ଦୁର୍ନୀତି ବି‌ରୋଧରେ ଶାସକ ଦଳ ନେତାଙ୍କ ଶୋଭାଯାତ୍ରା

ଦୁର୍ନୀତି ବି‌ରୋଧରେ ଶାସକ ଦଳ ନେତାଙ୍କ ଶୋଭାଯାତ୍ରା

୧୨,୦୦୦ ପାଇଖାନା ନିର୍ମାଣରେ ୧୦ କୋଟିର ଦୁର୍ନୀତି ହୋଇଛି
ତଦନ୍ତ ଦାବିକଲେ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ

ନବରଙ୍ଗପୁର : ସରକାରଙ୍କ ପାଇଖାନା ଦୁର୍ନୀତି ବି‌ରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ଶାସକ ଦଳର ସାଂସଦ ଓ ବିଧାୟକ। ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ବି ଦାବିପତ୍ର ଦେଇଛନ୍ତି। ଯାହାକି, ଏବେ ନବରଙ୍ଗପୁର ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାରଙ୍କ ପ୍ରତିଟି ଯୋଜନାର ଉତ୍ତରଦାୟିତ୍ବ ପରୋକ୍ଷରେ ଶାସକ ଦଳ ଉପରେ ଥିବାବେଳେ ସେହି ଦଳର ଟାଣୁଆ ନେତାମାନେ କେଉଁ ଉଦ୍ଦେଶ୍ୟରେ ଏହିଭଳି ଏକ ପଦକ୍ଷେପ ଗ୍ରହଣ କଲେ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗତ ୨୮ ତାରିଖରେ ବିଜେଡି ନେତା ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ରେ ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମ‌ନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ସହିତ ପୂର୍ତତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ ସାମିଲ୍‌ ହୋଇଥିଲେ। ଆହୁରି ମଧ୍ୟ ଜିଲ୍ଲାର ବହୁ ଆଗଧାଡ଼ିର ନେତା ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହି ନେତାମା‌ନେ ଅଭିଯୋଗ କରିଥିଲେ ଯେ ରାଇଘର ବ୍ଲକ୍‌ରେ ୧୨,୦୦୦ ପାଇଖାନା ନିର୍ମାଣରେ ୧୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ଦୁର୍ନୀତିର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ଶାସକ ଦଳ ନେତାମାନଙ୍କର ଏହିଭଳି ପଦକ୍ଷେପ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛିଦିନ ତଳେ ବିଜେଡିରେ ଯୋଗ ଦେଇଥିବା ଶ୍ରୀ ମାଝୀ କଂଗ୍ରେସରେ ଥିବାବେଳେ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ଦଳର ଗୁରୁତ୍ବପୂର୍ଣ୍ଣ ପଦ ମଣ୍ଡନ କରୁଥିବା ବେଳେ ଝରିଗଁା ସମେତ ସାରା ଜିଲ୍ଲାରେ ପାଇଖାନା ନିର୍ମାଣରେ ୧୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ଅଭିଯୋଗ ମୁତାବକ ପ୍ରଶାସନିକ ତଦନ୍ତ ପରେ ଝରିଗାଁ ବ୍ଲକର ତତ୍କାଳୀନ ବିଡିଓ ବାହାଦୁର ସିଂ ଧରୁଆ ନିଲମ୍ବିତ ହୋଇଥିଲେ। ଏବେ ଶାସକଦଳ ନେତା ପରିଚୟ ସତ୍ତ୍ବେ ଦୁର୍ନୀତି ପ୍ରସଙ୍ଗରେ ‌ସେ ଶୋଭାଯାତ୍ରାରେ ସାମିଲ୍‌ ହେବା ସାଧାରଣରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି।
ସେହିଭଳି ସାଂସଦ ଶ୍ରୀ ମାଝୀ ଦଳର ଜଣେ ଆଗଧାଡ଼ିର ନେତା ଏବଂ ସେ ବି ପୂର୍ବତନ ମନ୍ତ୍ରୀ। ଦୁର୍ନୀତି ସମ୍ପର୍କରେ ସେ ବିଭାଗୀୟ ମନ୍ତ୍ରୀ ଏବଂ ଆବଶ୍ୟକସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଥା’ନ୍ତେ। ସେ ମଧ୍ୟ ଜିଲ୍ଲା ଭିଜିଲାନ୍‌ସ କମିଟିର ଅଧ୍ୟକ୍ଷ ଅଛନ୍ତି। ନିଜେ ସିଧାସଳଖ ପଦକ୍ଷେପ ଗ୍ରହଣ କରିପାରିଥା’ନ୍ତେ। ସେ କେଉଁ ଉଦ୍ଦେଶ୍ୟରେ ଏହିଭଳି ଏକ ପଦକ୍ଷେପ ଗ୍ରହଣ କଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ରମେଶ ମାଝୀ ଓ ପ୍ରଦୀପ ମାଝୀଙ୍କ ସହିତ ଶାସକ ଦଳର ୨ ଜଣ ବିଧାୟକ ସାମିଲ୍‌ ହେବା ଜିଲ୍ଲାର ଦଳୀୟ ଆଭିମୁଖ୍ୟ ପ୍ରତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିସହିତ, ପ୍ରାୟ ୧ ବର୍ଷ ବ୍ୟବଧାନରେ ପୁଣିଥରେ ପାଇଖାନା ପ୍ରସଙ୍ଗ ଉତ୍‌ଥାପିତ ହେବାରୁ ଯେମିତି ଜଣାପଡ଼ୁଛି ଯେ ଦୁର୍ନୀତି ବିରୋଧରେ ସରକ‌ାର କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଯାହାକି ଏବେ ସାଧାରଣରେ ଆଲୋଚନାର ବିଷୟବସ୍ତୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe