯ୍ୟନ୍ତ ବହିଥିବା ମାଳିନୀ ନଦୀକୁ ସଂପୂର୍ଣ୍ଣ ପୋତା ଯାଇଥିଲା। ଫଳରେ ଠାକୁରେ ତିନିଟି ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ସମ୍ଭବପର ହୋଇଥିଲା। ରାଣୀ ଶ୍ରଦ୍ଧା ଦେବୀଙ୍କ ପ୍ରଚେଷ୍ଟା ଫଳରେ ଏହା ସମ୍ଭବ ହୋଇଥିବାରୁ ରାଣୀଙ୍କ ନାଁରେ ଏହି ସ୍ଥାନର ନାଁ ଶ୍ରଦ୍ଧା ବାଲି ଥିଲା। କ୍ରମେ ଏହା ଶରଧାବାଲି ଭାବେ ପରିଚୟ ଲାଭ କରିଛି। ବଡ଼ଦାଣ୍ଡରେ ଶରଧାବାଲି ଏକମାତ୍ର ସ୍ଥାନ ଯେଉଁଠି ବାଲି ରହିଛି। ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଫେରିବାବେଳେ ଦକ୍ଷିଣ ମୋଡ଼ ହୋଇ ତିନି ରଥ ଶରଧାବାଲିରୁ ବାହୁଡ଼ା ଯାତ୍ରା ଆରମ୍ଭ କରିଥାନ୍ତି। ଶରଧାବାଲିରେ ଗଡ଼ିବା ସହ ଏହି ବାଲିକୁ ମୁଣ୍ଡରେ ମାରି ପୂଣ୍ୟ ଲଭିଥାନ୍ତି ଦେଶବିଦେଶର ଭକ୍ତ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ଚତୁଃପାର୍ଶ୍ବରେ ଯେଉଁମାନେ ଜମି ଦେଇଥିଲେ, ସେମାନଙ୍କୁ ସ୍ମୃତି ସ୍ବରୂପ ଶରଧାବାଲି ସହ ଶ୍ରୀଜିଉଙ୍କ ଅନ୍ୟାନ୍ୟ ଲାଗି ଜିନିଷ ଦେଇ ସମ୍ମାନିତ କରାଯାଇଥିଲା। ଏହି ସ୍ଥାନ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଥିବାବେଳେ ପୌରସଂସ୍ଥା କିନ୍ତୁ ବିଭିନ୍ନ ସମୟରେ ମେଳା ଆୟୋଜନ କରି ରାଜସ୍ବ ଆଦାୟ କରୁଛି। କିନ୍ତୁ ଏହି ପବିତ୍ର ସ୍ଥାନର ସୁରକ୍ଷା ଦିଗରେ କେହି ଦୃଷ୍ଟି ଦେଉନାହାନ୍ତି। ଏବେ ବି ଏହି ସ୍ଥାନ ଖୋଲାମେଲା ରହିଥିବାରୁ ଅନ୍ୟମାନେ ଅବାଧ ପ୍ରବେଶ କରୁଛନ୍ତି। ପାଖରେ ଅଇଁଠା ପାଣି ବି ପଡ଼ୁଛି। ଏ ସଂପର୍କରେ ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତି ସୁରକ୍ଷା ସଂଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ର କହିଛନ୍ତି, ଭକ୍ତମାନେ ଯେପରି ଶରଧାବାଲି ସଂପର୍କରେ ଜାଣିପାରିବେ, ସେ ସଂପର୍କିତ ସ୍ପଷ୍ଟ ଓ ସୁଦୃଶ୍ୟ ସୂଚନା ଫଳକ ଲାଗିବା ଜରୁରୀ। ଏହି ସ୍ଥାନକୁ ସଂପୂର୍ଣ୍ଣ ବାରିକେଡିଂ କରାଯିବା ଜରୁରୀ।
Follow Us