ବାଲେଶ୍ବର: ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତ ହଳଦିଆ ପୋଲ କାମ ଆରମ୍ଭ ହେବାକୁ ୯ ବର୍ଷ ହୋଇଯିବ। ହେଲେ ଆଜିଯାଏଁ କାମ ସଂପୂର୍ଣ୍ଣ ହେଲାନାହିଁ। ଆଉ କେତେ ବର୍ଷ ପରେ ପୋଲ କାମ ସଂପୂର୍ଣ୍ଣ ହେବ ଏହାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ବାରମ୍ବାର ଏନେଇ ଅଭିଯୋଗ ପରେ ବି ଠିକା ସଂସ୍ଥା କାମ ସଂପୂର୍ଣ୍ଣ କରିବାକୁ ଧରାଛୁଆଁ ଦେଉନାହିଁ। ନିକଟରେ ଅଞ୍ଚଳବାସୀ ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ବିଭାଗୀୟ ଅଧିକାରୀ ନା ଲୋକପ୍ରତିନିଧି କାହାରି ଦୃଷ୍ଟି ନାହିଁ। ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ନିଜାମପୁର ପଞ୍ଚାୟତ ଓ କଲ୍ୟାଣପୁର ପଞ୍ଚାୟତ ଦେଇ ଯାଇଥିବା ବୁଢ଼ାବଳଙ୍ଗ ନଦୀ ଉପରେ ପୋଲ ନଥିବାରୁ ଡଙ୍ଗା ହିଁ ଅଞ୍ଚଳବାସୀଙ୍କ ପାଇଁ ସାହାରା ଥିଲା। ଏହି ଡଙ୍ଗାରେ ରେମୁଣା ବଜାର ସହ ବାଲେଶ୍ବର ସହରକୁ ଲୋକେ ଆସୁଥିଲେ। ନଦୀ ସେପଟେ ରହୁଥିବା କଲ୍ୟାଣପୁର ପଞ୍ଚାୟତର ୧୮ ଗାଁ ସହ ମୟୂରଭଞ୍ଜର ବୈଶିଙ୍ଗା ଆଦି ଅଞ୍ଚଳରୁ ମଧ୍ୟ କିଛି ଲୋକ ଏହି ଡଙ୍ଗା ପାର୍ହୋଇ ବାଲେଶ୍ବରକୁ ଆସୁଥିଲେ। ବହୁ ଦାବି ପରେ ନଦୀ ଉପରେ ୨୦୧୪ ମସିହାରେ ୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ପୋଲ କାମ ଆରମ୍ଭ ହୋଇଥିଲା।
୨୦୧୭ ମସିହାରେ କାମ ସଂପୂର୍ଣ୍ଣ ହେବାର ଅବଧି ରହିଥିଲା। ହେଲେ ୨୦୧୮ରେ ପୁଣି ବ୍ୟୟଅଟକଳ ବୃଦ୍ଧି ପାଇ ଏହା ୧୦ କୋଟି ୩୧ ଲକ୍ଷ ୪୭ ହଜାର ଟଙ୍କାରେ ପହଞ୍ଚିଲା। ପୋଲ ନିର୍ମାଣ ହୋଇଗଲା ସତ। ହେଲେ ପୋଲ ଉପରେ କଞ୍ଚାମାଲ ପଡ଼ିରହିବା ସହିତ ପୋଲର ଦୁଇ ପାର୍ଶ୍ବରେ ଆପ୍ରୋଚ୍ ରୋଡ୍ ନିର୍ମାଣ ହୋଇନାହିଁ। ଯାହାଫଳରେ ପ୍ରତିଦିନ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପୋଲ ଉପରେ ନିର୍ଭର କରୁଥିବା ହଳଦିଆ, ମାକନ୍ଦା, ଆଳଦା, ଚଢ଼େଇପୁର, କଲ୍ୟାଣପୁର, ରାବଣେଶ୍ବର, ପାଳଶିଆ, ଗୁଣୁଦା, ତାଳମେଢ଼ ଆଦି ଗ୍ରାମର ଲୋକେ କିଛି ବିକଳ୍ପ ବ୍ୟବସ୍ଥା ନଥିବାରୁ ପୋଲ ଦେଇ ଯାତାୟାତ କରୁଛନ୍ତି। ଏତେ ବର୍ଷ ଧରି ପୋଲ ନିର୍ମାଣ ଚାଲିବାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ଅଞ୍ଚଳବାସୀ। ଆଗକୁ ବର୍ଷାଦିନ ଆସୁଥିବାରୁ ଏହି ପୋଲ ଦେଇ ଯିବା ସମ୍ଭବପୁର ହେବ ନାହିଁ। ତେଣୁ ଯଥାଶୀଘ୍ର ପୋଲ କାମ ସଂପୂର୍ଣ୍ଣ ନ ହେଲେ ଆନ୍ଦୋଳନାତ୍ମ ପନ୍ଥା ଗ୍ରହଣ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଏ ସଂପର୍କରେ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ପଚାରିବାରୁ ପୋଲ କାମ ସଂପୂର୍ଣ୍ଣ ହେଉନଥିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବାରମ୍ବାର ଠିକା ସଂସ୍ଥାକୁ ତାଗିଦ୍ କରିଛି। ତଥାପି ବର୍ଷାଦିନ ପୂର୍ବରୁ କେମିତି ପୋଲ କାମ ସଂପୂର୍ଣ୍ଣ ହୋଇପାରିବ ଏହାକୁ ଗୁରୁତ୍ବ ଦେବି ବୋଲି ସେ କହିଛନ୍ତି।
Follow Us