Sambad English
ନବରଙ୍ଗପୁର : ଦୁର୍ନୀତି ହେଉ କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି। ଦାଦନ ସମସ୍ୟା ଠାରୁ ଆରମ୍ଭ କରି ଅସହାୟ ଲୋକଙ୍କ ଦୁର୍ବିଷହ ଜୀବନର କାହାଣୀ। ପ୍ରତ୍ୟେକ ପ୍ରସଙ୍ଗରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ସ୍ବର ହୋଇ ଆସିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ତେବେ ଏହି ଯୁବ ଆଦିବାସୀ ନେତାଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା। ସେ କଂଗ୍ରେସ ଛାଡ଼ି ପାରନ୍ତି ଏବଂ ଅନ୍ୟ ଦଳରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ସରଗରମ ହୋଇଛି। ଯଦିଓ ପ୍ରଦୀପ ଚର୍ଚ୍ଚାକୁ ଖଣ୍ଡନ କରୁଛନ୍ତି ତଥାପି ତାଙ୍କ ସମର୍ଥକ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି।
ନିଜ ସମର୍ଥକଙ୍କ ସହ ପ୍ରଦୀପ ଦଳ ଛାଡ଼ିବେ ବୋଲି କୁହାଯାଉଛି। ଏପରିକି ପ୍ରଦୀପ ବି ନିଜ ବିଶ୍ବସ୍ତ କର୍ମୀ ଏବଂ ନେତାଙ୍କ ସହ ବି ଏ ନେଇ ବିଚାର କରୁଥିବା ଜଣାପଡ଼ିଛି। ତେବେ ସେ କେଉଁ ଦଳରେ ଯୋଗଦେବେ ସେ ନେଇ ତାଙ୍କ ନିକଟତମ ମହଲରୁ କିଛି ସ୍ପଷ୍ଟ ଉତ୍ତର ମିଳୁନାହିଁ। ତଥାପି ବିଜେଡି ଯାଇପାରନ୍ତି ବୋଲି ଅଧିକ ଚର୍ଚ୍ଚା ହେଉଛି। ଏହି ଖବର ପ୍ରଚାରିତ ହେବା ପରେ କିଛି ପୁରୁଖା କଂଗ୍ରେସ ନେତା ଏବଂ ସମର୍ଥକ ମିଳିତ ଭାବେ ପ୍ରଦୀପଙ୍କୁ ଦଳ ବଦଳ ନ କରିବା ନିମନ୍ତେ ଚାପ ପକାଇଥିବା ଜଣାପଡ଼ିଛି। ଏଥିପାଇଁ କଂଗ୍ରେସ ନେତା ଏବଂ ସମର୍ଥକଙ୍କ ବୈଠକ ହୋଇଥିବା ବି ସୂଚନା ମିଳିଛି।
ଛତିଶଗଡ଼ କଂଗ୍ରେସ ରାଜନୀତିରେ ମଧ୍ୟ ପ୍ରଦୀପଙ୍କ ଯଥେଷ୍ଟ ପ୍ରଭାବ ରହିଛି। ଛତିଶଗଡ଼ କଂଗ୍ରେସ ନେତା ବି ପ୍ରଦୀପଙ୍କ ଉପରେ ଦଳ ନ ଛାଡ଼ିବା ପାଇଁ ଚାପ ପକାଇବାକୁ ନିବେଦନ କରିଥିବା କୁହାଯାଉଛି। ତେବେ ପ୍ରଦୀପ ଗଣମାଧ୍ୟମକୁ ଦୃଢ଼ତାର ସହ ଦଳ ବଦଳକୁ ଖଣ୍ଡନ କରିଛନ୍ତି।।
ପ୍ରଦୀପ ରାଜନୈତିକ ଜୀବନ କଂଗ୍ରେସରୁ ଆରମ୍ଭ କରି ପ୍ରଥମ ଦଫା ପ୍ରତ୍ୟକ୍ଷ ନିର୍ବାଚନରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ନବରଙ୍ଗପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଏହାପରେ ଦୁଇ ଦୁଇ ଥର ନିର୍ବାଚନରେ ପରାଜିତ ହୋଇଥିଲେ ପ୍ରଦୀପ। ତଥାପି ଜିଲ୍ଲା ରାଜନୀତି ତଥା କଂଗ୍ରେସରେ ଏବେ ବି ଯଥେଷ୍ଟ ପତିଆରା ତାଙ୍କର ରହିଛି।
ଅନ୍ୟପକ୍ଷରେ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ନାରାୟଣ ପାତ୍ର ଯିଏକି ଏବେ ବିଜେଡିରେ ଅଛନ୍ତି ତାଙ୍କର ଗୋଟିଏ ଫେସ୍ବୁକ୍ ପୋଷ୍ଟକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, ଚାଟୁକାର ଓ ଅନ୍ଧଭକ୍ତ ସମାଜ ପାଇଁ ବହୁତ ବିପଦପୂର୍ଣ୍ଣ। ସେହି ଚାଟୁକାରମାନେ ହିଁ ସେମାନଙ୍କ ବସ୍ଙ୍କୁ ଅବାଟରେ ନେଉଛନ୍ତି। ବସ୍ଙ୍କ ଭାବମୂର୍ତ୍ତିକୁ ଖରାପ କରୁଛନ୍ତି। ତେଣୁ ଚାଟୁକାରଙ୍କ ଠାରୁ ବସ୍ ସତର୍କ ରୁହନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। ଏହି ବସ୍ ପ୍ରଦୀପ ନୁହନ୍ତି ତ? ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।
Follow Us