ଝାରସୁଗୁଡ଼ା: ବାପା ଫଳ ବେପାରୀ। ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନଥିଲେ ମଧ୍ୟ ନିଜର ନିଷ୍ଠା ଏବଂ ଅଧ୍ୟବସାୟ ଝିଅ ପାଇଁ ସଫଳତା ଆଣି ଦେଇଛି। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅଞ୍ଚଳର ଓମ୍ ପ୍ରକାଶ ସା ଏବଂ ପୁରନ୍ଦା ସା’ଙ୍କ ଝିଅ ରୂପା ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ ଏ୧ ଗ୍ରେଡ ହାସଲ କରିଛନ୍ତି। କିନ୍ତୁ ରୁପାଙ୍କ ସଂଘର୍ଷ ଏବଂ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ଗିରିଧାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୂପାଙ୍କ ଏହି ସଫଳତା ପରେ ଅଞ୍ଚଳରେ ଖୁସିର ମହୋଲ ସୃଷ୍ଟି କରିଛି।
ରୂପା ପ୍ରଥମରୁ ଜଣେ ମେଧାବୀ ଏବଂ କଠିନ ପରିଶ୍ରମୀ ହୋଇଥିବା ବେଳେ ଏବେ ଏହାର ଫଳ ତାଙ୍କୁ ମିଳିଛି। ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନଥିଲେ ମଧ୍ୟ ନିଜର ନିଷ୍ଠା ଏବଂ ଅଧ୍ୟବସାୟ ତାଙ୍କର ଭବିଷ୍ୟତର ମାର୍ଗକୁ ପ୍ରଶସ୍ତ କରିଛି। ତାଙ୍କ ବାପା ଓମ୍ ପ୍ରକାଶ ସା ଏକ ଫଳ ଦୋକାନ କରିଥିବା ବେଳେ ମା ଜଣେ ଗୃହିଣୀ।
ରୂପା କୁହନ୍ତି ପରୀକ୍ଷା ପାଇଁ ସେ ଦୈନିକ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରନ୍ତି। ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ସମସ୍ତ ସହଯୋଗ କରିଥାନ୍ତି। ରୂପାନ୍ତରଣ ପରେ ବିଦ୍ୟାଳୟରେ ଥିବା ଇ ପାଠାଗାରରୁ ସେ ଅନେକ ତଥ୍ୟ ଗ୍ରହଣ କରିବା ସହିତ ବିଷୟକୁ ନେଇ ଥିବା ଦ୍ଵନ୍ଦ ମଧ୍ୟ ଦୂର କରିପାରନ୍ତି। ବିଜ୍ଞାନ ପ୍ରୟୋଗ ଶାଳା, ସ୍ମାର୍ଟ ଶ୍ରେଣୀଗୃହ ମଧ୍ୟ ତାଙ୍କୁ ଏନେକ ସହଯୋଗ କରିଛି। ଆଗକୁ ଯୁକ୍ତ ୨ ବିଜ୍ଞାନ ପଢିବା ସହିତ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଲୋକମାନଙ୍କ ସେବା କରିବା ପାଇଁ ଆଶା ରଖିଛନ୍ତି। ତାଙ୍କର ଏହି ସଫଳତା ପରେ ସବୁଠୁ ତାଙ୍କୁ ଶୁଭେଛା ଛୁଟୁଛି।
Follow Us