୨୦୦୮ ନୟାଗଡ଼ ମାଓ ଆକ୍ରମଣ ଘଟଣା: ସବ୍ୟସାଚୀ ଆଉ ଦୁଇ ମାମଲାରେ ନିର୍ଦ୍ଦୋଷ

Advertisment
୨୦୦୮ ନୟାଗଡ଼ ମାଓ ଆକ୍ରମଣ ଘଟଣା: ଆଉ ଏକ ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷ ପ୍ରମାଣିତ

ନୟାଗଡ଼ : ବହୁଚର୍ଚ୍ଚିତ ୨୦୦୮ ମସିହା ନୟାଗଡ଼ ମାଓ ଆକ୍ରମଣ ମାମଲାରେ ପୁଣି ୨ଟି ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡା ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଏଥିସହିତ ଏହି ମାମଲାରେ ସଂପୃକ୍ତ ଅନ୍ୟତମ ମାଓ ନେତା ଆଜାଦ୍ ମଧ୍ୟ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି।

ନୟାଗଡ଼ ପୁଲିସ ଅସ୍ତ୍ରାଗାର ଲୁଟ୍‌ ସହ ନୟାଗଡ଼ ପୁଲିସ ଟ୍ରେନିଂ ସ୍କୁଲ୍‌, ନୟାଗଡ଼, ଦଶପଲ୍ଲା, ନୂଆଗାଁ ଥାନା, ମହିପୁର ଫାଣ୍ଡିରେ ସଶସ୍ତ୍ର ୪୦୦ ମାଓବାଦୀ ତାଣ୍ଡବ ରଚିଥିଲେ। ଗୁଳି ଓ ଛୁରୀରେ ରକ୍ତର ହୋଲି ‌ଖେଳିଥି‌ଲେ। ଯେଉଁଥିରେ ୧୮ ପୁଲିସ କର୍ମଚାରୀ ସହିଦ ହୋଇଥି‌ଲେ। କିଛି ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଦଶପଲ୍ଲା ଥାନା ପୋଡ଼ି ସମେତ ଥାନା ଅଧିକାରୀଙ୍କ ସରକାରୀ ବାସଗୃହ ପୋଡ଼ି ମାମଲାର ଆଜି ଜିଲ୍ଲା କୋର୍ଟରେ ଶୁଣାଣି କରାଯାଇଥିଲା। ଏନେଇ ଦୁଇ ଅଭିଯୁକ୍ତ ମାଓ ନେତାଙ୍କୁ ଅପରାହ୍ନରେ ନୟାଗଡ଼ ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା। ସବ୍ୟସାଚୀଙ୍କୁ ବ୍ରହ୍ମପୁର ଓ ଆଜାଦ୍‌ଙ୍କୁ ଝାରପଡ଼ା ଜେଲ୍‌ରୁ ଅଣାଯାଇଥିଲା। ତେବେ ପ୍ରମାଣ ଅଭାବରୁ ଏହି ଦୁଇ ମାମଲାରେ ସେମାନଙ୍କୁ ଜଜ୍‌ ନିର୍ଦ୍ଦୋଷ ଘୋଷଣା କରିଥିବା ସବ୍ୟସାଚୀଙ୍କ ଓକିଲ ଅମୀୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଆସନ୍ତାକାଲି ମଧ୍ୟ ସବ୍ୟସାଚୀ ଏକ ଗାଡ଼ିକୁ ଅପହରଣ କରିଥିବା ନେଇ ମାମଲାର ଶୁଣାଣି ହେବ। ଆଜି ଶୁଣାଣି ହେବାକୁ ବିଳମ୍ବ ଘଟିଥିଲା, ସନ୍ଧ୍ୟା ହୋଇଯିବାରୁ ଉଭୟ ସବ୍ୟସାଚୀ ଓ ଆଜାଦଙ୍କୁ ନୟାଗଡ଼ ସବ୍‌ଜେଲ୍‌ରେ ରଖାଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ଘଟଣାର ପ୍ରାୟ ୬ ବର୍ଷ ପରେ ଅର୍ଥାତ୍‌ ୨୦୧୪ ମସିହାରେ ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe