ମାଲକାନଗିରିରେ ଦୁଇ ଅଭିନେତ୍ରୀ ରୂପା ଗାଙ୍ଗୁଲି ଓ ଦେବଯାନୀଙ୍କ ଭିତରେ ପ୍ରଚାର ଟକ୍କର, ନଜରରେ ବଙ୍ଗୀୟ ଭୋଟର୍‌

ମାଲକାନଗିରିରେ ଦୁଇ  ଅଭିନେତ୍ରୀ ରୂପା ଗାଙ୍ଗୁଲି ଓ ଦେବଯାନୀଙ୍କ ଭିତରେ ପ୍ରଚାର ଟକ୍କର, ନଜରରେ ବଙ୍ଗୀୟ ଭୋଟର୍‌

ଭୁବନେଶ୍ୱର: ରାଜ୍ୟରେ ବଙ୍ଗୀୟ ଭୋଟରମାନଙ୍କୁ ଆକର୍ଷିତ କରିବାଲାଗି ଦୁଇ ପ୍ରମୁଖ ଦଳ ଦୁଇଜଣ ଜଣାଶୁଣା ଅଭିନେତ୍ରୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି। ଏ ଦୁଇ ଅଭିନେତ୍ରୀ ବି ବଙ୍ଗୀୟ। ଏ ଦୁହଁଙ୍କ ମଧ୍ୟରୁ ବିଜେପି ପାଇଁ ପ୍ରଚାର କରୁଛନ୍ତି ଦଳର ବରିଷ୍ଠ ନେତ୍ରୀ ତଥା ଲୋକପ୍ରିୟ ଅଭିନେତ୍ରୀ ରୂପା ଗାଙ୍ଗୁଲି। ରୂପା ଗାଙ୍ଗୁଲି ବି.ଆର.ଚୋପ୍ରାଙ୍କ ଯୁଗାନ୍ତକାରୀ ଟେଲି ସିରିଏଲ୍‌‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ ଅଭିନୟ କରି ସର୍ବାଧିକ ଚର୍ଚ୍ଚିତା ହୋଇଥିଲେ।

ଏହା ପରେ ଅବଶ୍ୟ ରୂପା ପ୍ରଣବ ଦାସଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର‘ରଣଭୂମି’ରେ ନାୟିକା ଭୂମିକାରେ ନଜର ଆସିଥିଲେ। ‘ରଣଭୂମି’ରେ ରୂପାଙ୍କୁ ଓଲିଉଡର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିଥିଲା। ଏହାପରେ ରୂପା ଗାଙ୍ଗୁଲି ଅନ୍ୟ କୌଣସି ଓଡ଼ିଆ ସିନେମାରେ ଅଭିନୟ କରିନାହାନ୍ତି।

publive-image photo-twitter

ତେବେ ରୂପା ଗାଙ୍ଗୁଲି ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଆଗରୁ ଏକାଧିକବାର ଓଡ଼ିଶା ଆସିଛନ୍ତି। ସେ ୨୦୧୬ ଅକ୍ଟୋବରରେ ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ହୋଇଥିଲେ। ରୂପା ଗାଙ୍ଗୁଲି ଏବେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲା ମାଲକାନଗିରିରେ ଥିବା ବଙ୍ଗୀୟ ଭୋଟରମାନଙ୍କୁ ପ୍ରଭାବିତ କରିବା ଲାଗି ବିଜେପି ପାଇଁ ପ୍ରଚାର କରୁଛନ୍ତି। ସେ ସେଠାରେ ବିଭିନ୍ନ ସଭାରେ ବଙ୍ଗଳାରେ ଭାଷଣ ଦେଉଥିବାର ଲକ୍ଷ୍ୟ କରାଯାଇଛି।

publive-image                                                          photo-twitter
ଅନ୍ୟପକ୍ଷରେ ବିଜେଡ଼ି ପକ୍ଷରୁ ଓଲିଉଡର ଗ୍ଲାମରସ୍‌ ଅଭିନେତ୍ରୀ ଦେବଯାନୀ ମାଲକାନଗିରିରେ ପ୍ରଚାର ଅଭିଯାନ ଜାରି ରଖିଛନ୍ତି। ଦେବଯାନୀ ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’ ,‘ଡନ୍‌’, ‘ରଙ୍ଗିଲା ଟୋକା’ ଓ‘ଅଜାତଶତ୍ରୁ’ ଆଦ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି। ଦେବଯାନୀଙ୍କ ମାତୃଭାଷା ବଙ୍ଗଳା। ସେ ବି ବଙ୍ଗଳା ଭାଷାରେ ଭାଷଣ ଦେଇ ମାଲକାନଗିରିରେ ଥିବା ବଙ୍ଗୀୟ ଭୋଟରମାନଙ୍କୁ ବିଜେଡ଼ିକୁ ଭୋଟ୍‌ ଦେବା ଲାଗି ନିବେଦନ କରୁଛନ୍ତି। ଏ ଦୁଇ ବଙ୍ଗୀୟ ଅଭିନେତ୍ରୀଙ୍କ ମଧ୍ୟରୁ କିଏ ଅଧିକ ପ୍ରଭାବିତ କରୁଛନ୍ତି , ତାହା ଅବଶ୍ୟ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe