‘ସମ୍ବାଦ’ ପ୍ରଭାବ : ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ସହଦେବ ସମାଧିଆ

Advertisment
‘ସମ୍ବାଦ’ ପ୍ରଭାବ : ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ସହଦେବ ସମାଧିଆ

 ଜାନୁୟାରୀରୁ ନିଯୁକ୍ତି ପାଇଥିଲେ, ଆଜି କାର୍ଯ୍ୟରେ ଯୋଗଦେଲେ
ଖବର ପ୍ରକାଶ ପରେ ଚେତିଲେ ସରକାର

ବାରିପଦା : ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳସଚିବ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ଓଏଏସ ଅଧିକାରୀ ସହଦେବ ସମଧିଆ। ସମ୍ବଲପୁର ଜିଲ୍ଲା ଡୁଙ୍ଗୁରିପାଲି ବିଡିଓ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସମାଧିଆଙ୍କୁ ଚଳିତ ବର୍ଷ ଜାନୁୟାରୀ ୨୦ରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ମାତ୍ର ପ୍ରାୟ ୧୦ ମାସ ପରେ ଶ୍ରୀ ସମାଧିଆ ଆଜି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରେ ଯୋଗଦେଇଛନ୍ତି। ଆଜି ଶ୍ରୀ ସମାଧିଆ କାମଚଳା କୁଳସଚିବ ପି କେ ଶତପଥୀଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ଜାନୁୟାରୀରୁ ନିଯୁକ୍ତି ପାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରେ ଯୋଗଦେଉନଥିବା ନେଇ ‘ସମ୍ବାଦ’ରେ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ସରକାରଙ୍କ ଚେତା ପଶିବା ସହିତ ଶ୍ରୀ ସମାଧିଆ ଏଠାରେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଜି ଦାୟିତ୍ୱ ଗ୍ରହଣ ସମୟରେ ବିଶ୍ୱବିଦ୍ୟାଳୟର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ସାମିଲ ଥିଲେ।

publive-image

ଉଲ୍ଲେଖଯୋଗ୍ୟ ଯେ, ଆଦିବାସୀ ଅଧ୍ୟୁଷିତ ବୃହତ୍ ଜିଲ୍ଲା ମୟୂରଭଞ୍ଜରେ ଉଚ୍ଚଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରାୟ ଦେଢ଼ବର୍ଷ ହେବ କାମଚଳା କୁଳସଚିବଙ୍କୁ ନେଇ କାର୍ଯ୍ୟ କରୁଥିଲା। ଯାହାଫଳରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏହାସହିତ ନାନା ଦୁର୍ନୀତି ମଧ୍ୟ ସାମ୍ନାକୁ ଆସିଥିଲା। ଯାହାକି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ହୁଏ। ଚଳିତ ବର୍ଷ ଜାନୁୟାରୀ ୨୦ରେ ନିଯୁକ୍ତି ପାଇଥିଲେ ମଧ୍ୟ ଶ୍ରୀ ସମାଧିଆ ବିଶ୍ୱବିଦ୍ୟାଳୟରେ ଯୋଗଦେଇନଥିଲେ। ଓଲଟି ତାଙ୍କୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ କାର୍ଯ୍ୟରତ ଥିବାରୁ ନୋସ୍ନାଲ ପ୍ରମୋସନ୍ ଦିଆଯାଇଥିଲା। ଯାହାକି ସାଧାରଣରେ ଦ୍ବନ୍ଦ୍ବ ସୃଷ୍ଟି କରିଥିଲା ଏବଂ ରାଜ୍ୟ ସରକାର ସମାଲୋଚିତ ହୋଇଥିଲେ। ୯ମାସ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେଇନଥିଲେ ମଧ୍ୟ ଉକ୍ତ ପଦବୀକୁ ନେଇ ପ୍ରମୋସନ୍ ମିଳିବା ବିଚିତ୍ର ପ୍ରଶାସନିକ ବ୍ୟବସ୍ଥାକୁ ପଦାରେ ପକାଇଥିଲା।

୨୦୧୯ ଫେବ୍ରୁୟାରୀରୁ ପ୍ରମୋଦ କୁମାର ଶତପଥୀ ଭାରପ୍ରାପ୍ତ କୁଳସଚିବ ଭାବେ କାର୍ଯ୍ୟ କରିଆସୁଥିଲେ। ଆଜି ଶ୍ରୀ ଶତପଥୀ ଶ୍ରୀ ସମାଧିଆଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ପାଠପଢ଼ା ସହିତ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ନ୍ୟସ୍ତ ଥିବାରୁ ସେ ଚାପରେ ରହୁଥିଲେ। ସ୍ଥାୟୀ କୁଳସଚିବଙ୍କ ଅଭାବରୁ ବିଶ୍ୱବିଦ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ସୃଷ୍ଟି ହୋଇଥିଲା। ଯାହାର ପ୍ରମୁଖ ଉଦାହରଣ ହେଉଛି ୨୦୧୫ରେ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳସଚିବ ନଥିବାରୁ ଏସ୍‌ଫସି ସଂସ୍କୃତ ବିଭାଗରେ ରିଡର୍ ଭାବେ ଯୋଗ୍ୟତା ନଥାଇ ଜଣେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଜାଲିଆତି କରାଯାଇ ଉକ୍ତ ପ୍ରାର୍ଥୀଙ୍କର ପିଏଚ୍‌ଡି ନଥାଇ ମଧ୍ୟ ତାଙ୍କ ନାମ ପୂର୍ବରୁ ଡକ୍ତର ଯୋଡ଼ାଯାଇ ପିଏଚ୍‌ଡି ଯୋଗ୍ୟତା ଥିବା ଦର୍ଶାଯାଇଥିଲା। ଫଳରେ ଯୋଗ୍ୟ ପ୍ରାର୍ଥୀମାନେ ବାଦ୍ ପଡ଼ିଥିଲେ। ଏନେଇ ଏଜି କାର୍ଯ୍ୟାଳୟରୁ ଉଚ୍ଚଶିକ୍ଷା ବିଭାଗକୁ କୈଫୟତ ତଲବ କରାଯାଇଥିଲା। ଯେଉଁଥିପାଇଁ ଉଚ୍ଚଶିକ୍ଷା ବିଭାଗ ପୂର୍ବତନ କୁଳସଚିବଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe