ଭୁବନେଶ୍ୱର: ଆଜି ବିଧାନସଭାରେ ଉଭୟ ଶାସକ ଏବଂ ବିରୋଧୀ ଦଳରୁ ପ୍ରାୟ ୩୬ଜଣ ବିଧାୟକ ‘ନିବେଦନ’ ଜରିଆରେ ନିଜ ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନ କରିଥିଲେ। ବିଶେଷ କରି ସେମାନେ ମହାବିଦ୍ୟାଳୟରେ ଅଧ୍ୟାପକ ଅଭାବ, ରାସ୍ତା ପୋଲ ନିର୍ମାଣ, ଜଳସେଚନ, ସ୍ୱାସ୍ଥ୍ୟସେବା ଆଦି ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେସବୁ ନିବେଦନରୁ ରାଜ୍ୟର ମୌଳିକ ସମସ୍ୟାଗୁଡ଼ିକୁ ନେଇ ରହିଥିବା ଦୟନୀୟ ଚିତ୍ର ପଦାକୁ ଫୁଟି ଆସିଛି। ବିଜେଡି ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଥିଲେ ଯେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ମହାବିଦ୍ୟାଳୟରେ ଅଧ୍ୟାପକ ଅଭାବ ସମସ୍ୟା ଉପସ୍ଥାପନ କରିଥିଲେ। ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ମେଗା ଉଠାଜଳସେଚନ ପ୍ରକଳ୍ପ କଥା ଉଠାଇଥିବା ବେଳେ ଡା. ରାସେଶ୍ୱରୀ ପାଣିଗ୍ରାହୀ ଜିଏମ୍ ବିଶ୍ୱବିଦ୍ୟାଳୟରେ ୬୦% ଅଧ୍ୟାପକ ପଦବି ଫାଙ୍କା ପଡ଼ିଥିବା କହିଥିଲେ। ସେହିପରି କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ରାଜନଗର ନିର୍ବାଚନମଣ୍ଡଳୀରେ ମାତ୍ର ୧୫% ଜଳସେଚନ ସୁବିଧା ଥିବା ଦର୍ଶାଇଥିଲେ। ପୂର୍ବତନ ମନ୍ତ୍ରୀ ସଞ୍ଜିବ ସାହୁ ବଇଁଣ୍ଡାରେ ଲୋକେ ପ୍ରାଶାସନିକ ସେବାରୁ ବଞ୍ଚିତ ହେଉଥିବା କହିଥିବା ବେଳେ ଆଦିବାସୀ ପଟ୍ଟାଜମିରୁ ବେଆଇନ ଭାବେ ଖଣି ଉତ୍ତୋଳନ ହେଉଥିବା ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ।
ବିଜେପି ବିଧାୟକ ପ୍ରଦୀପ ପୁରୋହିତ ରାସ୍ତା, ପୋଲ ନିର୍ମାଣ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା-ବୀରମହାରାଜପୁରରେ କେନାଲ୍ ତିଆରି, ଲାଲ୍ବିହାରୀ ହିମିରିକା ତାଙ୍କ ଅଞ୍ଚଳ କଲେଜରେ ଅଧ୍ୟାପକ ଅଭାବ, ହୃଷୀକେଶ ନାୟକ ପାଟଣାରେ ସବ୍ଟ୍ରେଜେରି, ଜୀବନ ପଦୀପ ଦାଶ ବନ୍ୟାଜଳ ନିଷ୍କାସନ, ପର୍ଶୁରାମ ଧଡ଼ା ବିଶିଷ୍ଟ କବି ରାଧାନାଥ ରାୟଙ୍କ ଜନ୍ମସ୍ଥଳୀକୁ ଜାତୀୟ ସ୍ମାରକୀ ଭାବେ ବିକଶିତ କରିବା ପାଇଁ ନିବେଦନ କରିଥିଲେ। ଏମାନଙ୍କ ସହିତ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଜେପି ବିଧାୟକ ବସନ୍ତ ପଣ୍ଡା, କଂଗ୍ରେସ ବିଧାୟକ ଡା. ପ୍ରଫୁଲ ମାଝୀ, ଚନ୍ଦ୍ରଶେଖର ମାଝୀ, ମାନସ ମାଡ଼କାମୀ ପ୍ରମୁଖ ନିବେଦନ କରିଥିଲେ।
Follow Us