ଜେଲ୍‌ରେ ବି ରୂପେଶଙ୍କ ନେଟୱର୍କ, ସ୍ଥିତି ପରଖିଲେ ବିରୋଧୀ ଦଳ ନେତା

Advertisment

ବିଧାନସଭା ଚଳାଇ ଦିଆଯିବ ନାହିଁ

ବିଧାନସଭା ଚଳାଇ ଦିଆଯିବ ନାହିଁ

ଜେଲ୍‌ରେ ବି ରୂପେଶଙ୍କ ନେଟୱର୍କ, ସ୍ଥିତି ପରଖିଲେ ବିରୋଧୀ ଦଳ ନେତା

ଯାଜପୁର/ଧର୍ମଶାଳା: ‘ଜେଲ୍‌ରେ ଥାଇ ବି ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ରୂପେଶ ଭଦ୍ରଙ୍କ ନେଟୱର୍କ କାମକରୁଛି। ଆମେ ଯେଉଁଆଡ଼େ ଯାଉଛୁ, ତା’ ଲୋକଙ୍କୁ ପାଉଛୁ। ପରୋକ୍ଷରେ ସେମାନେ ଆମକୁ ଡରାଉଛନ୍ତି। ପୁଲିସ ସୁରକ୍ଷା ଉପରେ ଭରସା ନାହିଁ। ତେଣୁ ଜମିବାଡ଼ି ବିକି ଓଡ଼ିଶା ଛାଡ଼ିବାକୁ ସ୍ମିତାରାଣୀଙ୍କ ବାପାମା’ ସ୍ଥିର କରିଛନ୍ତି।’ ଏହିଭଳି ଏକ ଅଭିଯୋଗ ଆଣିଛନ୍ତି ମୃତ ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲ ବିଶ୍ବାଳ। ଗତକାଲି ସ୍ମିତାରାଣୀଙ୍କ ବାପା ଓଡ଼ିଶା ଛାଡ଼ିବା କଥା କହିଥିଲାବେଳେ ଆଜି ଏହାକୁ ଦୋହରାଇଛନ୍ତି ସୁଶୀଲ। ଏଭଳି ସ୍ଥିତିରେ ଆଜି ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ନେତୃତ୍ବରେ ବିଜେପି ବିଧାୟକ ଦଳ ତଥ୍ୟ ଅନୁସନ୍ଧାନ ପାଇଁ ଆସି ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଜଣେ ମହିଳା ଅଧିକାରୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ ପୁଲିସର ସ୍ଥାଣୁତା ଓ ମୃତ ସ୍ମିତାରାଣୀଙ୍କ ଚରିତ୍ର ସଂହାର କରିଥିବା ଏସ୍‌ପିଙ୍କ କାର୍ଯ୍ୟଦକ୍ଷତା ଓ ସରକାରଙ୍କ ଆଭିମୁଖ୍ୟକୁ ବିରୋଧୀ ଦଳ ନେତା ଓ ବିଜେପିର ତଥ୍ୟ ଅନୁସନ୍ଧାନକାରୀ ଦଳ କଟୁ ସମାଲୋଚନା କରିଛନ୍ତି। ନବୀନ ପଟ୍ଟନାୟକଙ୍କ ୫-ଟି ଓ ମୋ ସରକାର ଯୋଜନା ସଂପୂର୍ଣ୍ଣ ଫେଲ୍ ମାରିଛି। ଯାହାକି ସ୍ମିତାରାଣୀ ଘଟଣାରୁ ସ୍ପ‌ଷ୍ଟ ହୋଇଯାଇଛି ବୋଲି ବିରୋଧୀ ଦଳ ନେତା ଶ୍ରୀ ନାୟକ କହିଛନ୍ତି।

ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଯେତେ ଯେତେ ପୁରୁଣା ହେଉଛି ସନ୍ଦେହର ବଳୟ ସେତେ‌ ଘନୀଭୂତ ହେବାରେ ଲାଗିଛି। ନୂଆ ନୂଆ ତଥ୍ୟ ମଧ୍ୟ ପଦାକୁ ଆସିବାରେ ଲାଗିଛି। ଅପରାଧୀଙ୍କ ଫାନ୍ଦରେ ଫସିଯାଇଛି ଯାଜପୁର ପୁଲିସ। ହରିଦାସପୁରରେ ତିନି ତିନିଟି ହତ୍ୟାକାଣ୍ଡକୁ ପୁଲିସ ପର୍ଯ୍ୟାୟ କ୍ରମେ ଚପାଇ ଦେଇଛି। ଯାହାର ପୁନଃତଦନ୍ତ ହେବା ଆବଶ୍ୟକ ବୋଲି ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଗଣମାଧ୍ୟମ ସମ୍ମୁଖରେ ଦାବି କରିଛନ୍ତି। ରେଲୱେ ଇଂଜିନିୟରଙ୍କୁ ଗାଡ଼ି ଚଢ଼ାଇ ମାରିବା ପରେ ଦୁର୍ଘଟଣାର ରୂପ ଦିଆଯାଇଥିଲା। ସେହିପରି ଯୁବ ଟ୍ରାନ୍ସପୋର୍ଟର ଦେବାଶିଷ ସାମାଲଙ୍କୁ ବାମ୍ଫି ପାଣିରେ ବୁଡ଼ାଇ ମାରି ଆତ୍ମହତ୍ୟାର ରୂପ ଦେଇଥିଲେ। ଆଉ ଶେଷରେ ସ୍ମିତାରାଣୀଙ୍କ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦିଆଯାଇଛି। ପୂର୍ବ ୨ଟି ଘଟଣା ଭଳି ସ୍ମିତାରାଣୀ ମାମଲାର ତଦନ୍ତ ବାଟବଣା ହୋଇଛି। ତୁରନ୍ତ ଏସ୍‌ପିଙ୍କୁ ବଦଳି କରିବା ସହିତ ସିବିଆଇ ଦ୍ବାରା ତଦନ୍ତ ହେବା ଆବଶ୍ୟକ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି।

ଏହି ଟିମ୍‌ରେ ଆସିଥିବା ବିଜେପି ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଉପରେ ମୁଖ୍ୟମନ୍ତ୍ରୀ ଗୃହକୁ ସଂପୂର୍ଣ୍ଣ ଅବଗତ ନ କରିବା ଯାଏ ଆଗାମୀ ବିଧାନସଭା ଚଲାଇ ଦିଆଯିବ ନାହିଁ। ଅନୁରୂପ ଭାବେ ଅନ୍ୟ ବିଧାୟକମାନେ ମଧ୍ୟ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ଓ ପୁଲିସ ପ୍ରଶାସନର ତଦନ୍ତ ଓ ନିରବତାକୁ ନେଇ ଅନେକ ସାମ୍ବିଧାନିକ ପ୍ରଶ୍ନ ଉଠାଇଛନ୍ତି। ଏହି ଟିମ୍ ଆଜି ପ୍ରଥମେ ଚୋରମୁହାଁ ଗ୍ରାମସ୍ଥ ସ୍ମିତାରାଣୀଙ୍କ ବାପଘରକୁ ଯାଇ ତାଙ୍କ ବାପା ସଦାନନ୍ଦ ବିଶ୍ବାଳ ଓ ସ୍ବାମୀ ସୁଶୀଲ ବିଶ୍ବାଳଙ୍କୁ ସାକ୍ଷାତ କରିଥିଲେ। ପରେ ରଙ୍ଗଶାଳା (ଗେଷ୍ଟ ହାଉସ୍‌) ପାଖକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ। ଏହି ଟିମ୍‌ରେ ବିରୋଧୀ ଦଳ ନେତା ଶ୍ରୀ ନାୟକ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ,ବିଜେପି ମୁଖ୍ୟ ସଚେତକ ମୋହନ ମାଝି, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଲୋଇସିଂହା ବିଧାୟକ ମୁକେଶ ମହାଳିକ, ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଓ ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ ସାମଲଙ୍କ ସହିତ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ଅମିୟ ମଲିକ, ବବିତା ମଲିକ, ଅମର ନାୟକ, ସର୍ବେଶ୍ବର ବେହୁରା, ସୁଦୀପ୍ତ ପଣ୍ଡା, ରମେଶ ପରିଡ଼ା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe