ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ବିପଦପୂର୍ଣ୍ଣ: ବଢ଼ୁଛି ଦୁର୍ଘଟଣା

Advertisment
ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ବିପଦପୂର୍ଣ୍ଣ: ବଢ଼ୁଛି ଦୁର୍ଘଟଣା

ବାଲିଅନ୍ତା:ବାଲିଅନ୍ତା ବ୍ଲକ ଅଧୀନ ଚିଙ୍ଗୁଡ଼ିଆ-ପଟୁପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏବେ ସଂପୂର୍ଣ୍ଣ ବିପଦପୂର୍ଣ୍ଣ ହୋଇପଡ଼ିଛି। ୩ କିମି ବିଶିଷ୍ଟ ଏହି ମୁଖ୍ୟ ରାସ୍ତାର ପିଚୁ ଏବଂ କଂକ୍ରିଟ ପାର୍ଶ୍ବର ଉଭୟ ପା‌ର୍ଶ୍ବ ରାସ୍ତା ଜଙ୍ଗଲିଆ ହୋଇ ପଡ଼ିଥିବାରୁ ଯାତାୟାତ କରିବାରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି। ଅନାବନା ଗଛଲତା ବିଶେଷକରି ବଡ଼ ବଣ ଲଙ୍କାମରିଚ ଗଛରେ ଭର୍ତ୍ତି ହୋଇଥିବାରୁ  ରାସ୍ତା ସଂକୀର୍ଣ୍ଣ ହୋଇ ଲୁଚି ଗଲାଣି ।

ଅନାବନା ଗଛଲତା ପିଚୁ ଉପରକୁ ମାଡ଼ି ଆସିଥିବାରୁ ରାସ୍ତା ଭଲ ଭାବରେ ଦିଶୁ ନଥିବାରୁ ବାଇକ ଓ ଭାରୀଯାନ ଚାଳକମାନେ ଦୁର୍ଘଟଣା ଘଟାଉଥିବା ଜଣାପଡ଼ିଛି। ଉଭୟ ପାର୍ଶ୍ବ ରାସ୍ତା ଗଛଲତାରେ ଭରି ରହିଥିବାରୁ ପଥଚାରୀମାନେ ରାସ୍ତା ମଝିରେ ଯିବାକୁ ବାଧ୍ୟ ହେଉଥିବାରୁ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଗତ ମାସକ ମଧ୍ୟରେ ଉକ୍ତ ରାସ୍ତାରେ ଦୁଇଟି ଦୁଘର୍ଟଣା ଘଟିଥିଲେ ହେଁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଅପରପକ୍ଷରେ ରାସ୍ତା ମରାମତି ସାଙ୍ଗକୁ ଅନାବନା ଗଛ ସଫେଇ ଦିଗରେ ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ସେହିପରି ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଏବଂ କଂକ୍ରିଟ ଖଣ୍ଡ ଭାଙ୍ଗି ଯାଇଥିବାରୁ ଛୋଟବଡ଼ ଖାଲଖମା ସୃଷ୍ଟି ହୋଇଛି। ରାସ୍ତା ଅବସ୍ଥା ସଂକୀର୍ଣ୍ଣ ହେବା ଯୋଗୁ ଭାରୀଯାନ ଅତିକ୍ରମ କରିବା ବେଳେ ଖାଲଖମାରେ ପଡ଼ି ବାଇକ ଆରୋହୀ ଆହତ ହେଉଥିବା ନଜିର ରହିଛି।

ଉଲ୍ଲେଖଯୋଗ୍ୟ ୨୦୦୨-୦୩ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉପରୋକ୍ତ ୩ କିମି ବିଶିଷ୍ଟ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆବଶ୍ୟକ ଅର୍ଥ ମଂଜୁର କରାଯାଇଥିଲା। ତା’ପରଠାର ରାସ୍ତା ମରାମତି କରାଯାଉ ନଥିବାରୁ ରାସ୍ତା ବିପଦପୂର୍ଣ୍ଣ ହୋଇପଡ଼ିଛି। ସେହିପରି ଗ୍ରାମ କଲ୍ୟାଣ ସମିତି ତରଫରୁ ମଧ୍ୟ ରାସ୍ତା ସଫା କରାଯାଉ ନାହିଁ। ସମସ୍ୟାର ସମାଧାନ ଦିଗରେ ନିର୍ବାହୀ ଯନ୍ତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe