୬ ମାସ ଶୁଖିଲା ପଡ଼ୁଛି ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ଶଯ୍ୟା

୧୬୫ କିମି ଦୀର୍ଘ ଋଷିକୁଲ୍ୟାରେ ମିଶୁଛି ୬ ନଦୀଜଳ, ସମୁଦ୍ରକୁ ବହିଯାଉଛି ୮୦ ପ୍ରତିଶତ ପାଣି

୬ ମାସ ଶୁଖିଲା ପଡ଼ୁଛି ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ଶଯ୍ୟା
ବ୍ରହ୍ମପୁର, (ସୁଦୀପ୍ତ ଷଡ଼ଙ୍ଗୀ): ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ଦିନେ ଚିରସ୍ରୋତା ଥିଲା। ଏବେ ବର୍ଷର ୬ ମାସ ନଦୀଶଯ୍ୟା ଶୁଖିଲା ପଡୁଛି। ସ୍ବାଧୀନତା ପରଠୁ ସବୁ ସରକାର ଏ ଦିଗରେ ଅଣଦେଖା କରିଆସିଛନ୍ତି। ପିଇବା ପାଣି ସହିତ ଜଳସେଚନ ନିମନ୍ତେ ଗଞ୍ଜାମ ଜିଲ୍ଲାବାସୀ ଋଷିକୁଲ୍ୟା ନଦୀ ଉପରେ ନିର୍ଭର କରୁଛନ୍ତି। ଅଥଚ ନଦୀର ପାଣି ସଂରକ୍ଷିତ କରାଯାଇପାରୁ ନାହିଁ।
ବ୍ରିଟିସ୍‌ ଅମଳରେ ୧୮୯୪ ମସିହାରେ ଋଷିକୁଲ୍ୟା ନଦୀର ପାଣିକୁ ଜଳସେଚନ ପାଇଁ ପ୍ରଥମେ ବ୍ୟବହାର କରାଯାଇଥିଲା। ଋଷିକୁଲ୍ୟାରେ ଅନ୍ୟ ୬ଟି ନଦୀର ପାଣି ମିଶୁଛି। ବର୍ଷା ହେବାପରେ ଅଗଷ୍ଟ ମାସରୁ ନଦୀରେ ପାଣି ଭର୍ତ୍ତି ରହୁଛି। କିନ୍ତୁ, ସେହି ପାଣିକୁ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଇନଥିବାରୁ ତାହା ସମୁଦ୍ରରେ ମିଶି ନଷ୍ଟ ହେଉଛି। ଏହି ପାଣିର ସଂରକ୍ଷଣ ପାଇଁ ପଦ୍ମା ନଦୀ, ବଡ଼ ନଦୀ, ବାଘୁଆ ନଦୀ, ଘୋଡ଼ାହାଡ଼ ନଦୀରେ ଯେଉଁଭଳି ଡ୍ୟାମ୍‌ ବ୍ୟବସ୍ଥା କରାଯାଇଛି, ଋଷିକୁଲ୍ୟା ନଦୀ ପାଇଁ କୌଣସି ସ୍ବତନ୍ତ୍ର ଡ୍ୟାମ୍‌ ନାହିଁ। ଫଳରେ, ୨୦/୨୨ ପ୍ରତିଶତ ପାଣି ବ୍ୟବହାର ହେଉଥିବାବେଳେ ପ୍ରାୟ ୮୦ ପ୍ରତିଶତ ପାଣି ସମୁଦ୍ରକୁ ବହିଯାଉଛି।
ଏହି ୮୦ ପ୍ରତିଶତରୁ ଯଦି ୫୦/୬୦ ପ୍ରତିଶତ ପାଣି କୌଣସିପ୍ରକାରେ ସଂରକ୍ଷଣ କରାଯାଇପାରନ୍ତା, ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ହେକ୍ଟର୍ ଜମି ଜଳସେଚିତ ହେବାସହିତ ପାନୀୟ ଜଳ ସମସ୍ୟା ଦୂର ହୋଇଯାଆନ୍ତା। ୬ମାସ ନଦୀରେ ପାଣି ରହିବାପରେ ବଳକା ୬ମାସ ଆଦୌ ଶୁଖିଲା ପଡ଼ନ୍ତା ନାହିଁ। ଫଳରେ, ଚାଷ ଓ ପାନୀୟ ଜଳ ପାଇଁ ଗଞ୍ଜାମବାସୀ ଡହଳବିକଳ ହୁଅନ୍ତେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
publive-image

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର ଋଷିମାଳ ପର୍ବତରୁ ବାହାରି ଗଞ୍ଜାମ ଜିଲ୍ଲା ଦେଇ ସମୁଦ୍ରରେ ମିଶିଛି ଋଷିକୁଲ୍ୟା ନଦୀ ଋଷିକୁଲ୍ୟା ନଦୀର ଲମ୍ବ ପ୍ରାୟ ୧୬୫ କି.ମି ହେବ। ଗଞ୍ଜାମ ଜିଲ୍ଲାବାସୀ ପାଣି ପାଇଁ ଏହି ନଦୀ ଉପରେ ନିର୍ଭର କରିଥା’ନ୍ତି। ଗ୍ରୀଷ୍ମଦିନରେ ଋଷିକୁଲ୍ୟା ଶୁଖିଲା ପଡ଼ିଯାଉଥିବାରୁ ଗଞ୍ଜାମବାସୀ ପାଣି ପାଇଁ ଛଟପଟ ହେଉଛନ୍ତି। ନଦୀ ସଂଯୋଗୀକରଣ ଜରିଆରେ ଋଷିକୁଲ୍ୟାକୁ ଚିରସ୍ରୋତା କରିବା ପାଇଁ ଯୋଜନା କରାଯାଇଥିଲା। ଓଡ଼ିଶାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ଉଦ୍ୟମ କ୍ରମେ ଋଷିକୁଲ୍ୟା ବଞ୍ଚାଓ ସମିତି ଜରିଆରେ ଆନ୍ଦୋଳନ କରାଯାଇଥିଲା। ହେଲେ, ଏହି ପ୍ରସ୍ତାବ ଉପରେ ରାଜ୍ୟ ସରକାର ଗଲା ଦୁଇ ଦଶନ୍ଧି ଭିତରେ ଆଉ ଚିନ୍ତା କରିନାହାନ୍ତି। ଏପରିକି ନଦୀରେ ପ୍ରବାହିତ ଜଳ ସଂରକ୍ଷଣ ଦିଗରେ ଆନ୍ତରିକ ଉଦ୍ୟମ ନାହିଁ।

ସେହିଭଳି, ଋଷିକୁଲ୍ୟା ନଦୀର ପାଣି ସଂରକ୍ଷିତ ରଖିବାପାଇଁ ସୋରଡ଼ା ବ୍ଲକ୍‌ ପିପଳପଙ୍କା ଠାରେ ଏକ ଡ୍ୟାମ୍‌ ନିର୍ମାଣ ପାଇଁ ପ୍ରସ୍ତାବ ୧୯୯୫ରୁ ରହିଛି। ଯାହାକି ସିଧାସଳଖ ଋଷିକୁଲ୍ୟା ନଦୀର ପାଣିକୁ ସଂରକ୍ଷିତ ରଖିବ। କିନ୍ତୁ ଏହି ପ୍ରସ୍ତାବ କେବେ କାର୍ଯ୍ୟକାରୀ ହେବ ସେ ଦିଗରେ କୌଣସି ସୂଚନା ମିଳୁ ନାହିଁ। ଅନ୍ୟପଟେ ରାଜ୍ୟ ସରକାର ନିକଟରେ ଅନ୍ତଃନଦୀ ଜଳାଶୟ ଯୋଜନାରେ ସୋରଡ଼ା ବ୍ଲକ୍‌ର ସିଙ୍ଗିପୁର ଏବଂ କଂସାରୀଗଣ୍ଡ ଠାରେ ଜଳ ସଂରକ୍ଷଣ ପାଇଁ ଜଳସମ୍ପଦ ବିଭାଗ ଜରିଆରେ କାମ ଆରମ୍ଭ କରିଛନ୍ତି। କିନ୍ତୁ ଆବଶ୍ୟକତା ଅନୁସାରେ ଜଳ ସଂରକ୍ଷଣ ପାଇଁ ଏହି ଯୋଜନା ଯଥେଷ୍ଟ ନୁହଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଣୁ ଋଷିକୁଲ୍ୟା ନଦୀ ଜଳ ସଂରକ୍ଷଣ ପାଇଁ ନିହାତି ଭାବେ ଏକ ସ୍ବତନ୍ତ୍ର ଡ୍ୟାମ୍‌ର ଆବଶ୍ୟକତା ରହିଛି ବୋଲି ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe